ପାଇକସାହି: ଶନିବାର ସକାଳେ ଅନଗୁଳ ଜିଲ୍ଲାର ଦୁର୍ଗାପୁର ରେଞ୍ଜ୍‌ ଅନ୍ତର୍ଗତ ଅନ୍ତୁଳିଆ ସଂରକ୍ଷିତ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ଜଣେ ବ୍ୟକ୍ତି କୌଣସି ହିଂସ୍ର ଜନ୍ତୁ ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଛନ୍ତି। ଆକ୍ରମଣ କରିଥିବା ହିଂସ୍ରଜନ୍ତୁଟି ଏକ କଲରାପତରିଆ ବାଘ ବୋଲି କୁହାଯାଉଛି।

Advertisment

ଆହତ ବ୍ୟକ୍ତି ହେଉଛନ୍ତି ଅନ୍ତୁଳିଆ ଦଳବେହେରା ସାହିର ୫୨ ବର୍ଷିୟ ଚିତ୍ତରଞ୍ଜନ ଦଳବେହେରା।

publive-image

ସକାଳ ପ୍ରାୟ ୯ଟା ବେଳେ ଚିତ୍ତରଞ୍ଜନ ଛତୁ ତୋଳିବାକୁ ବଣକୁ ଯାଇଥିବାବେଳେ ଗୋଟାଏ କଲରାପତ୍ରିଆ ତାକୁ ଆକ୍ରମଣ କରିଥିବା କଥା କହୁଛନ୍ତି। କିନ୍ତୁ, ଘଟଣାସ୍ଥଳକୁ ଯାଇଥିବା ଗ୍ରାମବାସୀମାନେ ପାଦଛାପରୁ ସେ ଜନ୍ତୁଟି ବାର୍ହା ହୋଇଥିବ ବୋଲି କହୁଛନ୍ତି। ପୁଣି ଅନ୍ୟ କେହି ହୁଣ୍ଡାବାଘ ଆକ୍ରମଣ କରିଛି ବୋଲି କହୁଛନ୍ତି। ଏହି ବ୍ୟକ୍ତିଙ୍କ ସହିତ ବଣକୁ ଯାଇଥିବା ଅନ୍ୟ ଜଣେ ଗ୍ରାମବାସୀ ପ୍ରାଣ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇ ବାଘ ଆକ୍ରମଣରୁ ବର୍ତ୍ତି ଯାଇଥିଲେ।

ଚିତ୍ତରଞ୍ଜନଙ୍କ ମୁହଁ ଓ ବାହୁ କ୍ଷତବିକ୍ଷତ ହୋଇ ଯାଇଛି। ଚିକିତ୍ସା ନିମନ୍ତେ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଖବର ପାଇ ଘଟଣାସ୍ଥଳରେ ଦୁର୍ଗାପୁର ରେଞ୍ଜର୍‌ ହୃଦାନନ୍ଦ ନାୟକ ଓ ଅନ୍ୟାନ୍ୟ ବନ କର୍ମଚାରୀମାନେ ପହଞ୍ଚିଛନ୍ତି।