କଟକ: ଭାଇଚାରା, ସାଂପ୍ରଦାୟିକ ସଦ୍ଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଷ୍ଟେସନ ବଜାରରେ। ମୁସ୍ଲିମ୍ ସଂପ୍ରଦାୟର ହୋଇ ବି ରକ୍ଷାବନ୍ଧନ ଓ ଖୁଦୁରୁକୁଣୀ ଭଳି ପର୍ବରେ ସାମିଲ ହେବା ସହ ରାକ୍ଷୀ ପ୍ରସ୍ତୁତ କରି ଅନ୍ଲାଇନରେ ବିକ୍ରି କରୁଛନ୍ତି ସବିହା ସୁମ୍ବୁଲ୍। ସବିହା ପିଲା ବେଳେ ସଂପର୍କୀୟ ଭାଇମାନଙ୍କୁ ରାକ୍ଷୀ ବାନ୍ଧୁଥିଲେ। ସାହିର ଅନ୍ୟ ଝିଅମାନଙ୍କ ସହ ମିଶି ଖୁଦୁରୁକୁଣୀ ପୂଜା କରୁଥିଲେ। ଗଲା କିଛି ବର୍ଷ ହେଲା ୟୁଟ୍ୟୁବ୍ରୁ ରାକ୍ଷୀ ତିଆରି କୌଶଳ ଶିଖିବା ପରେ ସବିହା ନିଜ ସୃଜନାତ୍ମକ କଳାକୁ ପ୍ରୟୋଗ କରି ନୂଆ ନୂଆ ରାକ୍ଷୀ ତିଆରି କରୁଛନ୍ତି। ରାକ୍ଷୀରୁ ମିଳୁଥିବା ଆୟକୁ ସେ ବୁଲା କୁକୁର, ଗାଈ, ବିଲେଇ ଆଦି ପଶୁମାନଙ୍କୁ ଖାଇବାକୁ ଦେଉଛନ୍ତି।
ଷ୍ଟେସନବଜାର ବାସିନ୍ଦା ଆସ୍ଫାକ୍ ଅଲ୍ଲୀ ଖାନ ଓ ଶିକ୍ଷୟିତ୍ରୀ ତବସୁମ୍ ନାଜ୍ଙ୍କ ବଡ଼ଝିଅ ହେଉଛନ୍ତି ସବିହା ସୁମ୍ବୁଲ। ରେଭେନ୍ସା ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ଢେଙ୍କାନାଳ କଲେଜରୁ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ପରେ ଏବେ ଅଧ୍ୟାପିକା ହେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଶିକ୍ଷକତା ବୃତ୍ତି ପାଇଁ ଲକ୍ଷ୍ୟ ରଖିଥିବା ବେଳେ ପ୍ରବୃତ୍ତି କିନ୍ତୁ ପଶୁପକ୍ଷୀ ପ୍ରେମ। ସବିହା ଏବେ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ କରୁଛନ୍ତି। ଏଥିରୁ ଆୟ ଅର୍ଥକୁ ମଧ୍ୟ ସେ ବୁଲା କୁକୁର, ଗାଈଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। ୨୦୨୧ରେ ସେ ପ୍ରଥମେ ୟୁଟ୍ୟୁବ୍ରୁ ରାକ୍ଷୀ ତିଆରି କୌଶଳ ଶିଖିବା ସହ ବଜାରର ଚାହିଦାକୁ ଅନୁକରଣ କରିଥିଲେ। ପ୍ରତିବର୍ଷ ତାଙ୍କ ରାକ୍ଷୀର ଚାହିଦା ବଢ଼ି ଚାଲିଛି।
ବାଣିଜ୍ୟ ଛାତ୍ରୀ ହୋଇଥିବାରୁ ସେ ଆଧୁନିକ ବିକ୍ରି କୌଶଳରେ ଅନ୍ଲାଇନ୍ କାରବାର ସହ ସିଧାସଳଖ ବ୍ୟବସାୟୀଙ୍କୁ ବି ବିକ୍ରି କରୁଛନ୍ତି। ଚଳିତ ବର୍ଷ ସେ ପଶୁପକ୍ଷୀଙ୍କ ପାଇଁ ମେଟାଲ୍ ରାକ୍ଷୀ ନୂଆ କରି ତିଆରି କରୁଛନ୍ତି। ଯାହାର ଭଲ ଚାହିଦା ରହିଛି। ତାଙ୍କ ରାକ୍ଷୀର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ରହିଛି। ସବିହାଙ୍କ କହିବା ଅନୁସାରେ ପିଲା ବେଳେ କଟକର ବଢ଼ିଥିବାରୁ ତାଙ୍କ ପାଇଁ ରାକ୍ଷୀ ନୂଆ ବା ଅଜଣା ନୁହେଁ। ସେ ହିନ୍ଦୁ ବନ୍ଧୁ ଓ ପଡ଼ୋଶୀଙ୍କ ସହ ଖୁଦୁରୁକୁଣୀ, ହୋଲି ଭଳି ପର୍ବରେ ସାମିଲ ହୁଅନ୍ତି। ପିଲା ଦିନରୁ ହସ୍ତଶିଳ୍ପ ପ୍ରତି ଆଗ୍ରହ ଥିବାରୁ ରାକ୍ଷୀ ତିଆରିକୁ ବାଛି ନେଇଥିଲେ।