ମହିଳାଙ୍କୁ ହତ୍ୟା ପରେ ପୋଡ଼ିଦେଲେ,୪ ଦିନ ପରେ ଜଙ୍ଗଲ ବୁଦାରୁ ମିଳିଲା ମୃତଦେହ

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନାଠାରୁ ୨ କିମି ଦୂର ଦୁବୁଲାବେଡ଼ା ଗାଁ’ର ଏକ ଜଙ୍ଗଲ ବୁଦାରୁ ଜଣେ ଅପରିଚିତା ବିବାହିତ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଛି। ଆଜି ସକାଳେ ଘୁଷୁରି ଚରାଳି ବୁଦା ଭିତରେ ମହିଳାଙ୍କ ପୋଡ଼ା ମୃତଦେହ ଦେଖି ଭୟରେ ଚିତ୍କାର କରିବା ପରେ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଖବର ପାଇ ରାଇରଙ୍ଗପୁର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳାଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ। ତାଙ୍କର ଗୋଟିଏ ହାତ ପାପୁଲି ନଥିବାବେଳେ ମୁହଁକୁ ଏସିଡ୍‌ କିମ୍ବା କୌଣସି ଦହନଶୀଳ ରାସାୟନିକ ପଦାର୍ଥରେ ଜାଳି ଦିଆଯାଇଛି।

ତେବେ ଘଟଣାଟି ୨/୩ ଦିନ ତଳେ ଘଟିଥିବା ପୁଲିସ ଅନୁମାନ କରିଛି। ଘଟଣାସ୍ଥଳ ଚାରିପଟେ ବିଦ୍ୟାଳୟ, ଖେଳପଡିଆ, ଆବାସିକ ଘର, ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ, ଭାରତ ଗ୍ୟାସ ଗୋଦାମ ଘର, ଅଙ୍ଗନବାଡ଼ି କେନ୍ଦ୍ର, ଘରୋଇ ବିଦ୍ୟାଳୟ ଛାତ୍ରାବାସ ରହିଛି। ସକାଳେ ଖେଳ ପଡ଼ିଆରେ ଲୋକମାନେ ବ୍ୟାୟାମ, ଖେଳ କସରତ ମଧ୍ୟ କରନ୍ତି। ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଜଣେ ମହିଳାଙ୍କ ବୀଭତ୍ସ ମୃତଦେହ ଠାବ କରାଯିବା ପୁଲିସକୁ ସଂଶୟରେ ପକାଇଛି। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଶବକୁ ପୋଡ଼ି ଦେଇଛନ୍ତି।  ସନ୍ଧାନୀ କୁକୁର, ବାରିପଦାରୁ ସାଇଣ୍ଟିଫିକ ଟିମ୍ ସହିତ ପୁଲିସ ଘଟଣାର ତଦନ୍ତ ଚଳାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତ ମହିଳାଙ୍କର ପରିଚୟ ମିଳିପାରିନଥିଲା। ଏ ନେଇ ରାଇରଙ୍ଗପୁର ଟାଉନ ଥାନା କେସ୍‌ ନଂ ୧୩୨/୨୨ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର