ପତ୍ନୀଙ୍କୁ ମାରିଲା, ନିଜେ ମରିବାକୁ ଉଦ୍ୟମ କରି ଗୁରୁତର ହେଲା

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମେଡିକାଲରେ ଭର୍ତ୍ତି

କାଶୀପୁର: କାଶୀପୁର ବ୍ଲକ ଟିକିରି ଥାନା ଖଡ଼ିକା ଯୋଡ଼ି ଗ୍ରାମରେ ବୁଧବାର ଅପରାହ୍ନରେ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ପତ୍ନୀର ଗଳାକାଟି ସ୍ବାମୀ ମାରିଦେଇଛି। ପରେ ନିଜେ ଜୀବନ ହାରିବାକୁ ଉଦ୍ୟମ କରି ଗୁରୁତର ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ସଂକ୍ରାନ୍ତରେ ମୃତକଙ୍କ ପରିବାର ଟିକିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଟିକିରି ଥାନା ଅନ୍ତର୍ଗତ ଶଙ୍କରଡ଼ା ପଞ୍ଚାୟତର ଖଡ଼ିକା ଯୋଡ଼ି ଗ୍ରାମର ସୁନିତା ମାଝୀ ତୟାପୁଟ ଗ୍ରାମର ସମ୍ବରୁ ମାଝୀଙ୍କୁ ପ୍ରାୟ ତିନି ବର୍ଷ ତଳେ ବାହା ହୋଇ ଥିଲେ । ତାଙ୍କର ଦୁଇ ବର୍ଷର ଏକ କନ୍ୟା ସନ୍ତାନ ରହିଛି। କିଛି ଦିନ ତଳେ ସୁନିତା  ତୟାପୁଟଠାରୁ ଅଳ୍ପ କିଛି ଦୂରରେ ଥିବା ନିଜ ଖଡ଼ିକାଯୋଡ଼ି ଗ୍ରାମକୁ ଯାଇଥିଲେ। ବୁଧବାର ସମ୍ବରୁ ପତ୍ନୀକୁ ଡ଼ାକିବାକୁ ତୟାପୁଟ ଗ୍ରାମକୁ ଯାଇଥିଲେ । କୌଣସି କାରଣରୁ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହେବାରୁ ସ୍ୱାମୀ ସମ୍ବରୁ ଏକଧାରୁଆ  ଅସ୍ତ୍ରରେ ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ତୟାପୁଟ ଫେରି ଆସି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକଙ୍କ ସହିତ ଗ୍ରାମବାସୀ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସମ୍ବରୁଙ୍କୁ ଉଦ୍ଧାର କରିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ରାୟଗଡ଼ା ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲା। ତଦନ୍ତ ଜାରି ରହିଥିବାବେଳେ ମୃତଦେହକୁ ଗୁରୁବାର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର