କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜେଏସ୍ ଜାମଡ଼ିହା ପଞ୍ଚାୟତ ଅନ୍ତର୍ଗତ ଜୁନୁପାଳ ଗାଁ ଛକରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ପୁଣି ସମସ୍ତଙ୍କ ସାମ୍ନାରେ ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଛି ଦୁର୍ବୃତ୍ତ। ମୃତ ମହିଳା ଜଣକ ହେଲେ ଭଣ୍ତାରିପାଳ କଣ୍ଟାଗଡ଼ି ଗ୍ରାମର ସଚ୍ଚିନ୍ଦ୍ର ପ୍ରଧାନଙ୍କ ପତ୍ନୀ ପଦ୍ମିନୀ (୩୭)। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ସୂଚନା ମୁତାବକ, ପଦ୍ମିନୀ ଆଜି କୌଣସି କାମରେ ଉଦଳା ଯାଇଥିଲେ। କାମ ସାରି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ବସ୍ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଜୁନୁପାଳ ଗାଁ ଛକରେ ଓହ୍ଲାଇଥିଲେ। ଠିକ୍ ଏହି ସମୟରେ ଜଣେ ଦୁର୍ବୃତ୍ତ ପଛପଟୁ ଧାଇଁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଚୋଟ ପକାଇବା ସହ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା। ପଦ୍ମିନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଉପସ୍ଥିତ ଲୋକେ ଦେଖଣାହାରୀ ସାଜିଥିଲେ। ପରେ ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ୩୧୩/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପଦ୍ମିନୀ କିମ୍ବା ତାଙ୍କ ପରିବାରର କାହା ସହ ଶତ୍ରୁତା ଥିଲା, ସେ ସଂପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଚାଲିଛି। ତେବେ ଏହି ଅଞ୍ଚଳରେ କାଠ କାମ କରୁଥିବା ଜଣେ ଯୁବକ ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି।