ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ଜାଫରପୁର ଗ୍ରାମର ଜଣେ ମହିଳାଙ୍କୁ ଆଜି ସକାଳୁ ହତ୍ୟା କରି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ସେହି ଗ୍ରାମର ଜଗବନ୍ଧୁ ମଲ୍ଲିକଙ୍କ ପତ୍ନୀ ସଂଜୁଲତା ମଲ୍ଲିକ (୪୮)। ସ୍ବାମୀ, ବଡ଼ପୁଅ ଓ ବୋହୂ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ମୃତ ମହିଳାଙ୍କ ଭାଇ କସବା ଗ୍ରାମର ଅଶୋକ ମଲ୍ଲିକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ସ୍ୱାମୀ ଜଗବନ୍ଧୁ ମଲ୍ଲିକ (୫୦), ବଡ଼ପୁଅ ବିପିନ ମଲ୍ଲିକ (୨୩) ଓ ବୋହୂ ରାଧା ମଲ୍ଲିକ(୨୧)ଙ୍କ ନାମରେ ୧୪୧/୨୩ ନମ୍ବର ଦଫା ୩୦୨/୩୪ ରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।
ପାରିପାର୍ଶ୍ବିକ ଅବସ୍ଥା ଅନୁସାରେ ସଂଜୁଲତା ରହୁଥିବା ଘରର ୮୦ ଫୁଟ ଦୂରରେ ଥିବା ଏକ ଖାଲରେ ପୋଡ଼ିଯାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୮ଟା ବେଳକୁ ସେ ପିନ୍ଧିଥିବା ଶାଢ଼ିରୁ ଧୂଆଁ ଉଠୁଥିଲା। ଘଟଣାସ୍ଥଳରେ ୨ଟି ତାଳ ବରଡ଼ା ବିଛାଯାଇଥିଲା। କିଛି ଛଣ ଖୋଲାଯାଇ ସେହି ଗାଢ଼ରେ ପଡ଼ିଥିଲା। ତାଳବରଡ଼ା ଓ ଛଣର କିଛି ଅଂଶ ପୋଡ଼ିଥିଲା। ପିନ୍ଧା ଲୁଗା ଓ କପଡ଼ାର ୮୦ ଭାଗ ପୋଡ଼ିଥିବାବେଳେ ଯନ୍ତ୍ରଣାରେ ଛାଟିପିଟି ହେବା ଭଳି କୌଣସି ଲକ୍ଷଣ ସେଠାରେ ଦେଖିବାକୁ ମିଳିନଥିଲା। ଉପରକୁ ମୁହଁ କରି ହାତ ଉପରକୁ ଗୋଡ଼ ଲମ୍ବାଇ ଶବ ପଡ଼ିରହିଥିଲା। ଦଳାମକଚା ଚିହ୍ନ ନଥିଲା। ଗୁହାଳ ଘରେ କିରାସିନି ଡବା ଠିପି ଖୋଲା ରହିଥିଲା। ସେହିପରି ସନ୍ଦେହଘରରେ ଥିବା ବଡ଼ପୁଅ ଓ ବୋହୂ କେରଳକୁ ପଳାଇଥିବା ପୁଲିସ ସୂଚନା ଦେଇଛି।
ଭାଇ ଅଶୋକଙ୍କ ଅଭିଯୋଗ ଅନୁଯାୟୀ ବହୁଦିନ ହେଲା ସଂଜୁଲତାଙ୍କୁ ବଡ଼ପୁଅ ବାରମ୍ବାର ମାଡ଼ଗାଳି ଦେଇ ଆସୁଥିଲା। କିଛିଦିନ ପୂର୍ବେ ଦେଢ଼ଲକ୍ଷ ଟଙ୍କା ମାଗିଥିଲା। ନଦେଲେ ହତ୍ୟା କରିବ ବୋଲି ଧମକ ଦେଇଥିଲା। ସ୍ୱାମୀ ଜଗବନ୍ଧୁ, ବଡ଼ପୁଅ ବିପିନ ଓ ବୋହୂ ରାଧା ମିଳିମିଶି କିରାସିନି ଢାଳି ପୋଡ଼ିଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ସ୍ୱାମୀ ଜଗବନ୍ଧୁଙ୍କ କହିବା କଥା ମୋ ସ୍ତ୍ରୀକୁ ବଡ଼ପୁଅ ବିପିନ ବାରମ୍ବାର ମାଡ଼ଗାଳି ଦେଉଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ପତ୍ନୀ ଆତ୍ମହତ୍ୟା କରିଛି। ଭୋର ୫ଟାରୁ ଉଠି ଦେଖିଲାବେଳକୁ ସ୍ତ୍ରୀ ଘରେ ନାହିଁ। ବାଡ଼ି ଆଡ଼କୁ ଯାଇ ଦେଖିବାରୁ ପୋଡ଼ିହୋଇ ମରିପଡ଼ିଥିବା ଦେଖିବାକୁ ପାଇଲି। ଅନ୍ୟ ଘରେ ଶୋଇଥିବା ସାନପୁଅ ପ୍ରମୋଦକୁ ଯାଇ ଡାକିଲି ବୋଲି ସେ ସୂଚନା ଦେଇଛନ୍ତି।
ମଙ୍ଗଳପୁର ଆଇଆଇସି ରୀନାରାଣୀ ସାହୁ, ଏସ୍ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ, ଏଏସଆଇ ଚନ୍ଦନ ମହାନ୍ତି, ସଂଯୁକ୍ତା ପଣ୍ଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପରେ ଯାଜପୁର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ପୋଡ଼ା ଶାଢ଼ି, ତାଳ ବରଡ଼ା ଓ ଛଣକୁ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି।