ସଂଗୀତଜ୍ଞ ରାଖାଲ ମହାନ୍ତି ଆଉ ନାହାନ୍ତି

କଟକ : ଲୋକପ୍ରିୟ ସଂଗୀତ ନି‌‌ର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି ଆଉ ଇହଜଗତରେ ନାହାନ୍ତି। ଆଜି ଅପରାହ୍ନ ୪ଟାରେ ବାଦାମବାଡ଼ିସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ମହାନ୍ତି ବହୁଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ପରଲୋକ ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାଦାମବାଡ଼ି ବାସଭବନରେ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ତାତନା ଗ୍ରାମରେ ୧୯୩୨ ମସିହା ଜୁନ୍ ୨୬ ତାରିଖରେ ସ୍ବର୍ଗତ ମହାନ୍ତି ଜନ୍ମଗ୍ରହଣ କରିଥିଲେ।

ତାଙ୍କ ବାପାଙ୍କ ନାମ ଘନଶ୍ୟାମ ମହାନ୍ତି ଓ ମା’ଙ୍କ ନାମ ପୁଷ୍ପମାଳିନୀ ମହାନ୍ତି। ପିଲାବେଳୁ କଟକ ଚାଲିଆସିଥିବା ସ୍ବର୍ଗତ ମହାନ୍ତି ରେଭେନ୍ସା କଲିଜିଏଟରୁ ମାଟ୍ରିକ୍, ଖ୍ରୀଷ୍ଟ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତରେ ଡିଗ୍ରୀ ହାସଲ କରି ସଂଗୀତ ଜଗତରେ ସେ ପାଦ ଦେଇଥିଲେ। ସେ ମଧ୍ୟ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଓ ପଣ୍ଡିତ ଭୁ‌ବନେଶ୍ବର ମିଶ୍ରଙ୍କ ସହିତ କାର୍ଯ୍ୟ କରିବା ସହ ସେମାନଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ। ଅଲ୍ ଇଣ୍ଡିଆ ରେ‌ଡିଓ, ଦୂରଦର୍ଶନ, କଳାବିକାଶ କେନ୍ଦ୍ର ସମେତ ଅନେକ କ୍ୟାସେଟ୍ ଇଣ୍ଡଷ୍ଟ୍ରିରେ କାମ କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ସ୍ବର୍ଗତ ମହାନ୍ତି ମଧ୍ୟ ‘ଅମର ପ୍ରେମ୍’, ‘ଘର ସଂସାର’, ‘ଅକ୍ଷୟ ତୃତୀୟା’, ‘ତ୍ରିନାଥ ମେଳା’, ‘ଶ୍ରୀକୃଷ୍ଣ ରାସଳୀଳା’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନି‌ର୍ଦ୍ଦେଶନା ଦେଇ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ ହୋଇଥିଲେ। ସଂଗୀତ ନିର୍ଦ୍ଦେଶନା ଓ ନୃତ୍ୟ କମ୍ପୋଜ୍ ପାଇଁ ସ୍ବର୍ଗତ ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକ‌ାଡେମୀ ସମ୍ମାନ, ଗୀତ ଗୋବିନ୍ଦ ସମ୍ମାନ, ଚଳଚ୍ଚିତ୍ର ନିଗମ ସମ୍ମାନ, ଓଡ଼ିଶା ସୋସାଇଟି ଅଫ୍ ଆମେରିକା ସମ୍ମାନରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଥିଲେ। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସଂଗୀତ ‘ପ୍ରଭୁପାଦ ତଳେ ପ୍ରଣତୀ ଢାଳେ…’, ‘ଏଇ ଜହ୍ନ ଏଇ ରାତି…’, ‘ଘୁମ୍ ଘୁମ ଘୁମରେ ପାରା.., ‘ସପନ ବିଳାସୀ ତୁମ ମିଳନ ପିଆସି…’ ଭଳି ସଂଗୀତ ତାଙ୍କୁ ଅନେକ ଲୋକପ୍ରିୟତା ଆଣି ଦେଇଥିଲା। ସେ ମଧ୍ୟ ଇଂଲଣ୍ଡ, କାନାଡା, ପଶ୍ଚିମ ଜର୍ମାନୀ, ଆମେରିକା, ପ୍ୟାରିସ ଆଦି ବହୁ ବିଦେଶୀ ରାଷ୍ଟ୍ର ଭ୍ରମଣ କରି ସଂଗୀତ ନ‌ିର୍ଦ୍ଦେଶନା ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ କ୍ଷୀଣପ୍ରଭା ମହାନ୍ତି, ପୁଅ ସୁହାସ ମହାନ୍ତି, ସୁବ୍ରତ ମହାନ୍ତି, ପୁତ୍ରବଧୂ ଅନିତା ମହାନ୍ତି, ରଶ୍ମିତା ମହାନ୍ତିଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର