ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ଙ୍କ ୪୦ତମ ବୈଠକରେ ୧,୬୫,୩୦୩ କୋଟି ଟଙ୍କାର ୧୦ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୧,୯୩୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସୂଚନା ଅନୁଯାୟୀ, ବେଦାନ୍ତ ପକ୍ଷରୁ ରାୟଗଡ଼ାରେ ୬ ନିୟୁତ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରି ଓ ୧.୨ ନିୟୁତ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲଟର୍ ସ୍ଥାପନ କରିବାରେ ୯୧,୫୨୮କୋଟି ଟଙ୍କା ନିବେଶ କରାଯିବ। କେନ୍ଦୁଝରରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ୩୫ ହଜାର କୋଟି ଟଙ୍କା ନିବେଶରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବ। ଓଡ଼ିଶା ଥର୍ମାଲ୍ ଏନର୍ଜି ଲିମିଟେଡ୍ କଟକରେ ୧୮,୪୫୦ କୋଟି ଟଙ୍କା ନିବେଶ କରି ଏକ ୨୪୦୦ ମେଗାୱାଟ୍ର ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ସ୍ଥାପନ କରିବ। ଓଡ଼ିଶା ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି ଗଞ୍ଜାମରେ ଟାଇଟାନିୟମ୍ ପ୍ରକଳ୍ପରେ ୮୦୦ କୋଟି ନିବେଶ କରିବ।
ରାୟଗଡ଼ାରେ ବେଦାନ୍ତ ଖଟାଇବ ୯୧,୫୨୮କୋଟି
କେନ୍ଦୁଝରକୁ ଦୁଇଟି ଇସ୍ପାତ କାରଖାନା
କଟକରେ ୨୪୦୦ ମେଗାୱାଟ୍ର ପାୱାର୍ ପ୍ଲାଣ୍ଟ
ଭଦ୍ରକରେ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାରେ ଶ୍ୟାମ ଷ୍ଟିଲ୍ ୱାର୍କସ୍ ୫୨୦୦ କୋଟି ନିବେଶ କରିବ। ଓସିଏଲ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ କେନ୍ଦୁଝରରେ ୩୦୦୦ କୋଟି ଟଙ୍କାରେ ୧.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ନିର୍ମାଣ କରିବ। ଶ୍ରୀଟେକ୍ ଡାଟା ମୟୂରଭଞ୍ଜରେ ୧୫୬୦ କୋଟି ଟଙ୍କା ଖଟାଇ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରିବ। ୱାର୍ଲଡ୍ ଗ୍ରିନ୍ ଏନର୍ଜି ଗଞ୍ଜାମରେ ସୋଲାର୍ ମଡ୍ୟୁଲ୍ ଉତ୍ପାଦନ କାରଖାନା କରିବାରେ ୧୪୭୫ କୋଟି ଟଙ୍କା ନିବେଶ କରିବ। ଜୁପିଟର ଟାଟ୍ରାଭାଗୋଙ୍କା ରେଲ୍ ହ୍ବିଲ୍ ଫ୍ୟାକ୍ଟ୍ରିର ୧୦୯୦ କୋଟି ଟଙ୍କାର ଖୋର୍ଦ୍ଧା ରେଳ ଚକ ଉତ୍ପାଦନ କାରଖାନା ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରି ମିଳିଛି।