ଆନନ୍ଦପୁର: ଏପ୍ରିଲ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ଜାରି ରହିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପାଣି ସମସ୍ୟା ଉତ୍କଟ ହୋଇଛି। ମୁଷଳ ନଦୀ ଓ ଝାଡ଼େଶ୍ବର ଝରଣା ଶୁଖି ଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଜୀବନରେଖା ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇଛି। ଉପରମୁଣ୍ଡ ସିଂହନାଳୀ ନିକଟରେ ନିର୍ମାଣ ହୋଇଥିବା ଜଳ ବିଦ୍ୟୁତ୍ ପ୍ରକଳ୍ପ ନଦୀଜଳକୁ ଅଟକାଉ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ବୈତରଣୀ ଉପରେ ଭରସା କରୁଥିବା ତଳମୁଣ୍ଡର ଜନସାଧାରଣ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବୈତରଣୀ ନଦୀରେ ଯେଉଁଠି ଦିନେ ବଡ଼ ଗଣ୍ଡ ଥିଲା, ଏବେ ସେଠାରେ ପାଦ ଭିଜିଲା ପରି ପାଣି ଥିବା ଦେଖିବାକୁ ମିଳୁଛି। ଝାଡ଼େଶ୍ବର ଘାଟ, ରାଜଘାଟ, ଖପରାଖାଇ ନିକଟସ୍ଥ ଘାଟରେ କେଉଁଠି ବାଲି ଦେଖାଯାଉଛି ତ କେଉଁଠି ମାତ୍ର ଫୁଟେ ଦୁଇଫୁଟ ପାଣି ରହୁଛି। ୬/୭ବର୍ଷ ହେଲା ଗ୍ରୀଷ୍ମଋତୁରେ ବୈତରଣୀ ନଦୀରେ ଏଭଳି ସ୍ଥିତି ସୃଷ୍ଟି ହେଉଛି। ଚଳିତବର୍ଷ ଜଳସ୍ତର ମଧ୍ୟ ସମସ୍ତ ରେକର୍ଡ ଭାଙ୍ଗିଛି। ଆନନ୍ଦପୁର ରାଜଘାଟରେ ବୈତରଣୀ ନଦୀର ଜଳସ୍ତର ଗତ ୫ ତାରିଖରେ ୩୨.୦୨୦ ମିମି, ୬ରେ ୩୨.୦୨୦ ମିମି, ୭ରେ ୩୨.୦୨୦ ମିମି, ୮ରେ ୩୨ ମିମି, ୯ରେ ୩୨ ମିମି, ୧୦ରେ ୩୧.୯୭୦ ମିମି, ୧୧ରେ ୩୧.୯୮୦ ମିମି ଏବଂ ଆଜି ୩୧.୯୮୦ ମିମି ରହିଛି। ଗୋହିରା ପଞ୍ଚାୟତ କଲାବିଲା ବନ୍ଧହୁଡ଼ି ନିକଟରୁ ବାହାରିଥିବା ଝାଡ଼େଶ୍ବର ଝରଣା ଏବେ ସମ୍ପୂର୍ଣ୍ଣ ଶୁଖିଯାଇଛି। ସୁନାଟାଙ୍ଗିରି, ଗୋହିରା, ଇନ୍ଦୁପୁରା ଦେଇ ଯାଇଥିବା ଏହି ଝରଣା ଝାଡ଼େଶ୍ବର ମନ୍ଦିର ନିକଟରେ ବୈତରଣୀ ନଦୀରେ ମିଶିଛି। ପ୍ରତିବର୍ଷ ଝରଣାରେ କିଛି ପାଣି ରହୁଥିଲା। ଚଳିତବର୍ଷ ଏହା ସମ୍ପୂର୍ଣ୍ଣ ଶୁଖିଯାଇଛି।
ସେହିପରି ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ ଟିକିରା ନିକଟରେ ଥିବା ମୁଷଳ ନଦୀର ‘ସାପଘର’ ଜଳପ୍ରପାତ ଶୁଖିଲା ପଡ଼ିଛି। ଗତବର୍ଷ ଏପ୍ରିଲରେ ଏଠାରେ ଯଥେଷ୍ଟ ପାଣି ରହିଥିଲା। ପର୍ଯ୍ୟଟକମାନେ ଗରମରୁ ରକ୍ଷା ପାଇବା ପାଇଁ ଝରଣାରେ ଗାଧୋଉଥିଲେ। ଚଳିତବର୍ଷ ମାର୍ଚ୍ଚ ଆରମ୍ଭରୁ ଝରଣା ଶୁଖି ଯାଇଥିବାରୁ ଭୋଜି କରିବାକୁ ଆସୁଥିବା ଆଗନ୍ତୁକ ନିରାଶ ହେଉଛନ୍ତି। ଗତକାଲି କଇନିପୁରାର ସାଜନ କୁମାର ସାହୁ, ଦେବବ୍ରତ ବେହେରା, ସୁନୀଲ କୁମାର ସାହୁ, ସୌମ୍ୟରଂଜନ ବେହେରା, ଟିଟୁନ ପୁହାଣ, ଶେଷଦେବ ସାହୁ ଝରଣାକୁ ଗାଧୋଇବାକୁ ଯାଇ ନିରାଶ ହୋଇ ଫେରିଥିଲେ। କନ୍ତୋ ନିକଟରେ ମୁଷଳ ନଦୀଶଯ୍ୟା ମଧ୍ୟ ଶୁଖିଲା ପଡ଼ିଛି। ଝରଣାଗୁଡିକ ଶୁଖିଯିବା ଯୋଗୁଁ ଏହାର ପ୍ରଭାବ ବୈତରଣୀ ନଦୀ ଉପରେ ପଡ଼ିଛି।
ଏପଟେ ସିଂହନାଳୀଠାରେ ନିର୍ମାଣ ହୋଇଥିବା ବୈତରଣୀ ପାୱାର ପ୍ରକଳ୍ପ କର୍ତ୍ତୃପକ୍ଷ ପାଣି ଅଟକାଇ ନିଜ ଇଚ୍ଛା ଅନୁସାରେ ଛାଡ଼ୁଥିବାରୁ ନଦୀରେ ପାଣି ରହୁନି। ତଳମୁଣ୍ଡରେ ନଦୀ ଉପରେ ନିର୍ଭର କରୁଥିବା ଲୋକେ ସ୍ନାନଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୈତରଣୀର ଘସିପୁରା ଝାଡ଼େଶ୍ବର ଘାଟରେ ଲୋକେ ସ୍ନାନ କରୁଥିଲେ। ସପ୍ତାହେ ହେଲା ଏଠାରେ ପାଣି ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ତ୍ରିଲୋଚନ ସାହୁ, ନିରଞ୍ଜନ ସାହୁ କହିଛନ୍ତି। ବୈତରଣୀର ଏଭଳି ସ୍ଥିତି କେବେ ଦେଖି ନଥିଲୁ ବୋଲି ହାଟଡିହି ବ୍ଲକ୍ ତରଭା ଗ୍ରାମର ତୁଷାର ପଣ୍ଡା କହିଛନ୍ତି।