ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ମୃତକ ହେଲେ ରାହୁଲ ବାଉରୀ(୨୮) ବ୍ୟବସାୟିକ ଶତ୍ରୁତା ଏହାର କାରଣ ବୋଲି ପୋଲିସ କହିଛି। ହେଲେ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରି ଅଭିଯୁକ୍ତ ବିଫଳ ହୋଇଛି। ଅଭିଯୁକ୍ତ ତୈମୁରୁଦ୍ଧିନ ଖାଁଙ୍କୁ ଗିରଫ କରିବା ପରେ ସବୁ ସତ ପଦାକୁ ଆସିଛି।
ପଶ୍ଚିମବଙ୍ଗ ବାଙ୍କୁଡା ଅଂଚଳର ଫେରିବାଲା ରାହୁଲ ବାଉରୀ ରାଇରଙ୍ଗପୁରର ବିଭିନ୍ନ ଅଂଚଳରେ ବାଇକ ଯୋଗେ ବୁଲି ବୁଲି ଗାଁ ଦୋକାନୀଙ୍କୁ ପାଉଁରୁଟି ଯୋଗେଇଥାନ୍ତି। ତେବେ ଗତ ୧୫ ତାରିଖ ବାଦାମପାହାଡ଼ ଥାନା ଜୋରଦା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ନିଛାଟିଆ ସ୍ଥାନରେ ଜଣେ ପାଉଁରୁଟି ବିକାଳୀଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଥିଲା। ତାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା ।
ମୃତକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁଡା ଅଞ୍ଚଳରେ ବୋଲି ଜଣାପଡିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ହତ୍ୟାକାରୀ ମଧ୍ୟ ତାଙ୍କ ଅଞ୍ଚଳର ଜଣେ ବେପାରୀ ବନ୍ଧୁ ବୋଲି ସ୍ପଷ୍ଟ ହୋଇଥିଲା। ସାତପଉଟିଆ ଅଂଚଳରେ ରହୁଥିବା ପଶ୍ଚିମବଙ୍ଗ ବାଙ୍କୁଡା ଅଂଚଳର ବେପାରୀ ତୈମୁରୁଦ୍ଧିନଙ୍କୁ ଗିରଫ ପରେ ବ୍ୟବସାୟିକ ଶତ୍ରୁତା ଯୋଗୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ରାହୁଲ ବାଉରି ପାଉଁରୁଟି ବିକ୍ରି କରିବାରୁ ତୈମୁରୁଦ୍ଧିନଙ୍କ ବେପାରରେ ମାନ୍ଦା ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ତୈମୁରୁଦ୍ଧିନ ରାହୁଲଙ୍କ ରାସ୍ତାରୁ ହଟେଇବା ନେଇ ଯୋଜନା କଲା।
ରାହୁଲ ସକାଳୁ ପାଉଁରୁଟି ବିକ୍ରି କରି ଫେରୁଥିବା ବେଳେ ଠେଙ୍ଗାରେ ପିଟି ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିଲା। ପୋଲିସ ଅଭିଯୁକ୍ତ ତୈମୁରୁଦ୍ଧିନ ଖାଁଙ୍କୁ ଗିରଫ କରିବା ସହ ନାଳରେ ଲୁଚାଇ ରଖିଥିବା ଧାରୁଆ ଅସ୍ତ୍ର ଓ ଠେଙ୍ଗାକୁ ଜବତ କରିଛି। ଏନେଇ ଶନିବାର ରାଇରଙ୍ଗପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ୱାଳ ଏହା କହିଛନ୍ତି। ଏସଡିପିଓ ରତିକାନ୍ତ ଗିରି,ବାଦାମପାହାଡ଼ ଥାନା ଅଧିକାରୀ ଏ.କେ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ବାଦାମପାହାଡ଼ ଥାନାରେ ନଂ ୧୪୦/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି ।