ମନ୍ତ୍ରୀଙ୍କ ଭାଇ ସୁବ୍ରତଙ୍କୁ ଆକ୍ରମଣ ମାମଲା : ବନାବିରା ସହ ସମ୍ବଲପୁର ଲିଙ୍କ୍‌!

ବରଗଡ଼ : ସୋହେଲା ଥାନା ଅନ୍ତର୍ଗତ ବନାବିରା ଗାଁରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସାନଭାଇ ସୁବ୍ରତ ସିଂଙ୍କ ସମେତ ସହଯୋଗୀ କାର୍ତିକ ନାଗ, ଖଗେଶ୍ୱର ମହାଲିକ ଏବଂ ଡ୍ରାଇଭର ମାଗି ସାହୁ ଗୁରୁତର ଆହତ ହୋଇଥିଲେ। ତେବେ ଡ୍ରାଇଭର ମାଗି ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ସ୍ଥିତି ଆହୁରି ସମ୍ବେଦନଶୀଳ ହୋଇଯାଇଛି। ମାମଲାର ଏଫ୍‌ଆଇଆର୍‌ରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସହ ୫ଜଣଙ୍କ ନାମ ରହିଛି। ତେବେ ଏଥିରୁ ୩ଜଣ ସୋହେଲା ଅଂଚଳର ବାସୁଦେବ ନାଏକ ଓରଫ ବାବୁ, ଗୁଡ୍ଡୁ ଓରଫ ଦିଗବିଜୟ ଏବଂ ଜୟପ୍ରକାଶ ଅଗ୍ରଓ୍ଵାଲ ଗିରଫ ହୋଇସାରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ୍‌ ଚଢ଼ଉ ଜାରି ରଖିଥିଲେ ହେଁ ସଫଳତା ମିଳିନାହିଁ। ତେବେ ଏହି ଘଟଣାରେ ସମ୍ବଲପୁର ଲିଙ୍କ ଥିବା ଜଣାପଡ଼ୁଛି।

ଘଟଣାସ୍ଥଳରୁ ଜବତ ହୋଇଥିବା ଓଡି ୧୫ସି ୮୨୦୬ ନମ୍ବର ବିଶିଷ୍ଟ କଳା ରଂଗର ବୁଲେଟ ଏହି ତଥ୍ୟ ଦେଉଛି। ଜବତ ବୁଲେଟର ନେମପ୍ଲେଟରେ ‘ଏଡ୍‌ଭୋକେଟ୍‌’ ଲେଖା ରହିଛି। ରାଜ୍ୟ ପରିବହନ ନିଗମର ଓ୍ଵବ୍‌ ସାଇଟ୍‌ର ତଥ୍ୟ ଆଧାରରେ ବୁଲେଟ୍‌ ମାଲିକ ସମ୍ବଲପୁର ସହର ଗୋଲବଜାର (ନୟାପଡ଼ା)ର ବୋଲି ଉଲ୍ଲେଖ ରହିଛି। ୨୦୧୫ ଜାନୁଆରି ୧୯ ତାରିଖ ଏହା କିଣା ଯାଇଥିଲା। ତେବେ ଉକ୍ତ ବୁଲେଟ୍‌ ମାଲିକ ବିଜେପୁର ଉପନିର୍ବାଚନ ସମୟରେ ସମ୍ବେଦନଶୀଳ ଇଲାକାରେ କ’ଣ କରୁଥିଲେ, ତାକୁ ନେଇ ନାନାଦି ଚର୍ଚ୍ଚା ମୁଣ୍ଡ ଟେକିଛି। ମାଲିକ ଜଣକ ଗୋଟିଏ ପ୍ରମୁଖ ରାଜନୈତିକ ଦଳର ସକ୍ରିୟ କର୍ମୀ ବୋଲି ମଧ୍ୟ ଜଣାପଡ଼ିଛି। ପୁଲିସ୍‌ ପ୍ରସ୍ତୁତ କରିଥିବା ୧୭ଜଣ ସନ୍ଦିଗ୍ଧଙ୍କ ତାଲିକାରେ ମଧ୍ୟ ତାଙ୍କ ନାମ ରହିଥିବା କୁହାଯାଉଛି।

ମାଗି ସାହୁଙ୍କ କଟକ ବଡ଼ମେଡିକାଲରେ ମୃତ୍ୟୁ ଘଟିବା ପରେ ପୁଲିସ୍‌ ହତ୍ୟା ମାମଲା ( ଦଫା ୩୦୨) ଯୋଡ଼ିଛି। ତେଣୁ ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ରାଜନୈତିକ ତିକ୍ତତା ଆଗାମୀ ଦିନରେ ବିସ୍ଫୋରକ ରୂପ ଧାରଣ କରିବା ଆଶଂକା ରହିଛି। ତେଣୁ ପୁଲିସ୍‌ ସମ୍ବେଦନଶୀଳ ଇଲାକାରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଫୋର୍ସ ୪/୫ ଦିନ ଅଧିକ ଫୋର୍ସ ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର