ଏନ୍‌ଆର୍‌ସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଂଖ୍ୟାଲଘୁ ପ୍ରତିନିଧି

ଭୁବନେଶ୍ବର : ଏନଆରସି ଲାଗୁ ହେବା ନେଇ ରାଜ୍ୟରେ ଥିବା ସଂଖ୍ୟାଲଘୁ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ଆଜି ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ନେତୃତ୍ବରେ ଭଦ୍ରକର ଚଉଦ ମହଲା ମୁସଲିମ୍ ଜମାତ ସଂଗଠନର ପ୍ରତିନିଧିମଣ୍ଡଳୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟରେ ଏନଆରସି ବ୍ୟବସ୍ଥା ଲାଗୁ ହେବନି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁସଲିମ୍ ସଂଗଠନ ସଦସ୍ୟ ପ୍ରକାଶ କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇନାହିଁ।

ସଂଗଠନ ସଦସ୍ୟ ଜମିଲ ଅହମ୍ମଦ ଖାଁ କହିଥିଲେ, ନାଗରିକ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଏନଆରସି ଲାଗୁ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟର ମୁସଲିମ୍ ସମ୍ପ୍ରଦାୟ ଚିନ୍ତାରେ ପଡ଼ିଛନ୍ତି। ଯେଉଁ ଗରିବ ମୁସଲିମ୍ ଭାଇଭଉଣୀମାନଙ୍କର ଜମି ନାହିଁ କି ଘର ନାହିଁ ଏବଂ ଯେଉଁମାନେ ନାଗରିକତା ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ନିର୍ଦ୍ଦିଷ୍ଟ କ୍ୟାମ୍ପରେ ଅଟକ ରଖାଯିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିବାକୁ ଆସିଥିଲୁ। ମୁଖ୍ୟମନ୍ତ୍ରୀ ସବୁ କଥା ଶୁଣିବା ପରେ ପ୍ରତିଶ୍ରୁତି ଦେଇ କହିଥିଲେ, ମୁସଲିମ୍ କିମ୍ବା ସଂଖ୍ୟାଲଘୁ ଭାଇଭଉଣୀମାନେ ଆଦୌ ଡରିବାର ନାହିଁ। ମୁସଲିମ୍ ସଂଗଠନ ସଭାପତି ମହମ୍ମଦ୍ ଅବଦୁଲ ବାରି କହିଥିଲେ, ରାଜ୍ୟରେ ସମସ୍ତେ ଏକାଠି ମିଳିମିଶି ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କହିଥିଲେ, ଏନଆରସି ପ୍ରସଙ୍ଗରେ ସଂଖ୍ୟାଲଘୁ ସମ୍ପ୍ରଦାୟ କୌଣସି ଚିନ୍ତା କରିବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚଉଦ ମହଲା ମୁସଲିମ୍ ଜମାତ ସଂଗଠନର ସଦସ୍ୟମାନଙ୍କୁ କଥା ଦେଇଛନ୍ତି। ପ୍ରତିନିଧିମଣ୍ଡଳୀରେ ଭଦ୍ରକ ସମେତ ବାଲେଶ୍ବର ଓ ଯାଜପୁର ଜିଲ୍ଲାର ମୁସଲିମ୍ ସଂଗଠନ ସଦସ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର