ପୁରୀ: ଆଉ ୧୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରରୁ ବାହାରି ରଥ ଉପରେ ପତିତଜନଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ଛତିଶାନିଯୋଗ ବୈଠକରେ ଅନୁମୋଦିତ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରା, ହେରାପଞ୍ଚମୀ, ସୁନାବେଶ, ଅଧରପଣା ନୀତି, ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି। ବାକି ଥିବା ଅଣସରକାଳୀନ ଗୁପ୍ତ ନୀତି ଉପରେ ବି ଚୂଡ଼ାନ୍ତ ମୋହର ମାରିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଶେଷ ଭାବେ ରଥଯାତ୍ରା ନୀତି ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଇଛି। ଯେହେତୁ ଗୋଟିଏ ଦିନରେ ଉଭାଯାତ୍ରା, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା, ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଛି। ଭକ୍ତଙ୍କ ଅବରୋଧମୁକ୍ତ ଦର୍ଶନ ଉପରେ ମଧ୍ୟ ପ୍ରତିବର୍ଷ ପରି ଏଥର ବି ଗୁରୁତ୍ବ ଦିଆଯାଇଛି।

Advertisment

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ରଥଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ବ୍ୟବସ୍ଥାବଳୀ ଉପରେ ବି ଆଲୋଚନା ହୋଇଛି। ଏହାକୁ ଅନୁମୋଦନ କରାଯାଇଛି। ଆମେ ଜୁଲାଇ ୭ ତାରିଖ ଅପରାହ୍ଣ ୫ଟାରେ ରଥ ଟଣା ପାଇଁ ନିଷ୍ପତ୍ତି ନେଇଛୁ। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ, ନିଶ୍ଚିତ ନିର୍ଘଣ୍ଟ ନୀତି ଓ ସମୟ ଅନୁଯାୟୀ ରଥଟଣା ହେବ ବୋଲି ଶ୍ରୀ ଯାଦବ କହିଛନ୍ତି। ନିର୍ଘଣ୍ଟ ନୀତି ଅନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୂର୍ବଦିନ ରାତି ୨ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ରାତି ୨ଟା ୪୦ରେ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ, ୩ଟାରେ ତାଟିଫିଟା, ଭୋର ୪ଟାରେ ନେତ୍ରୋତ୍ସବ ବନ୍ଦାପନା, ସକାଳ ୬ଟାରୁ ୭ଟା ଭିତରେ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳଧୂପ(କେବଳ ଖେଚୁଡ଼ି ଭୋଗ) ହୋଇ ସାଢ଼େ ୭ଟାରୁ ପହଣ୍ଡି ପାଇଁ ସେନାପଟା ଲାଗି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ପୂର୍ବାହ୍ଣ ୧୧ଟାରେ ରଥ ପ୍ରତିଷ୍ଠା ହୋଇ ଅପରାହ୍ଣ ୧ଟା ୧୦ରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ଛେରାପହଁରା, ସାଢ଼େ ୪ଟାରେ ଚାର ଫିଟାଯିବ ଓ ଘୋଡ଼ା, ସାରଥି ଲାଗିବ। ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ସେହିଭଳି ବାହୁଡ଼ାଯାତ୍ରା ଦିନ ମଧ୍ୟାହ୍ନ ୧୨ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ଭିତରେ ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ସୁନାବେଶ ଦିନ ସଂଧ୍ୟା ୫ଟାରୁ ସାଢ଼େ ୬ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ।