ଭୁବନେଶ୍ବର: ନିଶା କାରବାରର ହବ୍‌ ବୋଲି କୁହାଯାଉଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି ଅନୁଗୁଳରେ ଡିଲ୍‌ କରୁଥିବା ବେଳେ ମୋଷ୍ଟ୍‌ ଵାଣ୍ଟେଡ୍‌ ନିଶାମାଫିଆ ରକିକୁ ମାଡ଼ିବସିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଅନୁଗୁଳରେ ରହୁଥିବା ତା’ର ଜଣେ ସହଯୋଗୀକୁ ମଧ୍ୟ ଏସ୍‌ଟିଏଫ୍‌ କାବୁ କରିଛି। ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଉଛି। ରକି ପାଖରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରଯାଇଥିବା ଜଣାପଡ଼ିଛି।

Advertisment

ଓଡ଼ିଶାରେ ନିଶା କାରବାରର ପେଣ୍ଠସ୍ଥଳ ରୂପେ ଖୋର୍ଦ୍ଧା, ଜଟଣୀ ଓ ବାଲେଶ୍ବରର ଅପଖ୍ୟାତି ରହିଛି। ଏଠାରେ ନିଶା ମାଫିଆଙ୍କ ଉପରେ ପୁଲିସ କଡ଼ା ନଜର ରଖୁଛି। ଏହି ସହରମାନଙ୍କରେ ବାରମ୍ବାର ଚଢ଼ଉ ହେଉଥିବାରୁ ଏଥିରୁ ରକ୍ଷା ପାଇବା ଲାଗି ମୁର୍ଶିଦାବାଦର ଏହି ମୋଷ୍ଟ ୱାଣ୍ଟେଡ୍ ରକି ଅନୁଗୁଳକୁ ନିରାପଦ ସ୍ଥାନ ଭାବେ ବାଛିନେଇଥିଲା। ସେ ଜାମଶୋଳା ତନଖି ଫାଟକ ଦେଇ ଅନୁଗୁଳ ଆସୁଥିଲା। ଅନୁଗୁଳରେ ରହି ପ୍ରସ୍ତୁତ କରୁଥିଲା ଅପରାଧର ବ୍ଲୁପ୍ରିଣ୍ଟ। ସମ୍ପୃକ୍ତ ଅଞ୍ଚଳରେ ବିଶ୍ବସ୍ତ ଲୋକଙ୍କୁ ଚୟନ କରିବା ପରେ ତା’ ସହ ଡିଲ୍‌ କରୁଥିଲା। ପୁଲିସକୁ ଚକ୍‌ମା ଦେଇ ସେ ନିଶାଦ୍ରବ୍ୟ ଚାଲାଣର ରୁଟ୍‌ ବଦଳାଇବାକୁ ମାୟାଜାଲ ତିଆରି କରୁଥିଲା।

ଅନୁଗୁଳରେ କାରବାରର ଟେର୍‌ ଯେପରି ପୁଲିସ ନପାଇବ, ସେଥିପାଇଁ ବାରମ୍ବାର ବେଶ ବଦଳାଇ ଫେରିବାଲା ହୋଇ ରେକି କରୁଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରକି ନିଜେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ ବ୍ରାଉନସୁଗାର ଆଣୁଥିଲା କିମ୍ବା ସେଠାରୁ ବ୍ରାଉନସୁଗାର ତିଆରି କୌଶଳ ଶିଖି ନିଜେ ଏହି ନିଶାଦ୍ରବ୍ୟ ପ୍ରସ୍ତୁତ କରୁଥିଲା। ଏହାପରେ ସେ ମୁର୍ଶିଦାବାଦରୁ ବିଭିନ୍ନ ରାଜ୍ୟକୁ ପଠାଉଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି। ରକି ଧରାପଡ଼ିବା ପରେ ନିଶା କାରବାରର ବିଦେଶୀ ଲିଙ୍କ୍‌ ଖୋଲିବା ନେଇ ତଦନ୍ତକାରୀ ସଂସ୍ଥା ଆଶାବାଦୀ ଅଛି। ଟିମ୍ ମୁର୍ଶିଦାବାଦ ଯାଇ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ରକି ଓଡ଼ିଶାରେ ଗିରଫ ହୋଇଥିବା ସୂଚନା ପଶ୍ଚିମବଙ୍ଗ ପୁଲିସକୁ ଜଣାଇ ଦିଆଯାଇଥିବା ବେଳେ ସେଠାରୁ ମଧ୍ୟ ଖୁବ୍‌ଶୀଘ୍ର ଏକ ଟିମ୍ ଏଠାକୁ ଆସିବ ବୋଲି ଜଣାପଡ଼ିଛି। ରକିର ଆର୍ଥିକ କାରବାର ଦେଖି ତଦନ୍ତକାରୀ ଟିମ୍ ଜଳକା ହୋଇଯାଇଛି। ସେ ଲକ୍ଷଲକ୍ଷ ଟଙ୍କାର ବ୍ୟାଙ୍କ କାରବାର କରିଥିବା ଜାଣିବାକୁ ପାଇଛି। ରକିଠାରୁ ଜବତ ମୋବାଇଲ ଫୋନ୍‌ରୁ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପୁଲିସ ସୂଚନା ମୁତାବକ, ୧୩ ବର୍ଷ ଧରି ରକି ନିଶା କାରବାରରେ ସଂପୃକ୍ତ ରହିଛି। ପୂର୍ବରୁ ସେ ପଶ୍ଚିମବଙ୍ଗ ପୁଲିସ ଦ୍ବାରା ମଧ୍ୟ ଧରାପଡ଼ିଥିଲା।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ରୁ ନିଶା କାରବାର ବିରୋଧରେ ଏସ୍‌ଟିଏଫ୍‌ ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି। ଏପର୍ଯ୍ୟନ୍ତ ୭୫ କୋଟି ଟଙ୍କାର ୭୫ କେଜି ବ୍ରାଉନସୁଗାର ଜବତ ହୋଇଛି। ସେହିପରି ୫୦ ଲକ୍ଷ ଟଙ୍କାର ୨୦୨ ଗ୍ରାମ କୋକେନ ଜବତ ହୋଇଛି। ନିଶା କାରବାରରେ ଏପର୍ଯନ୍ତ ମୋଟ୍‌ ୧୯୫ଜଣଙ୍କୁ ଗିରଫ କରାଯାଇଛି।