ଭଟଲି: ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମରେ ଶୁକ୍ରବାର ସୁସ୍ମିତା ଭୁଏ (୨୨ବର୍ଷ) ନାମ୍ନୀ ଜଣେ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାର ଅଭିଯୁକ୍ତ ଅଜିତ ବରିହା (୨୨ବର୍ଷ) ଫେରାର ହୋଇଯାଇଛି। ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭ଟା ବେଳେ ସୁସ୍ମିତା ପାଣି ଆଣିବାକୁ ଗାଁ ନଳକୂଅକୁ ଯାଇଥିଲେ। ଏହି ସମୟରେ ଉକ୍ତ ଗ୍ରାମର ଅଜିତ ବରିହା ସେଠାରେ ପହଞ୍ଚି ତାଙ୍କୁ ଟାଙ୍ଗିଆରେ ହାଣି ଫେରାର୍‌ ହୋଇଯାଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ସୁସ୍ମିତାଙ୍କ ମୃତ୍ୟୁ ଘଟିଥିଲା।

Advertisment

ରକ୍ତ ଜୁଡୁବୁଡୁ ମୃତଦେହ ନଳକୂଅ ମୂଳେ ପଡ଼ିଥିବା ବେଳେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଏସ୍‌ଆଇ ପଦ୍ମାବତୀ ମିର୍ଦ୍ଧାଙ୍କ ନେତୃତ୍ବରେ ପୁଲିସ୍‌ ଟିମ୍‌ ଗାଁ’ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରେ ବରଗଡ଼ର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତା ନିଆଯାଇଥିଲା। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି। ଏନେଇ ଥାନା କେସ୍‌ ନଂ. ୨୬୪/୨୨, ଆଇପିସିର ଦଫା ୪୩୧, ୩୨୩ ଓ ୩୦୨ରେ ମାମଲା ରୁଜୁ କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଫେରାର୍‌ ଅଭିଯୁକ୍ତ ଅଜିତକୁ ଧରିବା ପାଇଁ ପୁଲିସ୍‌ର ଚଢ଼ଉ ଜାରି ରହିଛି।