କଟକ: ‘ଗାଁରେ ମୁଁ ଘର କରିଥିଲି। ମୋ ଘରେ ସାନ ଭାଇର ପରିବାର ରହୁଛନ୍ତି। ମୋ ଭାଇ ମୋତେ ମାରିଦେବେ...। ବହୁଚର୍ଚ୍ଚିତ ବେଲେଶ୍ବେର ଡବଲ୍‌ ମର୍ଡର ଘଟଣାରେ ଏଭଳି ଚାଞ୍ଚଲ୍ୟକର ଚିଠି କମିସନରେଟ୍ ପୁଲିସର ହସ୍ତଗତ ହୋଇଛି। ମୃତ ଶ୍ରୀନାଥ ସାମଲ ଏଭଳି ଚିଠି ଯାଜପୁର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଏଭଳି ତିନିଟି ଚିଠି ଶ୍ରୀ ସାମଲ ଲେଖିଛନ୍ତି। ଏହି ଚିଠିଗୁଡ଼ିକ ଯଦିଓ ଯାଜପୁର ଏସ୍‌ପିଙ୍କ ନିକଟକୁ ପଠାଯାଇ ନାହିଁ, ଏହା ତାଙ୍କ ଘରୁ କମିସନରେଟ୍ ପୁଲିସ ଜବତ କରିଛି। ତେବେ ଗାଁରେ ରହୁଥିବା ଶ୍ରୀନାଥଙ୍କ ଭାଇଙ୍କ ଉଦ୍ଦେଶ୍ୟରେ ଏଭଳି ଚିଠି ସେ ଲେଖିଥିବା ମଧୁପାଟଣା ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Advertisment

ବେଲେଶ୍ବର ଅଞ୍ଚଳର ବୃଦ୍ଧ ଦମ୍ପତି ଏଫ୍‌ସିଆଇର ଅବସରପ୍ରାପ୍ତ ଅଧିକାରୀ ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କୁ ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହତ୍ୟା କରାଯିବା ଘଟଣାରେ ଗଲା ୧୨ ତାରିଖରେ ୪ ବର୍ଷ ପୂରିଛି। ଏହା ଭିତରେ ଘଟଣାର ତଦନ୍ତ ଭାର ପୁଲିସ କମିସନର୍‌ଙ୍କ କାର୍ଯ୍ୟାଳୟରେ ଖୋଲିଥିବା ସ୍ବତନ୍ତ୍ର ଅପରାଧ ୟୁନିଟ୍‌(ଏସ୍‌ସିୟୁ) ଥାନାକୁ ହସ୍ତାନ୍ତର କରାଯାଇଛି। ତତ୍କାଳନୀ ଜୋନ୍-୬ ଏସିପି ଶୁଭନାରାୟଣ ମୁଦୁଲିଙ୍କ ହାତରୁ ତଦନ୍ତଭାରକୁ ସିଧା ସ୍ବତନ୍ତ୍ର ଅପରାଧ ୟୁନିଟ୍‌ ଥାନାର ତଦନ୍ତକାରୀ ଅଧିକାରୀ ରାଜକିଶୋର ପାଇକରାୟଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ଘଟଣାରେ ଶ୍ରୀନାଥଙ୍କ ହାତଲେଖା ଚିଠି ଚର୍ଚ୍ଚାକୁ ବଢ଼ାଇ ଦେଇଛି।

ଯାଜପୁର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ
ବେଲେଶ୍ବର ଡବଲ୍ ମର୍ଡରରେ ନୂଆ ମୋଡ଼
ସ୍ବତନ୍ତ୍ର ଅପରାଧ ୟୁନିଟ୍‌ର ଖୋଳତାଡ଼

