ଆଦିବାସୀଙ୍କ ରୋଜଗାର ପାଲଟିଛି ଜଙ୍ଗଲି ଛତୁ

facebook.com

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଆଷାଢ଼ରୁ ଭାଦ୍ରବ ମାସ ପର୍ଯ୍ୟନ୍ତ ଥିବା ଜଙ୍ଗଲ ଗୁଡିକରୁ ବିଭିନ୍ନ ପ୍ରକାର ଛତୁ ଫୁଟିଥାଏ। ଆଦିବାସୀ ମହିଳା ମାନେ ଏହି ଛତୁ ସଂଗ୍ରହ କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ନବରଙ୍ଗପୁର ଜିଲ୍ଲାରୁ ବାହାରୁଥିବା ଛତୁର ଚାହିଦା ପଡୋଶୀ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ରହିଛି। ଅନ୍ୟପଟେ ଶ୍ରାବଣ ମାସ ସରିବା ପରେ ମଧ୍ୟ ଶ୍ରାବଣ ଛତୁ ମିଳୁଥିବାରୁ ଏହି ଛତୁ ପ୍ରତି ଲୋକଙ୍କ ଅଧିକ ଚାହିଦା ରହିଛି।

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏହି ୩ ମାସ ବୋଡା, କୁଟୁରାସିଙ୍ଗି, ଶ୍ରାବଣ, ବାଲିସୁରିଆ ଭଳି ଛତୁ ଫୁଟିଥାଏ। ବାଲିସୁରିଆ ଏବଂ କୁଟୁରାସିଂ ଛତୁ କମ୍‌ ସମୟ ପାଇଁ ମିଳୁଥିବା ବେଳେ ବୋଡ଼ା ଓ ଶ୍ରାବଣ ଛତୁ ବହୁ ଦିନ ପର୍ଯ୍ୟନ୍ତ ମିଳୁଥିବାରୁ ଏହି ଛତୁର ଚାହିଦା ଅଧିକ ରହିଛି। ବର୍ଷା ଆରମ୍ଭରୁ ଆଷାଢ଼ ମାସରେ ବଜାରରେ ବୋଡା ଛତୁ ବାହାରିଥାଏ। ସେହିପରି ଶ୍ରାବଣ ମାସରେ ଶ୍ରାବଣ ଛତୁ ବାହାରିଥାଏ। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, କୋଷାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ଉମରକୋଟ , ଝରିଗାଁ ଓ ଡାବୁଗାଁ ଆଦି ଅଞ୍ଚଳରେ ଥିବା ଜଙ୍ଗଲରୁ ଶ୍ରାବଣ ଛତୁ ବାହାରିଥାଏ। ଅନ୍ୟ ଛତୁ ତୁଳନାରେ ଶ୍ରାବଣ ଛତୁର ଚାହିଦା ଅଧିକ ରହିଥାଏ। ଏହି ଛତୁ ବଜାରକୁ ଆସିବା ବେଳେ କିଲୋ ୮ଶହରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ। ବର୍ତମାନ ବଜାରରେ ଶ୍ରାବଣ ଛତୁ କିଲୋ ୪ଶହ ରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

Zambia Daily Mail

ବର୍ଷା ଦିନ ଆସୁ ଆସୁ ଜଙ୍ଗଲରେ ବାହାରୁଥିବା ବିଭିନ୍ନ କିସମର ଛତୁ ସ୍ଥାନୀୟ ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଇଥାଏ। ପିଲା ଠାରୁ ମହିଳା ପର୍ଯ୍ୟନ୍ତ ଜଙ୍ଗଲକୁ ଯାଇ ଛତୁ ସଂଗ୍ରହ କରିଥାନ୍ତି। କଢ଼ ଥିବା ଶ୍ରାବଣ ଛତୁର ଚାହିଦା ଅଧିକ ରହିଥାଏ। ଶ୍ରାବଣ ଛତୁର ନାଡ଼ ଖାଇବା ପାଇଁ ଅଧିକ ଲୋକ ପସନ୍ଦ କରିଥାନ୍ତି। କଢ଼ ଥିବା ଛତୁର ନାଡ଼ ମାଂସ ଠାରୁ ବି ଅଧିକ ସ୍ବାଦିଷ୍ଟ ହୋଇଥାଏ। ଛତୁ ସଂଗ୍ରହ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ଶ୍ରାବଣ ଛତୁ ଜଙ୍ଗଲର ହାଲକା ମାଟିରେ ତଥା ଉଇ ହୁଙ୍କା ଏବଂ ଘର ବାରିପଟେ ଫୁଟିଥାଏ। ଲୋକଙ୍କ ଚଳପ୍ରଚଳ କମ୍‌ ଥିବା ସ୍ଥାନରେ ଏହି ଛତୁ ଅଧିକ ପରିମାଣର ଫୁଟିଥାଏ। ଖରା ଓ ବର୍ଷା ହେବା ସହ ଘଡଘଡି ମାରିଲେ ଏହି ଛତୁ ଅଧିକ ପରିମାଣର ବାହାରିଥାଏ। ଶ୍ରାବଣ ଛତୁ ଶ୍ରାବଣ ମାସ ଠାରୁ ଭାଦ୍ରବ ମାସ ପର୍ଯ୍ୟନ୍ତ ବାହାରିଥାଏ। କହିବାକୁ ଗଲେ ଜ୍ୟେଷ୍ଠ ମାସ ଠାରୁ ଭାଦ୍ରବ ମାସ ପର୍ଯ୍ୟନ୍ତ ବୋଡା ଓ ଶ୍ରାବଣ ଛତୁ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଥାଏ।

ପଡୋଶୀ କଳାହାଣ୍ଡି ଓ ଛତିଶଗଡ ଅଞ୍ଚଳରେ ବୋଡା ଓ ଶ୍ରାବଣ ଛତୁ ମିଳୁଥିଲେ ମଧ୍ୟ ବିଶେଷ କରି ନବରଙ୍ଗପୁର, ପାପଡାହାଣ୍ଡି ଓ ଡାବୁଗାଁ ଅଞ୍ଚଳର ଛତୁର ଚାହିଦା ଅଧିକ ରହିଥାଏ। ଡାବୁଗାଁ ଓ ପାପଡାହାଣ୍ଡି ଅଞ୍ଚଳରେ ମିଳୁଥିବା ଛତୁର ସ୍ବାଦ ଅଧିକ ବୋଲି କିଛି ଲୋକ ପ୍ରକାଶ କରିଛନ୍ତି। ଦୂରଦୁରାନ୍ତରୁ ବ୍ୟବସାୟୀ ମାନେ ଏହି ଅଞ୍ଚଳକୁ ଆସି ଆଦିବାସୀ ମହିଳା ମାନଙ୍କ ଠାରୁ ଛତୁ କ୍ରୟ କରି ବଜାରରେ ଅଧିକ ଦରରେ ବିକ୍ରି କରିଥାନ୍ତି। ଦର ଅଧିକ ରହିଥିଲେ ମଧ୍ୟ ଏହାର ସ୍ବାଦ ଅଲଗା ହୋଇଥିବା ସହ ସ୍ବଳ୍ପ ସମୟ ପାଇଁ ଏହି ଛତୁ ମିଳୁଥିବାରୁ ଲୋକେ ଶ୍ରାବଣ ଛତୁ ଘରକୁ ନେଇଥାନ୍ତି।

ସମ୍ବନ୍ଧିତ ଖବର