ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା : ୪ ଘଣ୍ଟା ନିର୍ଯାତନା ପରେ ନୃଶଂସ ଭାବେ ମାରିଥିଲେ

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ, ଲଣ୍ଡା ହୋଇଥିଲେ, ଭସାଣି ଶୋଭାଯାତ୍ରାରେ ନାଚିଥିଲେ

ଭୁବନେଶ୍ବର : ୨୦୦୮ ଅକ୍ଟୋବର ୮ ତାରିଖ ଦିନ ସୁମନ୍ତଙ୍କୁ ହତ୍ୟା ପାଇଁ ମାନସ ଓ ତା’ର ସହଯୋଗୀମାନେ ତିଆରି କରିଥିଲେ ବ୍ଲୁ ପ୍ରିଣ୍ଟ। ସୁନୀଲ ଓ ସୁଶୀଲ ସେଦିନ ସୁମନ୍ତଙ୍କୁ ଫୋନ୍ କରି ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ପ୍ରଶଂସା କରିଥିଲେ। ୧୨ ତାରିଖରେ ଏକ କାହାଣୀର ସିଡି ତିଆରି ହେବ ବୋଲି କହି ଏଥିପାଇଁ ୯ ତାରିଖରେ ବମିଖାଲ ଏକାମ୍ର ହଲ ନିକଟକୁ ଆସିବାକୁ ଫୋନ୍ କରି ଜଣାଇଥିଲେ। ୯ ତାରିଖରେ ପୁଣିଥରେ ଫୋନ୍ କରି ଡକାଇଥିଲେ। ୯ ତାରିଖ ସନ୍ଧ୍ୟାରେ ସୁମନ୍ତ ପହଞ୍ଚିବା ପରେ ତାଙ୍କୁ ବମିଖାଲରେ ଥିବା ଶୁଭକାନ୍ତ ଜେନାର ସଂପର୍କୀୟଙ୍କ ଘରକୁ ଡକା ଯାଇଥିଲା। ସେଠାରେ ତାଙ୍କୁ ପ୍ରଥମେ ଏକ କାଳ୍ପନିକ କାହାଣୀ ଶୁଣାଯାଇ ସିଡି କରିବା ପାଇଁ କୁହାଯାଇଥିଲା।

ସୁନୀଲ ଓ ସୁଶୀଲଙ୍କ କଥାରେ ବିଶ୍ବାସ କରି ସୁମନ୍ତ କାହାଣୀ ଶୁଣୁଥିବା ବେଳେ ମାନସ ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ବାନ୍ଧି ପକାଇଥିଲେ। ଜୋର ଜବରଦସ୍ତ ମଦ ପିଆଇବା ସହ ସିଗାରେଟ୍ ଚେଙ୍କ ଦେଇଥିଲେ। ପ୍ରାୟ ୪ ଘଣ୍ଟା ଧରି ନିର୍ଯାତନା ଦେବା ପରେ ସେମାନେ ସୁମନ୍ତଙ୍କ ମୁଣ୍ଡ ଓ କାନମୁଣ୍ଡାକୁ ଭୁଜାଲି, ଫାର୍ସାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ପ୍ରବଳ ରକ୍ତସ୍ରାବ ହୋଇ ସୁମନ୍ତଙ୍କ ମୃତ୍ୟୁ ହେବା ପରେ ସେମାନେ ମୃତଦେହକୁ ଏକ ବଡ଼ ପଲିଥିନରେ ପୂରାଇ ବାନ୍ଧି ଦେଇଥିଲେ। ସୁମନ୍ତଙ୍କ ରକ୍ତଲଗା ସାର୍ଟପ୍ୟାଣ୍ଟ ମଧ୍ୟ ଖୋଲି ଦେଇଥିଲେ। ରାତି ପ୍ରାୟ ଗୋଟାଏରେ ମୃତଦେହକୁ ସୁମନ୍ତଙ୍କ ନିଜ ମାରୁତି-୮୦୦ କାର୍‌ ଡିକିରେ ପୂରାଇ ପଳାଶୁଣୀ-ଚକେଇସିଆଣୀ କେନାଲ ବନ୍ଧ ରାସ୍ତାର ସାଇଫନ୍ ନିକଟରେ ଗଡ଼ାଇ ଦେଇଥିଲେ। କାର୍‌ ନମ୍ବର ପ୍ଲେଟ୍‌ରେ ଗୋବର ବୋଳିଦେବା ସହ ସୁମନ୍ତଙ୍କୁ ପ୍ୟାଣ୍ଟ ସାର୍ଟକୁ ପୋଡ଼ି ଦେଇଥିଲେ। ଏହା ସହ ଯେଉଁ ଘରେ ହତ୍ୟାକାଣ୍ଡ ଘଟିଥିଲା ସେହି କାନ୍ଥରେ ଲାଗିଥିବା ରକ୍ତଛିଟାକୁ ଲୁଚାଇବାକୁ ଯାଇ ଚୂନ ବୋଳି ଦେଇଥିଲେ।

ସୁମନ୍ତଙ୍କ ଏଟିଏମ୍ କାର୍ଡ ଜରିଆରେ ଅଭିଯୁକ୍ତମାନେ ୨୨ ହଜାର ଟଙ୍କା ଏବଂ ସେ ପିନ୍ଧିଥିବା ସୁନା ମୁଦି, ଚେନ୍, ମୋବାଇଲ ଫୋନ୍ ନେଇ ଯାଇଥିଲେ। ଖାଲି ସେତିକି ନୁହେଁ; ଏହି ଘଟଣା ପରେ ଜଣେ ଅଭିଯୁକ୍ତ ଲଣ୍ଡା ହୋଇଥିଲା। ଦଶହରା ମେଢ଼ ଭସାଣିରେ ସବୁ ଅଭିଯୁକ୍ତ ଆନନ୍ଦରେ ଉନ୍ମତ୍ତ ହୋଇ ନାଚିଥିଲେ। ପରେ ଏ ସବୁ ସାମଗ୍ରୀକୁ ପୁଲିସ ଜବତ କରିବା ସହ ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ମାମଲାର ପର୍ଦ୍ଦାଫାସ୍ କରି ୪ ଜଣଙ୍କୁ ଗିରଫ କରିଥିଲା। ତେବେ କେବଳ ବିକ୍ରମାଦିତ୍ୟ ଫେରାର ହୋଇଯିବାକୁ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର