ବଲାଙ୍ଗୀର: ବ୍ୟବସାୟୀ ପରିବାରର ଝିଅ । ହେଲେ ମନରେ ଅସୁମାରୀ ସ୍ୱପ୍ନ । କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅଗାଧ ଜ୍ଞାନ । ଆଉ ତାହା ଏବେ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ତାଙ୍କର ପାଠପଢା ଓ ଜ୍ଞାନ ଦେଖି ଏବେ ବହୁ ବଡବଡ କମ୍ପାନୀ ତାଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି । ଏପରିକି ମାଇକ୍ରୋସଫ୍ଟ କମ୍ପାନୀ ବାର୍ଷିକ ୪୩ ଲକ୍ଷ ଟଙ୍କାରେ କାର୍ଯ୍ୟରେ ଯୋଗଦେବାକୁ ଅଫର ଦେଇଛି । ମାତ୍ର ୨୦ ବର୍ଷ ବୟସର ବଲାଙ୍ଗୀରର ଝିଅ ମୁସ୍କାନ ଖେଡିଆଙ୍କ କମାଲ ଏବେ ରାଜ୍ୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି ।
ବଲାଙ୍ଗୀର ରାଧାରାଣୀପଡାର ମୋତିଲାଲ ଖେଡିଆଙ୍କ ଝିଅ ହେଉଛନ୍ତି ମୁସ୍କାନ । ମୁସ୍କାନ ସରକାରୀ ପରିଚାଳିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜୀ ଭୁବନେଶ୍ୱରର ଶେଷ ବର୍ଷର ଛାତ୍ରୀ । କରୋନା ମହାମାରୀ ମଧ୍ୟରେ ୨୦୨୦-୨୧ ବ୍ୟାଚ ପାଇଁ ଭର୍ଚୁଆଲ କ୍ୟାମ୍ପସ ଡ୍ରାଇଭ ହୋଇଥିଲା । ସେ ସେଥିରେ ଭାଗ ନେଇଥିଲେ । ବହୁ ଗୁଡିଏ ଆନ୍ତରାଷ୍ଟ୍ରୀୟ କମ୍ପାନୀ ଯଥା- ରେଡହଟ, ଗୁଗୁଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀ ତରଫରୁ ମୁସ୍କାନ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର କୋଡିଂ ପାଇଁ ପ୍ରଶଂସିତ ହୋଇଥିଲେ । ପରେ ମାଇକ୍ରୋସଫ୍ଟ ତାଙ୍କୁ ୪୩ ଲକ୍ଷ ଟଙ୍କାରେ କମ୍ପାନୀରେ ଏସଡିଇ-୧ ଇଞ୍ଜିନିୟର ଭାବରେ ଯୋଗଦେବାକୁ ଅଫର କରିଥିଲା । ଏହାକୁ ମୁସ୍କାନ ଗ୍ରହଣ କରିଛନ୍ତି । ପାଠ୍ୟକ୍ରମ ସରିବା ପରେ ୨୦୨୧ ମସିହାରେ ସେ ମାଇକ୍ରୋସଫ୍ଟ କମ୍ପାନୀ ହାଇଦ୍ରାବାଦରେ କାମ କରିବେ ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି । ଏଭଳି କମ୍ପାନୀରେ ଯୋଗଦେବାକୁ ଅନେକଙ୍କ ସ୍ୱପ୍ନ ରହିଥାଏ । ବହୁଥର ଚେଷ୍ଟା କରି ଲୋକେ ଏହିସବୁ କମ୍ପାନୀରେ କାମ କରିବାକୁ ସୁଯୋଗ ପାଇଥାନ୍ତି । ମୁସ୍କାନ କିନ୍ତୁ ପ୍ରଥମ ଥରରେ ହିଁ ନିଜର ସଫଳତା ପାଇଛନ୍ତି । ଏପରିକି ସେ ଯେଉଁ ଅନୁଷ୍ଠାନରେ ପାଠପଢୁଛନ୍ତି ସେଠାରୁ ପୂର୍ବରୁ କୌଣସି ଛାତ୍ରଛାତ୍ରୀ ଏତେ ଟଙ୍କା ବାର୍ଷିକ ଅଫର ପାଇନଥିଲେ । ମୁସ୍କାନ ବଲାଙ୍ଗୀର ଲିଟିଲଫ୍ଲାୱାର ସ୍କୁଲରେ ପାଠପଢୁଥିଲେ ଓ ଜଣେ ମେଧାବୀ ଛାତ୍ରୀ ଥିଲେ । ଦଶମ ପର୍ଯ୍ୟନ୍ତ ସେଠାରେ ପଢିବା ପରେ ସେ ଯୁକ୍ତ ଦୁଇ ବଲାଙ୍ଗୀର ପବ୍ଲିକ ସ୍କୁଲରେ ପଢିଥିଲେ । ସେଠାରୁ ସେ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜୀରେ ନାମ ଲେଖାଇ ପାଠପଢୁଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ବିଭିନ୍ନ ମହଳରୁ ଅଭିନନ୍ଦନର ସୁଅ ଛୁଟୁଛି ।