ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ର ୪୧ତମ ବୈଠକରେ ୧,୫୧,୨୩୯.୫୦ କୋଟି ଟଙ୍କାର ୮ଟି ବୃହତ୍‌ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେଥିରୁ ସବୁଠୁ ବଡ଼ ପ୍ରକଳ୍ପକୁ ବେଦାନ୍ତ ପକ୍ଷରୁ ଢେଙ୍କାନାଳରେ ସ୍ଥାପନ କରାଯିବ। କମ୍ପାନି ସେଠାରେ ୧,୨୮,୦୦୦ କୋଟି ଟଙ୍କା ନିବେଶ କରି ବାର୍ଷିକ ୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ସ୍ମେଲଟର୍‌ ଓ ୪୯୦୦ ମେଗାୱାଟ୍‌ର ଏକ ନିଜସ୍ବ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ। ସେହିପରି, ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍‌ ଟେକ୍ ଲିମିଟେଡ୍‌ ପକ୍ଷରୁ ମଧ୍ୟ ଢେଙ୍କାନାଳରେ ୩୬୦୦ କୋଟି ଟଙ୍କା ନିବେଶରେ ଏକ ସ୍ପେସାଲିଟି ଇସ୍ପାତ କାରଖାନା ସ୍ଥାପନ କରାଯିବ।

Advertisment

ଢେଙ୍କାନାଳରେ ବେଦାନ୍ତ କରିବ ଆଲୁମିନିୟମ୍ ପ୍ରକଳ୍ପ
ନିବେଶ ହେବ ୧,୨୮,୦୦୦ କୋଟି
ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ୮ ପ୍ରକଳ୍ପ ମଞ୍ଜୁର

ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦୁଝର, ସମ୍ବଲପୁର ଓ ଯାଜପୁରରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୬୦,୨୦୦ କର୍ମନିଯୁକ୍ତି ସୃଷ୍ଟି ହେବ। ଏସ୍‌ଆର୍‌ଏଫ୍‌ ଲିମିଟେଡ୍‌ ପକ୍ଷରୁ ଗଞ୍ଜାମରେ ୧୦ ହଜାର କୋଟି ଟଙ୍କା ନିବେଶରେ ଏକ ସ୍ପେସାଲିଟି କେମିକାଲ୍‌ସ କାରଖାନା କରାଯିବ। ସ୍ପୋର୍ଟକିଙ୍ଗ ଇଣ୍ଡିଆ ଖୋର୍ଦ୍ଧାରେ ୨୦୫୫ କୋଟି ଟଙ୍କା ନିବେଶ କରିବ। ଶ୍ୟାମ୍‌ ଷ୍ଟିଲ୍‌ ମାନୁଫ୍ୟାକ୍‌ଚରିଂ ତରଫରୁ କେନ୍ଦୁଝରରେ ୨୪୯୦ କୋଟି ଟଙ୍କା ନିବେଶରେ ଏକ ୦.୫୩ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରାଯିବ। ସୁପ୍ରିମ୍‌ ମେଟାଲ୍‌ସ ଏକ୍ସପୋର୍ଟ ପକ୍ଷରୁ କେନ୍ଦୁଝରରେ ୧୫୦୦ କୋଟି ଟଙ୍କା ନିବେଶ କରି ଟିଏମ୍‌ଟି ବାର୍‌ ଓ ରଡ୍ ଉତ୍ପାଦନ ଲାଗି ଏକ ୧.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ରୋଲିଂ ମିଲ୍ ସ୍ଥାପନ କରାଯିବ। ଷ୍ଟାର୍ ମେଟାଲ୍‌ ୱାର୍କସ୍‌ ପକ୍ଷରୁ ୨୨୯୧ କୋଟି ଟଙ୍କା ନିବେଶରେ ସମ୍ବଲପୁରରେ ହଟ୍‌ ଷ୍ଟ୍ରିପ୍ ମିଲ୍ ଓ କଲର୍‌ କୋଟିଂ ପ୍ଲେଟ୍ କାରଖାନା ବସାଯିବ। ଲିଣ୍ଡେ ଇଣ୍ଡିଆ ପକ୍ଷରୁ ଯାଜପୁରରେ ୧୩୦୩.୫୦ କୋଟି ଟଙ୍କା ନିବେଶରେ ଏୟାର ସେପାରେସନ୍ ୟୁନିଟ୍ ବସାଯିବ। 

ଆଜିର ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ଏମ୍‌ଡି ଭୁପେନ୍ଦ୍ର ସିଂହ ପୁନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ନିକଟରେ ଓଡ଼ିଶ‌ାରେ ମୋହନ ମାଝୀଙ୍କ ସରକାର ଏକ ବର୍ଷର ଯାତ୍ରା ପୂରଣ କରିଛି। ସେ ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ଓ ନିବେଶ ସ୍ଥଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।