ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ଓଡିଶା ମୁସଲିମ୍ ସଂଗଠନଗୁଡ଼ିକ ବିରୋଧ କରିଛନ୍ତି । ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଙ୍ଗଳବାର ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ କରି ରାଜ୍ୟର ମୁସଲିମ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଏହା ଲାଗୁ ନ କରିବା ପାଇଁ ଦାବି କରିଛନ୍ତି ସଂଗଠନ । ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ଏହି ରାଲିରେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପଡ଼ୋଶୀ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ଜୋରଦାର ପ୍ରତିବାଦ ହେଉଥିବା ବେଳେ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି । ଗତକାଲି ମୁସଲିମ ଦଳିତ ସୁରକ୍ଷା ମଂଚ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିଲା । କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ଶତାଧିକ ମୁସଲମାନ ଏକାଠି ହୋଇ ପ୍ରତିବାଦ ଜଣାଇଥିବା ବେଳେ ଆଜି ରାଜଧାନୀରେ ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ କରାଯାଉଛି ବିକ୍ଷୋଭ । ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ହଟାଓ ଦାବିରେ ନାରାବାଜି ମଧ୍ୟ କରିଛନ୍ତି । ଏପଟେ ଆଜି ଭୁବନେଶ୍ୱରରେ ମୁସଲିମ ସଂଘ ପ୍ରତିବାଦ କରିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ୪ ଜିଲ୍ଲାର ମୁସଲିମ୍ ସଂଗଠନର ପ୍ରତିନିଧି ଏନଆରସି ଲାଗୁ ନକରିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।