କଟକ : ଭାଇଚାରା ସହର ଭାବେ ଜଣାଶୁଣା କଟକ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠି କଟକିଆ ବିଭିନ୍ନ ଉତ୍ସବରେ ସାମିଲ ହୋଇଥାନ୍ତି। କଟକର ଗଣପର୍ବ ଦଶହରାରେ ମୁସଲିମ କାରିଗର ମାନଙ୍କର ଯୋଗଦାନ ଚର୍ଚ୍ଚାରେ ଥିବା ବେଳେ ଏବେ ବୋଲବମ ଭକ୍ତଙ୍କ ପାଇଁ ଭଳିକି ଭଳି ବାହୁଙ୍ଗି ତିଆରି କରି ଚର୍ଚ୍ଚାରେ ଅଛନ୍ତି ମୁସଲିମ କାରିଗର ମହମ୍ମଦ ସରୱର। ସରୱର ୨୦ ବର୍ଷ ହେବ ସିଡିଏ ସେକ୍ଟର-୭ ଠାରେ ଜାଗ୍ରୁତି ମହିଳା ମିସନ ଶକ୍ତିରେ କାର୍ଯ୍ୟରତ ରହିଛନ୍ତି। ଓରମାସ ସହାୟତାରେ ଏହି ଏସ୍ଏଚ୍ଜି ଚାଲିଛି। କିନ୍ତୁ ଦିନକୁ ଦିନ ବେତରେ ତିଆରି ବାହୁଙ୍ଗିର ଚାହିଦା ବଢିବା ପରେ ସରୱର ଏହାକୁ ତିଆରି ଆରମ୍ଭ କରିଥିଲେ।
ବିହାର ଗୟା ଅଞ୍ଚଳର ମୂଳ ବାସିନ୍ଦା ସରୱରଙ୍କ ବୟସ ୪୨ ବର୍ଷ। ସେ ୧୮ ବର୍ଷ ବୟସରୁ ସୁରତ ଯାଇ ସେଠାରେ ଦେଢ଼ ବର୍ଷ କାଳ ଏହି ବେତ ତିଆରି କାମ ଶିଖିଥିଲେ। ପରେ ଅହମ୍ମଦାବାଦରେ ଏହି କାମ କରି ପରେ କଟକ ଆସିଥିଲେ। ଶ୍ରାବଣ ମାସର ଠିକ୍ ଦୁଇ ମାସ ପୂର୍ବରୁ ସରୱର ଆରମ୍ଭ କରିଥାନ୍ତି ବେତରେ ତିଆରି ବାହୁଙ୍ଗି କାମ। ଦିନକୁ ହାରହାରି ଭାବେ ସେ ୩ଟି ବାହୁଙ୍ଗି ତିଆରି କରନ୍ତି। ଏହି ବାହୁଙ୍ଗି ପାଇଁ ସେ ବେତ ଆଣ୍ତାମାନ, ତ୍ରିପୁରା, ଆସାମ, ମେଘାଳୟ, ଅରୁଣାଞ୍ଚଳ ପ୍ରଦେଶରୁ ମଗାଇ ଥାନ୍ତି। ବାହୁଙ୍ଗି ଗୁଡିକୁ ସେ ଶିବ ଧନୁ ଆକୃତିର କରିବା ସହିତ ଏଥିରେ ଶିବ ଲିଙ୍ଗ, ଡ଼ମ୍ବୁରୁ, ସାପ ଇତ୍ୟାଦି ତିଆରି କରିଥାନ୍ତି। ବାହୁଙ୍ଗିକୁ ଆକର୍ଷିତ କରିବା ପାଇଁ ସେଥିରେ ଘଣ୍ଟି ଓ ଫୁଲ ଲଗାଇଥାନ୍ତି।
/sambad/media/post_attachments/wp-content/uploads/2023/07/ctc-dddf.jpg)
ଅନେକ ଶ୍ରଦ୍ଧାଳୁ ସେମାନଙ୍କ ଚାହିଦା ଅନୁଯାୟୀ ଯେଉଁଭଳି କରିବାକୁ କୁହନ୍ତି, ସରୱର ସେମିତି ବି ତିଆରି କରି ସେମାନଙ୍କୁ ଯୋଗାଇ ଦିଅନ୍ତି। ସରୱର ଏହି ବେତ ବାହୁଙ୍ଗିଙ୍କୁ ୩ଶହ ଟଙ୍କାରୁ ଆରମ୍ଭ କରି ୩ହଜାର ଟଙ୍କା ଯାଏ ବିକ୍ରି କରନ୍ତି। ଶ୍ରାବଣର ଦୁଇ ମାସ ପୂର୍ବରୁ ସେ ଏଥିପାଇଁ ଦିନକୁ ପ୍ରାୟ ୧୪ ଘଣ୍ଟା ପରିଶ୍ରମ କରନ୍ତି। ସରୱର କହିବା ଅନୁଯାୟୀ ଏଥିରେ ସେ ବହୁତ ଖୁସି ଅନୁଭବ କରନ୍ତି। ଭକ୍ତମାନେ ଜଳାଭିଷେକ କରି ପୂଣ୍ୟ ଅର୍ଜନ କରୁଥିବା ବେଳେ ​ଏଭଳି ବାହୁଙ୍ଗି ପ୍ରସ୍ତୁତ କରିବାରେ ବି ତାଙ୍କର ପୂଣ୍ୟ ହେଉଥିବା ସେ ଅନୁଭବ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Muslim-Craftman-Making-Kaudias-Bahungi_Thumbnail.jpg)