ପୁରୀ: ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଦେଖାଦେଇଛି କସ୍ତୁରୀର ଅଭାବ। ୫ ବର୍ଷ ହେଲାଣି ଏଭଳି ସ୍ଥିତି ଲାଗିରହିଛି। ତଥାପି ଏହାର ବିକଳ୍ପ ବ୍ୟବସ୍ଥା କରିବାରେ ମଧ୍ୟ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଫଳରେ ବିନାକସ୍ତୁରୀରେ ହେଉଛି ମହାପ୍ରଭୁଙ୍କ ଅଣସର ନୀତି ଓ ଶ୍ରୀମୁଖ ସିଂହାର। କସ୍ତୁରୀ ବ୍ୟବହାର ହେଉନଥିବାରୁ ଚକାନୟନ ମଳିନ ଦିଶୁଥିବା ସେବକମାନେ ଦାବି କରିଛନ୍ତି। ସେପଟେ କସ୍ତୁରୀ ବିନା ଶ୍ରୀଅଙ୍ଗ ପାଇଁ ବିପଦ ବୋଲି ସେବକମାନେ କହିଛନ୍ତି।
ମହାପ୍ରଭୁଙ୍କ ବନକଲାଗି କିପରି ହେବ, କେଉଁଦିନ ହେବ ଓ କେଉଁମାନେ କରିବେ, ଶ୍ରୀମନ୍ଦିର ସ୍ବତ୍ବଲିପି ଓ ବାମଦେବସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ସ୍ବତ୍ବଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି, ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ବିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖସିଂହାର ନୀତି ହେବ। ବନକଲାଗି ପାଇଁ ରାଜାଙ୍କ ସୁପରିଟେଣ୍ଡେଣ୍ଟ୍ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରୀ, କଳା ତେଲ ଆଦି ଯୋଗାଇ ଦେବେ। କିନ୍ତୁ ବିଗତ ୫ ବର୍ଷ ହେବ ବିନାକସ୍ତୁରୀରେ ମହାପ୍ରଭୁଙ୍କ ବନକଲାଗି କରାଯାଉଛି। ପ୍ରତିବର୍ଷ ରଥଯାତ୍ରା ସମନ୍ବୟ ବୈଠକରେ କସ୍ତୁରୀ ଅଭାବ ପ୍ରସଙ୍ଗ ଉଠୁଛି, ମହାପ୍ରଭୁଙ୍କ ସେବା ପାଇଁ ଏହା କିଭଳି ଆସିପାରିବ, ଅଧିକାରୀ ସ୍ତରରେ ସେ ଉପରେ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହେଉଛି। କିନ୍ତୁ ରଥଯାତ୍ରା ଶେଷ ପରେ ଏହି ପ୍ରସଙ୍ଗକୁ ସମସ୍ତେ ଭୁଲି ଯାଉଛନ୍ତି। ଗତ ରଥଯାତ୍ରା ବୈଠକରେ ବି ଏହି ପ୍ରସଙ୍ଗ ଉଠିଥିଲା। ଶ୍ରୀମନ୍ଦିର ପ୍ରଶାସନର କହିବା କଥା, ନେପାଳ ରାଜା ଶ୍ରୀମନ୍ଦିରକୁ ଆବଶ୍ୟକ କସ୍ତୁରୀ ଯୋଗାଇ ଆସୁଥିଲେ। ଏଥିପାଇଁ ଶ୍ରୀମନ୍ଦିରରେ ବି ନେପାଳ ରାଜାଙ୍କର ସ୍ବତନ୍ତ୍ର ମାନ୍ୟତା ରହିଥିଲା। କିନ୍ତୁ ଆଇନଗତ ପ୍ରତିବନ୍ଧକ ଦର୍ଶାଇ ନେପାଳ ସରକାର କସ୍ତୁରୀ ଦେବା ବନ୍ଦ କରି ଦେଇଛନ୍ତି।
ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଶ୍ରୀବିଗ୍ରହଙ୍କ ବନକଲାଗିରେ କସ୍ତୁରୀ ବ୍ୟବହାର ହେବାର ବିଧି ରହିଛି। ଶ୍ରୀମୁଖ ସୁନ୍ଦର ଓ ଉଜ୍ଜ୍ବଳ ଦିଶିବା ପାଇଁ କସ୍ତୁରୀ ବ୍ୟବହାର ହୋଇଥାଏ। ଶ୍ରୀମନ୍ଦିର ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି, ପ୍ରାୟ ୫ ବର୍ଷ ହେଲାଣି କସ୍ତୁରୀ ମହାପ୍ରଭୁଙ୍କ ସେବାରେ ଲାଗିପାରୁନି। ପ୍ରତିଥର ବନକଲାଗିରେ ଶ୍ରୀମୁଖ ଶୃଙ୍ଗାର ପାଇଁ କସ୍ତୁରୀ ବ୍ୟବହାର ହୋଇଥାଏ। ମହାପ୍ରଭୁଙ୍କ ନୟନଯୁଗଳରେ କସ୍ତୁରୀ ଲାଗି ହୋଇଥାଏ। ମୁଖ୍ୟତଃ ଅଣସର ବେଳେ ମହାପ୍ରଭୁଙ୍କ ଶ୍ରୀମୁଖ ଓ ଶରୀରରେ କସ୍ତୁରୀ ଲାଗି ହୋଇଥାଏ। ଜ୍ବରରୁ ଉଠିବା ପରେ ନବଯୌବନ ଦର୍ଶନ ପୂର୍ବରୁ ବନକଲାଗିରେ କସ୍ତୁରୀ ବ୍ୟବହାର ହୁଏ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କସ୍ତୁରୀ ଦେବାରେ ବିଫଳ ହେବାରୁ ବାଧ୍ୟବାଧକତାରେ ବିନାକସ୍ତୁରୀରେ ମହାପ୍ରଭୁଙ୍କ ବନକଲାଗି କରିବାକୁ ପଡ଼ୁଛି। ମଝିରେ ବନକଲାଗି ପାଇଁ ବାହାରୁ କସ୍ତୁରୀ କ୍ରୟ କରି ଶ୍ରୀମନ୍ଦିର ପ୍ରଶାସନ ଦେଇଥିଲା। କିନ୍ତୁ ପରେ ଏହା ନକଲି ବୋଲି ଜଣାପଡ଼ିବାରୁ ଏହାକୁ ବନକଲାଗିରେ ବ୍ୟବହାର କରାଯାଉନି। ଏଥିରେ ସେଭଳି କସ୍ତୁରୀର ବାସ୍ନା ନଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ବଳ ଦିଶିବା ସହ ଶ୍ରୀଅଙ୍ଗ ସୁରକ୍ଷା ପାଇଁ କସ୍ତୁରୀର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଗୁରୁତ୍ବର ସହ ବିଚାର କରିବା ଦରକାର ବୋଲି ଶ୍ରୀ ଦତ୍ତମହାପାତ୍ର କହିଛନ୍ତି।
ଛାମୁଖୁଣ୍ଟିଆ ନିଯୋଗ ସଭାପତି ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀଅଙ୍ଗ ସୁରକ୍ଷାରେ କସ୍ତୁରୀ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଏହାକୁ ବନକଲାଗି ସହ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ବର୍ଷ ହେବ ମହାପ୍ରଭୁଙ୍କ ସେବାରେ କସ୍ତୁରୀ ନ ଲାଗି ପାରିବା ଦୁର୍ଭାଗ୍ୟଜନକ। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଗୁରୁତ୍ବର ସହ ବିଚାର କରିବା ଦରକାର। ନେପାଳ ରାଜା ଓ ସରକାରଙ୍କ ସହ ଯୋଗାଯୋଗ କରି କସ୍ତୁରୀ କିଭଳି ଶ୍ରୀମନ୍ଦିର ଆସିପାରିବ, ସେ ଉପରେ ବିଚାର କରିବା ଦରକାର। ଶ୍ରୀମନ୍ଦିରରେ ନେପାଳ ରାଜାଙ୍କ ସ୍ବତନ୍ତ୍ର ପଣ୍ଡା ରହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ନେପାଳ ରାଜାଙ୍କ ପଣ୍ଡା ହୋଇଥିବା ବେଳେ ସେ ଓ ମନ୍ଦିର ପ୍ରଶାସନର କିଛି ଅଧିକାରୀ ନେପାଳ ଗସ୍ତ କରି ଏ ଦିଗରେ ଆଲୋଚନା କରିବା ଜରୁରୀ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କସ୍ତୁରୀ ଦାନ ପାଇଁ ଦାତାଙ୍କୁ ନିବେଦନ କରାଯାଉ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gjdggjgj.jpg)