ଖୋର୍ଦ୍ଧା: ଶ୍ରୀଜଗନ୍ନାଥ ଆମର ଦେବତା । ଏହି ରାଜ୍ୟର ପାଣିପବନ ସବୁ ତାଙ୍କର । ଆମେ ଜଗନ୍ନାଥ ଦେଶର ଲୋକ । ଆମର ଯାହା କିଛି ଅଛି ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କର । ବାହାରକୁ ଗଲେ ଜାତି ଧର୍ମ ନିର୍ବିଶେଷରେ ଆମକୁ ‘ଜଗନ୍ନାଥଙ୍କ ଦେଶର ଲୋକ’ ବୋଲି ଚିହ୍ନୁଛନ୍ତି । ଏଣୁ ଜଗନ୍ନାଥଙ୍କ ପାଇଁ ଗଛ କ'ଣ, ଆବଶ୍ୟକ ପଡ଼ିଲେ ନିଜର ରକ୍ତ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ନିଜ ବାଡ଼ିରେ ଥିବା ଶିମୁଳି ଗଛ ଦାନ ଦେଇଥିବା ଟାଙ୍ଗି ରେଂଜ ଅନ୍ତର୍ଗତ ନିରାକାରପୁର ଖଜୁରିପଡ଼ାର ସହଜୁଦ୍ଦୀନ ଖାଁ ।
ସେ କହିଛନ୍ତି ଯେ ଯେତେବେଳେ ବନ ବିଭାଗର କର୍ମଚାରୀ ତାଙ୍କୁ ଗଛ ପାଇଁ କହିଲେ ସେ ଖୁସୀରେ ତତ୍କ୍ଷଣାତ ଏଥିପାଇଁ ମଙ୍ଗିଲେ । ଆଜି ବନ ବିଭାଗ କର୍ମଚାରୀ ଆସି ଗଛଟିକୁ କାଟି ନେଇଛନ୍ତି । ଯାହା ଏଠାରେ ଅଛି ସବୁ ଜଗନ୍ନାଥଙ୍କର । ଏଣୁ ଆମେ କ'ଣ ଦେଇଛୁ, ତାଙ୍କର ଜିନିଷ ତାଙ୍କ ପାଇଁ ଲାଗିଛି ବୋଲି ସହଜୁଦ୍ଦୀନ ଖାଁ କହିଛନ୍ତି ।
ଶ୍ରୀଜଗନ୍ନାଙ୍କ ରଥ ନିର୍ମାଣରେ ଆବଶ୍ୟକ କାଠ ମିଳୁନାହିଁ । ଏହି ସମସ୍ୟା ଦୂର କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ଖୋର୍ଦ୍ଧା ବନଖଣ୍ଡ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ଯେଉଁମାନଙ୍କ ବାଡ଼ି, ବଗିଚା ଓ ତୋଟା ଆଦିରେ ଗଛ ରହିଛି ଏବଂ ସେମାନେ ରଥ ନିର୍ମାଣ ପାଇଁ ଦାନ ଦେବାକୁ ଚାହାନ୍ତି ତେବେ ଦେଇପାରିବେ ବୋଲି କହିଥିଲେ । ଏହି କ୍ରମରେ ତିନିଟି ରେଂଜରୁ ୬୫ଟି ଗଛ ସଂଗ୍ରହ କରାଯାଇଥିଲା । ସେ ମଧ୍ୟରୁ ବେଗୁନିଆ ରେଂଜରୁ ମଇ ଗଛ ଗୋଟିଏ, ଶିମୁଳି ୪ଟା, ମହଲା ୨ଟି, ଆମ୍ବ ୩ଟା ଏଭଳି ୧୦ଟି ଗଛ; ରଣପୁର ରେଂଜରୁ ଚାକୁଣ୍ଡା ୨୩, ଆମ୍ବ-୨ଟି ଏଭଳି ୨୫ଟି, ବାଲୁଗାଁ ରେଂଜ୍ରୁ ଚାକୁଣ୍ଡା ୫, ଆମ୍ବ ୫, ଏଭଳି ୧୦ଟି ଓ ଟାଙ୍ଗୀ ରେଂଜରୁ ତାଳ୧୯, ଶିମୁଳି-୧ଟି ଏଭଳି ୨୦ଟି ଗଛ ସଂଗ୍ରହ କରାଯାଇ ଆଜି ପୁରୀ ପଠାଯାଇଛି ।
ଏନେଇ ଖୋର୍ଦ୍ଧା ବନଖଣ୍ଡର ବନସଂରକ୍ଷକ ସତୀଶ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬୫ଟି ଗଛର ଅନୁରୋଧ କରାଯାଇଥିଲା । ଏହିଗୁଡ଼ିକୁ ବ୍ୟକ୍ତିଗତ ଲୋକ ଦାନ ଦେଇଛନ୍ତି । ଯଦି ଅଧିକ ଗଛ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରନ୍ତି ତେବେ ସଂଗ୍ରହ କରି ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/3f4ddd70-7206-4ee2-8936-32c789c0588c.jpg)