ଗୋଠପଡ଼ିଆ ହତ୍ୟାକାଣ୍ଡ: ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ

ଖୋର୍ଦ୍ଧା: ଛଅ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ତାଳପଡ଼ା ଗୋଠପଡ଼ିଆରେ ଘଟିଥିବା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟ ପ୍ରଧାନ ନିରାକାରପୁର ଥାନା ତାଳପଡ଼ାର ହତ୍ୟାକାରୀ କୃତ୍ତିବାସ ପାଇକରାୟଙ୍କୁ ଯାବତ୍‌ଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ୧୦ହଜାର  ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଛଅ ମାସ ଜେଲ୍ ଦଣ୍ଡାଦେଶ ପାଇଁ ରାୟରେ ସ୍ପଷ୍ଟ କରାଯାଇଛି।

 

ମାମଲାରୁ ବିବରଣୀରୁ ଜଣାଯାଏ ଯେ, ୨୦୧୮ ମସିହା ଜାନୁଆରି ୨୦ତାରିଖ ଦିନ ଘଟିଥିଲା। ଟାଙ୍ଗୀ ବ୍ଲକ୍‌ ତାଳପଡ଼ା ଗୋଠପଡ଼ିଆକୁ ବଡ଼ପୋଖରିଆ ପଞ୍ଚାୟତର ତତ୍କାଳୀନ କୃଷି ବିଭାଗର ଭିଏଲ୍‌ଡବ୍ଲୁ ପ୍ରତାପ ସାହୁ ଧାଡ଼ିରୁଆ ଧାନ ଚାଷ ଉପରେ ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ଯାଇଥିଲେ। ସେଠାରେ ଚାଷୀମାନଙ୍କୁ ନେଇ ଶ୍ରୀ ସାହୁ ଆଲୋଚନା କରୁଥିବା ବେଳେ ତାଳପଡ଼ା ଗାଁର ଅଭିଯୁକ୍ତ କୃତ୍ତିବାସ ହଠାତ୍‌ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ। ଆମକୁ କାହିଁକି ବୈଠକକୁ ଡକାଯାଇନାହିଁ, ଧାଡ଼ିରୁଆ ସହାୟତା ଆମକୁ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରି ସରକାରୀ କର୍ମଚାରୀ ଶ୍ରୀ ସାହୁଙ୍କ ସହ ଝଗଡ଼ା କରିଥିଲେ। ଏହି ସମୟରେ ତାଳପଡ଼ାର ଚରଣ ପ୍ରଧାନ ଏ ଝଗଡ଼ାକୁ ବିରୋଧ କରିଥିଲେ। ଦୁଇ ଜଣଙ୍କର ଝଗଡ଼ାରେ ତୃତୀୟ ପକ୍ଷର ପ୍ରବେଶ ଚରଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଘଟଣାସ୍ଥଳରେ ରାଗ ତମ୍‌ତମ୍‌ ଥିବା ଅଭିଯୁକ୍ତ କୃତ୍ତିବାସ ଏକ ଛୁରୀ ବାହାର କରି ଚରଣଙ୍କ ପେଟ ଓ ଛାତିକୁ ଭୁଷି ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚରଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

ମୃତ ଚରଣଙ୍କ ଭାଇ ପଙ୍କଜ ପ୍ରଧାନଙ୍କ ଏତଲା କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି କୃତ୍ତିବାସକୁ ଗିରଫ କରିଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ମାମଲାର ବିଚାର ଚାଲିଥିଲା, ଯାହାର ଶୁଣାଣି ଆଜି ପ୍ରକାଶ ପାଇଛି। ଦଫା ୩୦୨(ହତ୍ୟା)ରେ କୋର୍ଟ କୃତ୍ତିବାସଙ୍କୁ ଆଜୀବନ ଜେଲ୍ ଓ ୧୦ହଜାର  ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଛଅ ମାସ ଜେଲ୍ ଦଣ୍ଡାଦେଶ ପାଇଁ ରାୟରେ ସ୍ପଷ୍ଟ କରାଯାଇଛି। ସେହିପରି ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ କୋର୍ଟ ଦଫା ୩୩୨ରେ ଏକବର୍ଷ ଜେଲ୍ ଓ ୫୦୦ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ମାସ ଜେଲ୍ ଦଣ୍ଡାଦେଶ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ମାମଲାର ପରିଚାଳନା ପିପି ରଜନୀକାନ୍ତ ପଟ୍ଟନାୟକ ଓ ଅନିଲ୍‌ କୁମାର ପଟ୍ଟନାୟକ କରୁଥିଲେ। 

ସମ୍ବନ୍ଧିତ ଖବର