ସୁନ୍ଦରଗଡ଼ : ମୁସଲମାନ ଶିକ୍ଷକ ଶିଖାଉଛନ୍ତି ଯୋଗ

ସୁନ୍ଦରଗଡ଼ : ବେକରେ ରାମଦେବ ବାବାଙ୍କ ଫଟୋ ଚିତ୍ର ଥିବା ଗୈରିକ ଉତ୍ତରୀୟ, ମୁହଁରେ ଓଁ ଉଚ୍ଚାରଣ ସହ ଗାୟତ୍ରୀ ମନ୍ତ୍ର ପାଠ କରି ଯୋଗ ମୁଦ୍ରାରେ ବସିଥିବା ବ୍ୟକ୍ତିଟି କେଉଁ ସମ୍ପ୍ରଦାୟ ବା ଧର୍ମର ବୋଲି ଯଦି ପଚରାଯାଏ, ତେବେ ଆପଣ ଆଖି ବୁଜି ତତ୍‌କ୍ଷଣାତ କହିଦେବେ ସେ ନିଶ୍ଚିତ ସନାତନ ହିନ୍ଦୁ ଧର୍ମର। କିନ୍ତୁ ଏମିତି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଯୋଗ ଶିଖାଉଥିବା ବ୍ୟକ୍ତି ଜଣକ ମୁସଲମାନ ମଧ୍ୟ ହୋ‌ଇ ପାରନ୍ତି। ଜଣେ ମୁସଲମାନ ଧର୍ମାବଲମ୍ବୀଙ୍କ ମୁହଁରେ ଗାୟତ୍ରୀ ମନ୍ତ୍ର ଓ ତାଙ୍କ ଯୋଗ ପ୍ରଶିକ୍ଷଣ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଧର୍ମକୁ ମାନବିକତା, ଭାଇଚାରା, ଧର୍ମୀୟ ସଦ୍‌ଭାବରେ ବାନ୍ଧି ରଖି ଯୋଗ ଶିଖାଉଥିବା ଏହି ବ୍ୟକ୍ତିଙ୍କ ନାମ ରଫିକ୍‌ ଖାନ୍‌। ସେ ଆଚାର୍ଯ୍ୟ ରଫିକ୍‌ ଖାନ୍‌ ଭାବେ ପରିଚିତ। ସୁନ୍ଦରଗଡ଼ ଜିଲ୍ଲାର ବଣପାହାଡ଼ ଘେରା ହେମଗିର ବ୍ଲକରେ ଥିବା ଲୁଆବାହାଲ ବୋଲି ଏକ ଛୋଟ ଗାଁରେ ଘର। ମୁସଲମାନ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଆଚାର୍ଯ୍ୟ ଉପାଧି ଗ୍ରହଣ କରି ଏବେ ସେ ଯୋଗ ପ୍ରଶିକ୍ଷକର ପରିଚୟରେ ବ୍ଲକ୍‌ର ବିଭିନ୍ନ ଗାଁ ଓ ସ୍କୁଲ୍‌ରେ ଯୋଗଶିକ୍ଷା ଦେଇ ଚାଲିଛନ୍ତି। ଏହା ସହ ଆୟୁର୍ବେଦ ଉପଚାରର ପ୍ରଚାରକ ଭାବେ ମଧ୍ୟ ସେ ବେଶ୍‌ ଜଣାଶୁଣା।

ରଫିକ୍‌ ଖାନ୍‌ ଯୋଗ ପ୍ରତି ଆକୃଷ୍ଟ ହୋଇଥିଲେ ୨୦୧୦ରେ। ସେତେବେଳକୁ ତାଙ୍କ ବିବାହ ହୋଇ ସାରିଥିଲା ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ବାଘମୁଣ୍ଡା ଗାଁରେ। ତାଙ୍କ ପତ୍ନୀ ମଧ୍ୟ ମୁସଲମାନ। ସେତେବେଳକୁ ସେ ସାଂଘାତିକ ଭାବେ ପେଟ ଗ୍ୟାସ୍‌ ଓ ହୃଦରୋଗରେ ପୀଡ଼ିତ ଥିଲେ। ବହୁ ଦିନ ଧରି ଡାକ୍ତରୀ ଚିକିତ୍ସା ପରେ ବି ଭଲ ହେଉ ନଥିଲେ। ସେହି ସମୟରେ ତାଙ୍କ ଭିଣୋଇ ତାଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ପ୍ରଥମେ ସେ ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ରୋଗ ପାଇଁ ତାଙ୍କୁ ଯୋଗ କରିବାକୁ ପଡ଼ିଲା। ନିୟମିତ ଯୋଗାଭ୍ୟାସ କରିବା ଦ୍ବାରା ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ। ଏହା ପରେ ତାଙ୍କ ମନପ୍ରାଣ ଯୋଗ ପ୍ରତି ଢଳି ପଡ଼ିଲା। ୨୦୧୦ ଜାନୁଆରି ୧ରୁ ୫ ତାରିଖ ଯାଏ ସେ ହରିଦ୍ବାର ସ୍ବାମୀ ରାମଦେବ ବାବାଙ୍କ ଆଶ୍ରମରେ ଯୋଗ ତାଲିମ ନେଇ ଫେରିବା ପରେ ଅନ୍ୟମାନଙ୍କୁ ଯୋଗ ଶିଖାଇବା ଆରମ୍ଭ କରିଥିଲେ। ତେବେ ତାଙ୍କ ଯୋଗଶିକ୍ଷାକୁ ନେଇ ପ୍ରଥମେ ମୁସଲମାନ ସମ୍ପ୍ରଦାୟ ମଧ୍ୟରୁ ପ୍ରବଳ ବିରୋଧ ହୋଇଥିଲା। ବିଶେଷକରି ଯୋଗ ଆରମ୍ଭ କରିବା ପୂର୍ବରୁ ୩ ଥର ଓଁ ଉଚ୍ଚାରଣ ଓ ଏହା ପରେ ଗାୟତ୍ରୀ ମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ପ୍ରାର୍ଥନା ମନ୍ତ୍ର ଓ ସଂକଳ୍ପ ମନ୍ତ୍ର ବୋଲିବାକୁ ନେଇ ତାଙ୍କ ସଂପ୍ରଦାୟ ଆପତ୍ତି ଉଠାଇଥିଲା। କିନ୍ତୁ ସେଥିରେ ସେ ହାରି ଯାଇ ନଥିଲେ। ଏସବୁ ମନ୍ତ୍ର କୌଣସି ମତ, ପନ୍ଥ ବା ଧର୍ମର ନୁହେଁ, ପ୍ରକୃତରେ ଏହା ସମଗ୍ର ପ୍ରାଣୀ ଜଗତର ମଙ୍ଗଳ ପାଇଁ ଉଚ୍ଚାରଣ କରାଯାଉଥିବା ସେ ଅନୁଭବ କରିଥିବାରୁ ତାଙ୍କ ଯୋଗ ପ୍ରଶିକ୍ଷଣ ଜାରି ରହିଥିଲା।

୫ ବର୍ଷ ତଳେ ଭୁବନେଶ୍ବରରେ ସ୍ବାମୀ ରାମଦେବଙ୍କ ସମ୍ମିଳନୀରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପୁରୀ ଜିଲ୍ଲାର ଜଣେ ସହପାଠୀ ଯୋଗ ପ୍ରଶିକ୍ଷକ ରଫିକ୍‌ ଖାନ୍‌ଙ୍କ ଅନୁଶାସନ, ବ୍ୟବହାର, ମନ୍ତ୍ର ପାଠ ଓ ଯୋଗାଭ୍ୟାସକୁ ପରଖି ତାଙ୍କୁ ସେଠାରେ ‘ଆଚାର୍ଯ୍ୟ’ ଉପାଧି ଦେଇଥିଲେ। ଏହା ପରେ ସେ ଫେରି ଆସିଥିଲେ ନିଜ ଗାଁକୁ। ସେ କହନ୍ତି, ରୋଗର ଉପଚାର ଯୋଗରେ ଥିବାରୁ ତାଙ୍କୁ ବିରୋଧ କରୁଥିବା ମୁସଲମାନ ଭାଇଭଉଣୀମାନେ ମଧ୍ୟ କ୍ରମଶଃ ତାଙ୍କର ଯୋଗଶିକ୍ଷାକୁ ଗ୍ରହଣ କରିଛନ୍ତି। ଏପରିକି ଅନେକ ମୁସଲମାନ ତାଙ୍କ ପାଖକୁ ଯୋଗ ପ୍ରଶିକ୍ଷଣ ଓ ରୋଗ ଉପଚାର ପାଇଁ ନିୟମିତ ଆସୁଥିବା ସେ କହିଛନ୍ତି। କୁଅଁରକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷକ ଥିବା ଆଚାର୍ଯ୍ୟ ରଫିକ୍‌ ଏବେ ପ୍ରତିଦିନ କୌଣସି ନା କୌଣସି ଗୋଟିଏ ଗାଁକୁ ଯାଇ ଘଣ୍ଟାଏ ଶରୀର ପାଇଁ ଯୋଗ ଓ ଘଣ୍ଟାଏ ଦେଶ ପାଇଁ ପ୍ରଦାନ କରିବାର ସଂକଳ୍ପ ମନ୍ତ୍ର ବାଣ୍ଟନ୍ତି। ଉଲ୍ଲେଖନୀୟ ଯେ ସେ ଶୁଦ୍ଧ ଶାକାହାର ଗ୍ରହଣ କରନ୍ତି। ଆଚାର୍ଯ୍ୟ ରଫିକ୍‌ଙ୍କ ଭାଷାରେ, ‘‘ମନ୍ଦିରର ଦ୍ବାର ଯେମିତି କେବଳ ହିନ୍ଦୁଙ୍କ ପାଇଁ ଖୋଲା, ସେମିତି କେବଳ ମୁସଲମାନମାନଙ୍କ ପାଇଁ ମସଜିଦ୍‌, ଶିଖ୍‌ମାନଙ୍କ ପାଇଁ ଗୁରୁଦ୍ବାର ଓ ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ଚର୍ଚ୍ଚର ଦ୍ବାର ଖୋଲା। କିନ୍ତୁ ଯୋଗର ଦ୍ବାର ହିନ୍ଦୁ, ମୁସଲମାନ, ଶିଖ୍‌ ଓ ଖ୍ରୀଷ୍ଟିଆନ ସମସ୍ତଙ୍କ ପାଇଁ ଖୋଲା। ଯୋଗ ସୁସ୍ଥ ଶରୀର, ସୁସ୍ଥ ମାନସିକତା ସହ ମାନବିକତା ଶିଖାଏ ବୋଲି ସେ କହନ୍ତି। ନିକଟରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟରେ ଜଣେ ମୁସଲିମ୍‌ ପ୍ରଫେସରଙ୍କ ସଂସ୍କୃତ ପଢ଼ାଇବାକୁ ‌ନେଇ ଆପତ୍ତି ଉଠିଛି। ଏପରିସ୍ଥିତିରେ ଆଚାର୍ଯ୍ୟ ରଫିକ୍ ଖାନ ଓଁକାର ମଧ୍ୟରେ ଯୋଗ ପ୍ରଶିକ୍ଷଣ ଦେଇ ଧର୍ମରେ ମାନବିକତାର ମନ୍ତ୍ର ଫୁଙ୍କିଛନ୍ତି। ଦେଇଛନ୍ତି ସଦ୍‌ଭାବର ବାର୍ତ୍ତା।

ସମ୍ବନ୍ଧିତ ଖବର