ଖୋର୍ଦ୍ଧା : ଶ୍ରୀଜଗନ୍ନାଥ ଆମର ଦେବତା। ଏହି ରାଜ୍ୟର ପାଣିପବନ ସବୁ ତାଙ୍କର। ଆମେ ଜଗନ୍ନାଥ ଦେଶର ଲୋକ। ଆମର ଯାହା କିଛି ଅଛି, ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କର। ବାହାରକୁ ଗଲେ ଜାତି ଧର୍ମ ନିର୍ବିଶେଷରେ ଆମକୁ ‘ଜଗନ୍ନାଥଙ୍କ ଦେଶର ଲୋକ’ ବୋଲି ଜାଣୁଛନ୍ତି। ଏଣୁ ଜଗନ୍ନାଥଙ୍କ ପାଇଁ ଗଛ କ’ଣ, ଆବଶ୍ୟକ ପଡ଼ିଲେ ନିଜର ରକ୍ତ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ନିଜ ବାଡ଼ିରେ ଥିବା ଶିମୁଳି ଗଛ ଦାନ ଦେଇଥିବା ଟାଙ୍ଗି ରେଞ୍ଜ ଅନ୍ତର୍ଗତ ନିରାକାରପୁର ଖଜୁରିପଡ଼ାର ସହଜୁଦ୍ଦୀନ ଖାଁ କହିଛନ୍ତି।

Advertisment

ସେ କହିଛନ୍ତି ଯେ ଯେତେବେଳେ ବନ ବିଭାଗର କର୍ମଚାରୀ ତାଙ୍କୁ ଗଛ ପାଇଁ କହିଲେ ସେ ଖୁସିରେ ଏଥିପାଇଁ ରାଜି ହୋଇଯାଇଥିଲେ। ଆଜି ବନ ବିଭାଗ କର୍ମଚାରୀ ଆସି ଗଛଟିକୁ କାଟି ନେଇଛନ୍ତି। ଯାହା ଏଠାରେ ଅଛି ସବୁ ଜଗନ୍ନାଥଙ୍କର। ଏଣୁ ଆମେ କ’ଣ ଦେଇଛୁ, ତାଙ୍କର ଜିନିଷ ତାଙ୍କ ପାଇଁ ଲାଗିଛି
ବୋଲି ସହଜୁଦ୍ଦୀନ ଖାଁ କହିଛନ୍ତି।

ଶ୍ରୀଜଗନ୍ନାଙ୍କ ରଥ ନିର୍ମାଣରେ ଆବଶ୍ୟକ କାଠ ମିଳୁନାହିଁ। ଏହି ସମସ୍ୟା ଦୂର କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ଖୋର୍ଦ୍ଧା ବନଖଣ୍ତ
ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଯେଉଁମାନଙ୍କ ବାଡ଼ି, ବଗିଚା ଓ ତୋଟା ଆଦିରେ ଗଛ ରହିଛି ଏବଂ ରଥ ନିର୍ମାଣ ପାଇଁ ଦାନ ଦେବାକୁ ଚାହାନ୍ତି ସେମାନେ ଦେଇପାରିବେ ବୋଲି କହିଥିଲେ। ଏହି କ୍ରମରେ ତିନିଟି ରେଞ୍ଜ୍‌ରୁ ୬୫ଟି ଗଛ ସଂଗ୍ରହ କରାଯାଇଥିଲା। ସେଥି ମଧ୍ୟରୁ ବେଗୁନିଆ ରେଞ୍ଜରୁ ୧୦ଟି ରଣପୁର ରେଞ୍ଜ୍‌ରୁ ୨୫ଟି, ବାଲୁଗାଁ ରେଞ୍ଜରୁ ୧୦ଟି ଓ ଟାଙ୍ଗୀ ରେଞ୍ଜ୍‌ରୁ ୨୦ଟି ଗଛ ସଂଗ୍ରହ କରାଯାଇ ଆଜି ପୁରୀ ପଠାଯାଇଛି। ଏନେଇ ଖୋର୍ଦ୍ଧା ବନଖଣ୍ତର ବନସଂରକ୍ଷକ ସତୀଶ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬୫ଟି ଗଛର ଅନୁରୋଧ କରାଯାଇଥିଲା। ଏହିଗୁଡ଼ିକୁ ବ୍ୟକ୍ତିଗତ ଲୋକ ଦାନ ଦେଇଛନ୍ତି। ଯଦି ଅଧିକ ଗଛ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରନ୍ତି ତେବେ ସଂଗ୍ରହ କରି ଦିଆଯିବ।