ଥରକେ ଯିବ ୧୦ଟି ବସ, ଶହେ ଯାତ୍ରୀ, ତତୋଧିକ ଦୁଇଚକିଆ ଗାଡ଼ି
ଧାମରା : ଓଡ଼ିଶାରେ ଅନ୍ତର୍ଦେଶୀୟ ଜଳପଥ ସେବା ବିସ୍ତାରିତ ହେବାକୁ ଯାଉଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି-କେନ୍ଦ୍ରାପଡ଼ା ମଧ୍ୟରେ ଜଳପଥ ଦେଇ ଖୁବଶୀଘ୍ର ମାଲ ଓ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଅନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି (ସୋମବାର) ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଧାମରାରେ ଆସି ପହଞ୍ଚିଛି ‘ଏମ୍ଭି ଭୂପେନ ହଜାରିକା’ ନାମକ ଏକ ଅତ୍ୟାଧୁନିକ ଯନ୍ତ୍ରଚାଳିତ ଡଙ୍ଗା ବା ‘ଭେସେଲ୍’ । ଏହି ଭେସଲ୍ରେ ଏକାଥରକେ ୧୦ଟି ବସ, ଶହେ ଯାତ୍ରୀଙ୍କ ସହ ତତୋଧିକ ଦୁଇଚକିଆ ଯାନ ଜଳପଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅକ୍ଲେଶରେ ଯାଇପାରିବ।
ରାଜ୍ୟ ବାଣିଜ୍ୟ ବିଭାଗର କନିଷ୍ଠଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ସୂଚନା ମୁତାବକ କ୍ଷୁଦ୍ର ଜାହାଜ ସମ ଏହି ଭେସେଲ୍ର ଓଜନ ୨୦୦ ଟନ୍ରୁ ଅଧିକ। ଏହାର ଲମ୍ବ ୪୬ ମିଟର ଥିବାବେଳେ କୋଲକାତାରେ ଏହାକୁ ନିର୍ମାଣ କରାଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୨ କୋଟିରୁ ଅଧିକ ଟଙ୍କା। କେନ୍ଦ୍ର ଅନ୍ତର୍ଦେଶୀୟ ଜଳପଥ ଓ ପରିବହନ ବିଭାଗ ଆଜି ବିଧିବଦ୍ଧ ଭାବେ ଏହାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିଛି। ଜଳପଥରେ ଏହି ଅତ୍ୟାଧୁନିକ ଭେସେଲ୍ ଭଦ୍ରକ ଜିଲ୍ଲାର ଧାମରା ମୁହାଣରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ମୁହାଣ ଯାଏ ଯିବ। ଏହା ଦ୍ବାରା ଉଭୟ ଜିଲ୍ଲାକୁ ଦୂରତା କମିଯିବା ସହ ଦୁଇ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ।
ସୂଚନାଯୋଗ୍ୟ, ରାଜ୍ୟ ବାଣିଜ୍ୟ ବିଭାଗ ସଚିବ ମଧୂସୂଦନ ପାଢ଼ୀ ଗତବର୍ଷ ଦୁଇ ଜିଲ୍ଲା ଗସ୍ତରେ ଆସି ଧାମରା-ତାଳଚୁଆ ଜଳପଥରେ ମାଲ୍ ପରିବହନ ଓ ଯାତ୍ରୀସେବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଆଜି ‘ଏମ୍ଭି ଭୂପେନ ହଜାରିକା’ ଏଠାରେ ପହଞ୍ଚିବା ପରେ ଜଳଯାତ୍ରା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ତେବେ ତାଳଚୁଆ ଓ ଧାମରା ନିକଟ କାଳନାଳୀଠାରେ ୨ଟି ଉନ୍ନତମାନର ଆରୋ ପ୍ୟାକ୍ସ ଜେଟି ନିର୍ମାଣ କରାଗଲେ ଭେସେଲ୍ ମାଧୢମରେ ନଦୀ ମଧୢରେ ଯାତାୟାତ ସେବା ଆହୁରି ଅଧିକ ସୁଗମ ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।