ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର, ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଭଦ୍ରକର ମୁର୍ସିଦ

ଭଦ୍ରକ: ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ପୂରଣ ହେବ ଅଭାବି ପରିବାରର ଆଶା । ପୁୁଅ ଡାକ୍ତର ହେଲେ ଦୂର ହେବ ଦୁଃଖ । ବାପା ଦୁର୍ଘଟଣାର ଶିକାର ହେବା ପରେ ସାନ ଭାଇକୁ ଡାକ୍ତର କରିବା ପାଇଁ ପାଠ ପଢା ଛାଡି ବାପାଙ୍କ ଟ୍ରଲି ଧରିଥିଲେ ବଡ ଭାଇ । ବାପା ଓ ବଡ ଭାଇଙ୍କ ପରିଶ୍ରମକୁ ସାର୍ଥକ କରିଛନ୍ତି ଭଦ୍ରକ ପୁରୁଣାବଜାର କାଜି ମହଲା ସାହିର ଟ୍ରଲି ଚାଳକ ମଇରାଜ ଖାଁଙ୍କ ପୁଅ ମୁର୍ସିଦ୍ ଖାଁ । ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଭଦ୍ରକର ମୁର୍ସିଦ୍ ।

ମୁର୍ସିଦଙ୍କ ବାପା ମଇରାଜ ଟ୍ରଲି ଚଳାଇ ଯାହା ରୋଜଗାର କରିଥାନ୍ତି ସେଥିରେ ଚାରି ପୁଅ ଓ ଦୁଇ ଝିଅଙ୍କୁ ପାଠ ପଢାଇବା ସହ ପରିବାର ଚଳାନ୍ତି । ୨୦୦୭ରେ ମଇରାଜ ଏକ ଦୁର୍ଘଟଣାରେ ଶିକାର ହେବା ପରଠୁ ଆଉ ଟ୍ରଲି ଚଳାଇ ପାରୁନାହାନ୍ତି । ବଡ଼ ପୁଅ ରିୟାଜ଼ ପରିବାର ବୋଝ ନିଜ ମୁଣ୍ଡକୁ ନେଇଛନ୍ତି । ରିୟାଜ଼ ଟ୍ରଲି ଧରି ବାହାରି ପଡନ୍ତି ଭଦ୍ରକ ଚରମ୍ପା ଷ୍ଟେସନକୁ, ଜିନିଷ ପତ୍ର ଟ୍ରଲିରେ ବୋହି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଖାଇବା ସହ ସାନ ଭାଇ ମୁର୍ସିଦକୁ ଡାକ୍ତର କରାଇବା ପାଇଁ ପାଠ ପଢାଇଛନ୍ତି । ମୁର୍ସିଦକୁ ଡାକ୍ତରୀ ପଢିବା ପାଇଁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପରିବାରରେ ଖୁସି କହିଲେ ନସରେ ।

ମୁର୍ସିଦ ଡାକ୍ତର ହୋଇ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରାତି ଦିନ ଏକ କରି ଟ୍ରଲି ଚଳାଇ ତାଙ୍କୁ ମଣିଷ କରିଥିବା ବଡ଼ ଭାଇ ରିୟାଜ଼ଙ୍କ ଆର୍ଥିକ ପରିସ୍ଥିତିକୁ ମଜଭୁତ କରିବେ ବୋଲି କହିଛନ୍ତି । ସେହିପରି ମୁର୍ସିଦ ବହୁ ପରିଶ୍ରମ କରିବା ସହ ଟ୍ରଲି ଚଲାଇ ମୁର୍ସିଦକୁ ମଣିଷ କରିଥିବା ବଡ଼ ପୁଅ ପାଇଁ ଗର୍ବ କରନ୍ତି ତାଙ୍କ ମା’ । ମୁର୍ସିଦଙ୍କ କୃତକାର୍ଯ୍ୟ ପାଇଁ ସାରା ଅଞ୍ଚଳ ଚର୍ଚ୍ଚାକୁ ଆସିଥିବା ବେଳେ ଆଗକୁ ମୁର୍ସିଦ ନିଶ୍ଚିତ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବନ୍ଧିତ ଖବର