ମୋ ସ୍ବପ୍ନର ଘର: ଘର ଚାହିଦା ୧୨ ପ୍ରତିଶତ ବଢ଼ିବ, କମ୍ ସୁଧ ଓ ଆୟବୃଦ୍ଧି ଆଣିଛି ଉତ୍ସାହ

ଭୁବନେଶ୍ବର: କରୋନା ମହାମାରୀ ପାଇଁ ଦେଶର ରିଅଲ ଇଷ୍ଟେଟ ଶିଳ୍ପ ବିଗତ ଦିନରେ ପ୍ରଭାବିତ ହୋଇଥିଲା। ଲୋକମାନଙ୍କ ଆୟ ହ୍ରାସ ପାଇଥିଲା ଏବଂ ସେମାନେ ଘର କିଣିବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଉଥିଲେ। କିନ୍ତୁ ଏବେ ଏଥିରେ ସୁଧାର ଆସିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଆବାସିକ ରିଅଲ ଇଷ୍ଟେଟ କ୍ଷେତ୍ରର ଦୃଶ୍ୟପଟ ଭଲ ରହିବ ବୋଲି ଇଣ୍ଡିଆ ରେଟିଙ୍ଗସ୍‌ ଆଣ୍ଡ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।

ସରକାରଙ୍କ ନୀତି, କମ୍ ସୁଧ ହାର ସମେତ ଅନ୍ୟାନ୍ୟ କାରଣରୁ ଗତ ଆର୍ଥିକ ବର୍ଷରୁ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର ଆସିଛି। ଇଣ୍ଡିଆ ରେଟିଙ୍ଗ୍ସର ସୂଚନା ଅନୁଯାୟୀ, ଦେଶର ଶୀର୍ଷ ୮ଟି ରିଅଲ ଇଷ୍ଟେଟ ପୁଞ୍ଜରେ ଗୃହ ବିକ୍ରିରେ ଗତବର୍ଷ ୪୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ସୁଲଭ ଗୃହ ବର୍ଗରେ ବିକ୍ରି ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଦେବାର ଅନୁମାନ କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଘର ଦାମରେ ୬ ପ୍ରତିଶତ ବୃଦ୍ଧି ଦେଖାଦେଇଥିବା ବେଳେ ଚଳିତବର୍ଷ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଘର କିଣିବା ପୂର୍ବରୁ…

କିଛି ଲୋକ ନିବେଶ ପାଇଁ ଘର କିଣିଥାନ୍ତି। କିନ୍ତୁ ଅଧିକାଂଶ ଲୋକ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଘର କିଣିଥାନ୍ତି। ତେଣୁ ଘର କିଣିବା ପୂର୍ବରୁ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଥାଏ। ସେସବୁ ଦିଗପ୍ରତି ଧ୍ୟାନ ଦେଲେ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥାଏ।

ବିଶେଷକରି ଘରର ମୂଲ୍ୟ, ଅବସ୍ଥିତି, କେବେ ଆପଣଙ୍କୁ ଘର ମିଳିବ, ସୁରକ୍ଷା ଆଦି ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ। ଗୃହ କ୍ରେତାମାନେ ସେମାନଙ୍କ ବଜେଟ୍ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘର କିଣିବାର ସ୍ଥାନ ଚୟନ କରିବା ଆବଶ୍ୟକ। ଏଥିସହିତ କୌଣସି ବିଲ୍‌ଡର କିମ୍ବା ରିଅଲ ଇଷ୍ଟେଟ ଡେଭଲପରଙ୍କ ଠାରୁ ଘର କିଣୁଥିଲେ ପୂର୍ବରୁ ସେମାନଙ୍କର ରହିଥିବା ଖ୍ୟାତିକୁ ପରଖି ନେବା ଆବଶ୍ୟକ। ଏହାହେଲେ ଘର କିଣି ସାରିବା ପରେ ଆପଣଙ୍କୁ ଘରର ମାନ ଓ ଅନ୍ୟାନ୍ୟ ଅସୁବିଧାକୁ ନେଇ ଚିନ୍ତା କରିବାକୁ ପଡ଼ି ନଥାଏ।

ଏଥିସହିତ ଯେଉଁ ପ୍ରକଳ୍ପରୁ ଘର କିଣୁଛନ୍ତି ସେହି ପ୍ରକଳ୍ପଟି ରେରାରେ ପଞ୍ଜୀକୃତ ହୋଇଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ପ୍ରକଳ୍ପଟି ଆପଣଙ୍କ କାର୍ଯ୍ୟାଳୟ, ପିଲାଙ୍କ ସ୍କୁଲ ବା କଲେଜ, ବସଷ୍ଟାଣ୍ଡ୍, ରେଳ ଷ୍ଟେସନ, ବିମାନ ବନ୍ଦର, ଡାକ୍ତରଖାନା, ପାର୍କ, ମଲ, ‌ସିନେମା ହଲ୍ ଆଦି ଠାରୁ କେତେ ଦୂରରେ ଅବସ୍ଥିତ ତାହାକୁ ଦେଖନ୍ତୁ। ସେହିଭଳି ପ୍ରକଳ୍ପ ନିକଟକୁ ସାଧାରଣ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କିପରି ରହିଛି ତାହା ପ୍ରତି ଧ୍ୟାନ ଦେବା ଉଚିତ। ପ୍ରକଳ୍ପଗୁଡ଼ିକ ସମସ୍ତ ପ୍ରକାର ମଞ୍ଜୁରି ଓ ଆପତ୍ତି ବିହୀନ ପ୍ରମାଣ ପତ୍ର ପାଇଛି କି ନାହିଁ ତାହା ଜାଣିନିଅନ୍ତୁ। ବିଲ୍‌ଡରଙ୍କ ଠାରୁ ଘର କିମ୍ବା ଆପାର୍ଟମେଣ୍ଟ କିଣିବା ସମୟରେ ବ୍ରୋଚରରେ ଲେଖାଯାଇଥିବା ଗୃହ ନିର୍ମାଣ ସଂକ୍ରାନ୍ତ ବୈଷୟିକ ଶବ୍ଦ ଯଥା ସୁପର ବିଲ୍ଟ ଅପ୍ ‌ଏରିଆ, ଆକ୍‌ଚୁଆଲ କାର୍ପେଟ ଏରିଆ ଆଦି ବିଷୟରେ ଜାଣନ୍ତୁ। ଏହାହେଲେ ଆପଣ ଠକାମିରେ ପଡ଼ି‌ବେ ନାହିଁ।

ସମ୍ବନ୍ଧିତ ଖବର