ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ସକାଳେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ | ଆଗାମୀ ଏପ୍ରିଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ | ତେବେ ମଧୁବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହ ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମପୀଠ ଓ କର୍ମଭୂମିକୁ ଏକ ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ସୂଚନାଯୋଗ୍ୟ ଯେ କଲିକତାରୁ ଫେରିବା ପରେ ମଧୁବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ।

ଜନ୍ମପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।  ଏଠାରେ ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ହେବ ଏବଂ ଏକ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ।ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତିର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ। ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟର ବିକାଶ କରାଯିବ।

ସମ୍ବନ୍ଧିତ ଖବର