କଟକ: ଶିଶୁଭବନର ସଂପ୍ରସାରଣ ତଥା ନବକଳେବର ହେବାକୁ ଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଭବନରେ ଶଯ୍ୟାସଂଖ୍ୟା ବୃଦ୍ଧି ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶିଶୁଭବନର ଶଯ୍ୟାସଂଖ୍ୟା ୨୦୦ରୁ ୮୪୬କୁ ବୃଦ୍ଧି ପାଇଛି। ଏଥିପାଇଁ ଅତିରିକ୍ତ ଭାବେ ୧୧୪ଟି ନୂଆ ପଦବିକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୫୫୦ କୋଟି ଟଙ୍କା ଦରମା ବାବଦକୁ ଖର୍ଚ୍ଚ କରିବେ। ମାସକୁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment

ଶିଶୁଭବନର ନୂଆ ସାତ ମହଲା କୋଠା ପାଇଁ ଡାକ୍ତର ପଦବି ୫୯ଟି ବୃଦ୍ଧି ପାଇଛି। ଏଥିରେ ୫ ଜଣ ପ୍ରଫେସର, ୧୦ ଜଣ ଆସୋସିଏଟ୍ ପ୍ରଫେସର, ୧୮ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୨୪ଜଣ ସିନିୟର ରେସିଡେଣ୍ଟ, ୨ ଜଣ ମେଡିକାଲ୍ ଅଫିସର, ବ୍ଲଡ୍‌ ବ୍ୟାଙ୍କ ପାଇଁ ଜଣେ ଓ ଔଷଧ ଷ୍ଟୋର ପାଇଁ ଜଣେ ଡାକ୍ତର ପଦବିକୁ ମଞ୍ଜୁରି ମିଳିଛି। ସେହିଭଳି ୨୫ ଜଣ ପାରା ମେଡିକାଲ୍ ଷ୍ଟାଫ୍‌, ୩୦ ଜଣ ପ୍ରାଶାସନିକ କାର୍ଯ୍ୟାଳୟର କର୍ମଚାରୀ ରହିଛନ୍ତି। ଏମାନଙ୍କୁ ମିଶାଇ ନୂଆ ୧୧୪ଟି ପଦବିକୁ ମଞ୍ଜୁରି ମଳିଛି। ପୂର୍ବରୁ ଡାକ୍ତର ୩୩ ଜଣ ଥିଲେ। ଅନ୍ୟପଟେ ନର୍ସିଂ ଷ୍ଟାଫ୍ ଏବେ ୧୮୦ ଜଣ ଥିବା ବେଳେ ୫୫୬ଟି ପଦବି ପାଇଁ ମଞ୍ଜୁରି ମିଳିବାକୁ ଯାଉଛି। ଶିଶୁଭବନର ୭ ମହଲା କୋଠା ଚଳିତ ବର୍ଷ ଏପ୍ରିଲ ୧୧ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ବାରା ଉଦ୍‌ଘାଟିତ ହେବା ପରେ ଏହି ପଦବି ମଞ୍ଜୁରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। 

ତେବେ ଗୋଟିଏ ପଟେ ଡାକ୍ତରୀ ପଦବିକୁ ମଞ୍ଜୁରି ମିଳିଥିବା ବେଳେ ଶିଶୁଭବନରେ ପେଡିଆଟ୍ରିକ ପିଜି ଓ ସର୍ଜରି ସିଟ୍ ବୃଦ୍ଧି ପାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ପେଡିଆଟ୍ରିକରେ ୨୪ଟି ଓ ସର୍ଜରିରେ ୬ଟି ସିଟ୍ ରହିଛି। ଗୋଟିଏ ପ୍ରଫେସର ପଦବିକୁ ୩ଟି ପିଜି ହିସାବରେ ୧୫ଟି ପିଜି ସିଟ୍ ଓ ଜଣେ ଆସୋସିଏଟ୍ ପ୍ରଫେସର ପିଛା ଦୁଇଟି ହିସାବରେ ୨୦ଟି ପିଜି ସିଟ୍ ବୃଦ୍ଧି ପାଇବ। ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପୂର୍ଣ୍ଣକାଳୀନ କାମ ଆରମ୍ଭ କରିବା ପରେ ତାଙ୍କ ନାମ ନ୍ୟାସନାଲ୍ ମେଡିକାଲ୍ କମିସନ(ଏନ୍‌ଏମ୍‌ସି)କୁ ପଠାଯିବ। ଏନ୍‌ଏମ୍‌ସି ପକ୍ଷରୁ ଏକ ଟିମ୍ ଶିଶୁଭବନ ଗସ୍ତରେ ଆସିବେ। ସେମାନେ ଭିତ୍ତିଭୂମି, ଶ୍ରେଣୀଗୃହ, ପୂର୍ଣ୍ଣକାଳୀନ ଅଧ୍ୟାପକ ସ୍ଥିତି ଯାଞ୍ଚ କରିବା ପରେ ପିଜି ସିଟ୍ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ୧୯୬୦ରେ ଶିଶୁଭବନ ଆରମ୍ଭ ପରଠାରୁ ଏଭଳି ବଡ଼ ଧରଣର ପରିବର୍ତ୍ତନ ପ୍ରଥମ ଥର ହୋଇଥିବା କୁହାଯାଉଛି।