ଯାଜପୁର ଜିଲ୍ଲା ବରୀରେ ଥିବା ଶ୍ରୀନାଥଙ୍କ ପୈତୃକ ଗାଁରେ ୧୯୯୬ ବେଳକୁ ଦୁଇମହଲା ଘର ତିଆରି କରିଥିଲେ। ଶ୍ରୀନାଥ ବେଲେଶ୍ବର ଅଞ୍ଚଳରେ ୨୦୦୭ରୁ ଘର କରି ରହୁଥିଲେ। ସବା ସାନଭାଇ ସୁବାସ ଗାଁରେ ଉକ୍ତ ଘରେ ରୁହନ୍ତି। ମଝିଆଁ ଭାଇ ଲମ୍ବୋଦର ଭୁବନେଶ୍ବରରେ ରୁହନ୍ତି। ତେବେ ଶ୍ରୀନାଥଙ୍କ ପୁଅ ରବୀନ୍ଦ୍ର ପରିବାର ସହିତ ଚେନ୍ନାଇରେ ରହୁଥିବା ବେଳେ ଏହି ଗାଁ ଘରକୁ ସୁବାସଙ୍କ ପରିବାର ଦଖଲକୁ ନେଇଯିବା ଆଶଙ୍କାରେ ଥିଲେ ଶ୍ରୀନାଥ। ଏ ସମ୍ପର୍କରେ ଶ୍ରୀନାଥ ହତ୍ୟାକାଣ୍ଡର ପ୍ରାୟ ୩ମାସ ପୂର୍ବରୁ ପୁଅ ରବୀନ୍ଦ୍ରଙ୍କ ସହିତ ଆଲୋଚନା କରିଥିଲେ। ତେବେ ଯାଜପୁର ଏସ୍‌ପିଙ୍କୁ ଏ ସମ୍ପର୍କରେ ଅବଗତ କରି ପୁଲିସ ସହାୟତାରେ ଘରକୁ ନିଜ ଦଖଲକୁ ଆଣିବାକୁ ଶ୍ରୀନାଥ ଯୋଜନା କରିଥିଲେ। ମୃତ୍ୟୁ ପୂର୍ବରୁ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଶ୍ରୀନାଥ ଓଡ଼ିଆରେ ଦୁଇଟି ଓ ଇଂରାଜୀରେ ଗୋଟିଏ ଚିଠି ଲେଖିଥିଲେ। ଇଂରାଜୀରେ ଲେଖିଥିବା ଚିଠିକୁ ଡିଟିପି କରିଥିଲେ। ଏହି ଚିଠିଗୁଡ଼ିକ ଶ୍ରୀନାଥ ନିଜ ଘରେ ଏକ ବାକ୍ସରେ ରଖିଥିଲେ। ତାଙ୍କ ସାନ ଭାଇଙ୍କ ପଟୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ଘର ଦଖଲ କରିଥିବା ସଂକ୍ରାନ୍ତରେ ଏହି ଚିଠିରେ ଶ୍ରୀନାଥ ଉଲ୍ଲେଖ କରିଥିଲେ। ମଧୁପାଟଣା ଥାନା ପୁଲିସ ଏହି ସମସ୍ତ ଚିଠି ଜବତ କରିଛି। ହେଲେ ଏହି ଚିଠି କେଉଁଠାରେ ଡିଟିପି ହୋଇଛି, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମିଳିପାରି ନାହିଁ। ପୁଲିସ କମିସନର୍‌ଙ୍କ ସ୍ବତନ୍ତ୍ର ଅପରାଧ ୟୁନିଟ୍‌(ଏସ୍‌ସିୟୁ) ଏହି ଚିଠିକୁ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ଶ୍ରୀନାଥ ଓ ତାଙ୍କ ଅନ୍ୟ ଦୁଇଭାଇଙ୍କ ଭିତରେ ସେଭଳି କୌଣସି ପୂର୍ବ ବିବାଦ ନଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଶ୍ରୀନାଥ ନିଜ ଭାଇଙ୍କୁ ନେଇ ଏଭଳି ଆଶଙ୍କା କରିବା ଘଟଣା ଓ ପରେ ଉଭୟ ଦମ୍ପତିଙ୍କ ହତ୍ୟା ହେବା ତଦନ୍ତକାରୀ ଅଧିକାରୀଙ୍କୁ ଅଡ଼ୁଆରେ ପକାଇଛି। ଏମିତିରେ ପୁଲିସ ଶ୍ରୀନାଥଙ୍କ ତଳ ଭାଇ ଲମ୍ବୋଦର ଓ ସାନ ଭାଇ ସୁବାସଙ୍କ ସମେତ ଲମ୍ବୋଦରଙ୍କ ପୁଅ ରାଜା ଓରଫ ସୌମେନ୍ଦ୍ରଙ୍କ ରସୁଲଗଡ଼ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରିରେ ଲାଏ ଡିଟେକ୍ସନ୍‌ ପରୀକ୍ଷା କରିଥିବା ବେଳେ ଏଥିରୁ କୌଣସି ପ୍ରକାର ପ୍ରମାଣ ମିଳିପାରି ନାହିଁ। ତେବେ ଏହି ଘଟଣାର ମୋଡ଼ କେଉଁଆଡ଼କୁ ଯିବ, ଏହାରି ଉପରେ ସ୍ବତନ୍ତ୍ର ଅପରାଧ ୟୁନିଟ୍‌ର ନଜର ରହିଥିବା ସୂଚନା ମିଳିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ବରିଷ୍ଠ ନାଗରିକ ମହାସଭାର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ଦାସସାମନ୍ତଙ୍କ କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ପୁଲିସ କୌଣସି ପ୍ରକାର ଅଗ୍ରଗତି କରିପାରିଲା ନାହିଁ। ମୂଳରୁ ଏହି ମାମଲାକୁ ବିଗାଡ଼ି ଦେଇଛନ୍ତି। ବାରମ୍ବାର ଡିଜିଙ୍କୁ ଭେଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ଦାବି କରାଯାଇଥିଲା। କିନ୍ତୁ କିଛି ଲାଭ ହେଲା ନାହିଁ। ବରିଷ୍ଠ ନାଗରିକମାନେ ଏହାଦ୍ବାରା ଅସୁରକ୍ଷିତ ଅନୁଭବ କରୁଥିବା ଶ୍ରୀ ଦାସସାମନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।