‘ପ୍ରତ୍ୟେକ ଦିନ ସେନା ଉପରେ କୃତଜ୍ଞ ହେବା ଆବଶ୍ୟକ’

ପ୍ରତିରକ୍ଷା ବ୍ୟବସ୍ଥାରେ ଏନ୍‌ସିସିର ଭୂମିକା ଶୀର୍ଷକ ଜାତୀୟ ସମ୍ମିଳନୀ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ‘ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଓ ନ୍ୟାସନାଲ କ୍ୟାଡେଟ୍‌ କର୍ପ୍‌ସ(ଏନସିସି)ର ଭୂମିକା’ ଶୀର୍ଷକ ପ୍ରଥମ ଜାତୀୟ ସମ୍ମିଳନୀ ଆଜି ଆରମ୍ଭ ହୋଇଛି। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ମୁଖ୍ୟଅତିଥି ଏନ୍‌ଆଇଟି ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ ଭାରତୀୟ ବୀରଙ୍କ ଅଦମ୍ୟ ସାହସ ଓ ନିଷ୍ଠାପର ଦେଶସେବା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସୀମାରେ କାର୍ଯ୍ୟରତ ଆମ ଯବାନଙ୍କ ଯୋଗୁଁ ଆମେ ନିରାପଦଭାବେ ଜୀବନଯାପନ କରିପାରୁଛୁ। ସେମାନଙ୍କ ଉଦ୍ୟମ ଓ ବଳିଦାନ ପାଇଁ ଆମେ ପ୍ରତ୍ୟେକ ଦିନ କୃତଜ୍ଞ ହେବା ଆବଶ୍ୟକ। ସମ୍ମିଳନୀର ସଂଯୋଜକ ଲେଫ୍ଟନାଣ୍ଟ୍‌ ପ୍ରଫେସର ଅଜିତ ବେହେରା ‘ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା’ ର ସାମ୍ପ୍ରତିକ ସ୍ଥିତି, ପ୍ରଯୁକ୍ତିବିଦ୍ୟା ଓ ଅନୁସନ୍ଧାନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ।

ସ୍ବତନ୍ତ୍ର ଅତିଥି କର୍ଣ୍ଣଲ୍‌ ଏସ.ସି. କୁଳକର୍ଣ୍ଣି କହିଲେ, ୧୩ ଲକ୍ଷରୁ ଅଧିକ କ୍ୟାଡେଟ୍‌ ବିଶିଷ୍ଟ ଏନ୍‌ସିସି ହେଉଛି ବିଶ୍ବର ସବୁଠୁ ବଡ଼ ଯୁବ ଶକ୍ତି ଓ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଅର୍ଥନୈତିକ, ସାଟେଲାଇଟ୍‌, ସାଇବର ଯୁଦ୍ଧ ଏକ ପ୍ରମୁଖ ବିପଦ ଭାବେ ଉଭା ହୋଇଛି। ଆଜିକାର ଯୁବପିଢ଼ି ଏନେଇ ସବିଶେଷ ଜ୍ଞାନ ହାସଲକରି ଦେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଶ୍ରେୟସ୍କର। ସମ୍ମାନିତ ଅତିଥି ଗ୍ରୁପ୍‌ ମୁଖ୍ୟାଳୟ ସମ୍ବଲପୁରର କର୍ଣ୍ଣଲ୍‌ ପି.ଡି. ଗ୍ୟାତ୍‌ସୋ କହିଲେ, ୧.୪ ନିୟୁତ ବିଶିଷ୍ଟ ଭାରତୀୟ ସୈନ୍ୟବାହିନୀ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ। ଆମ ସୈନ୍ୟବାହିନୀ ଯେ କୌଣସି ସୁପର୍‌ ପାୱାର୍‌ ସହ ମୁକାବିଲା କରିବାରେ ସକ୍ଷମ। ଡିଆର୍‌ଡିଓ ଭଳି ସଂସ୍ଥା ଯୋଗୁଁ ଭାରତର ଟେକ୍ନୋଲୋଜି ଓ ଅସ୍ତ୍ର ଆମଦାନୀ ପରିମାଣ ହ୍ରାସ ପାଇଛି।

ବିଜ୍ଞାନ କିମ୍ବା ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରଛାତ୍ରୀ ଡିଆର୍‌ଡିଓ, ତଥା ଅନ୍ୟ ଗବେଷଣାରତ ସଂସ୍ଥା ସହ ଜଡ଼ିତ ହେବାକୁ ଆହ୍ବାନ କରିଥିଲେ। ଦ୍ବିତୀୟ ଅଧିବେଶନରେ ମୁଖ୍ୟବକ୍ତା ଲେଫ୍ଟନାଣ୍ଟ୍‌ ଉଦୟ, କ୍ୟାପଟେନ୍‌ ଆର୍ଯ୍ୟ ଜେନା, ଲେଫ୍ଟନାଣ୍ଟ୍‌ ପି.କେ. ସାହୁ ପ୍ରମୁଖ ‘ଏନ୍‌ସିସି କ୍ୟାଡେଟ୍‌ଙ୍କ ପାଇଁ ନିଯୁକ୍ତି ସୁଯୋଗ’, ‘ପ୍ରାକୃତିକ ବିପର୍ଯ୍ୟୟରେ ଏନ୍‌ସି୍‌ସି କ୍ୟାଡେଟ୍‌ଙ୍କ ଭୂମିକା’, ‘ଶକ୍ତିଶାଳୀ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା’ ଆଦି ସନ୍ଦର୍ଭରେ ଉପସ୍ଥାପନ କରିଥିଲେ। ଏହାସହ ବିଭିନ୍ନ ପ୍ରସଙ୍ଗ, ଯଥା- ‘ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲ ସିଷ୍ଟମ୍‌’, ‘ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ କୁତ୍ରମି ବୁଦ୍ଧିମତା ଓ କମ୍ପ୍ୟୁଟର୍‌ ଟେକ୍ନୋନଲୋଜିର ପ୍ରୟୋଗ’, ‘୫ଜି ଟେକ୍ନୋଲୋଜିର ବ୍ୟବହାର’, ‘ନୂତନ ନେତୃତ୍ବ ତିଆରିବାରେ ଏନ୍‌ସିସିର ଭୂମିକା’ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରାୟ ଦେଢ଼ ଶହରୁ ଅଧିକ କ୍ୟାଡେଟ୍‌ ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର