ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ଗ୍ରାମରେ ଆଜି ମଦ୍ୟପ ସ୍ବାମୀ ନିଜ ପତ୍ନୀକୁ ହତ୍ୟା କରି ଶବକୁ ବିଲରେ ଫୋପାଡ଼ିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ବଡ଼ସାହିର ଜୟନ୍ତୀ ସାହୁ। ଏହି ଉନ୍ମତ୍ତ କାଣ୍ଡ ଘଟାଇଥିବା ସ୍ବାମୀ ନାରାୟଣ ସାହୁକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। କେସ୍ ନମ୍ବର ୪୫୮ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Advertisment

ମୃତ ଜୟନ୍ତୀଙ୍କ ଭାଇ ଚେରୁ ସାହୁଙ୍କ ଏତଲା କ୍ରମେ ନାରାୟଣ ସବୁବେଳେ ମଦ ପିଉଥିଲା। ବିଭିନ୍ନ କାରଣକୁ ନେଇ ସେ ଜୟନ୍ତୀଙ୍କ ସହ ଝଗଡ଼ା କରୁଥିଲା। ଆଜି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବାରୁ ଏଥିରେ ନାରାୟଣ ଉତ୍‌କ୍ଷିପ୍ତ ହୋଇ ଜୟନ୍ତୀଙ୍କୁ ହତ୍ୟା କରିବା ପରେ ଶବକୁ ବିଲରେ ଫୋପାଡ଼ିଦେଇଥିଲା। ଆଜି ସକାଳେ ଘର ବାରିପଟ ବିଲରେ ତାଙ୍କ ଶବ ମିଳିଥିଲା।

ଏନେଇ ଗ୍ରାମବାସୀ ନାରାୟଣକୁ ପଚରାଉଚରା କରିବାରୁ ତା’ର କଥାରେ କୌଣସି ତାଳମେଳ ରହୁ ନଥିଲା। ଫଳରେ ଗ୍ରାମବାସୀ ତାକୁ ଅଟକ ରଖି ପୁଲିସକୁ ସୂଚନା ଦିଆଯାଇଥିଲା। ପାଟପୁର ଥାନାଧିକାରୀ ଶ୍ରୀ ମଲ୍ଲ ଓ ଏସ୍‌ଆଇ ଟୁନା ପିଡ଼ିକା ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ଛାନଭିନ୍ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ କହିଛନ୍ତି। ଜୟନ୍ତୀଙ୍କ ମୃତ୍ୟୁ ପରେ ତାଙ୍କର ତିନି କୋମଳମତି ସନ୍ତାନ ମାଆଛେଉଣ୍ଡ ହୋଇଯାଇଛନ୍ତି।