ପୁରୀ: ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ତନ୍ତ୍ରକ୍ଷେତ୍ରରେ ପରିଗଣିତ କରିଛନ୍ତି। ଶ୍ରୀମନ୍ଦିରର ଅଗ୍ନିକୋଣରେ ଅବସ୍ଥିତ କାଳିକାଦେବୀସାହିରେ ମା’ ଦକ୍ଷିଣକାଳୀ ଅଧିଷ୍ଠାତ୍ରୀ ଦେବୀ ଭାବେ ବିରାଜମାନ କରିଛନ୍ତି। ଶବାରୂଢ଼ା ମା’ ଦକ୍ଷିଣକାଳୀଙ୍କର ଷୋଳପୂଜା ଆରମ୍ଭ ହୋଇଥିବା ବେଳେ ଏହି ପୀଠରେ ଶାରଦୀୟ ଦୁର୍ଗାତ୍ସୋବ ପାଳିତ ହେଉଛି। ଷୋଳପୂଜାରେ ମା’ଙ୍କୁ ୧୩ଟି ଭିନ୍ନଭିନ୍ନ ବେଶ ସମେତ ୩ଦିନ ସୁନାବେଶରେ ଦର୍ଶନ ପ୍ରାପ୍ତି ହୋଇଥାଏ। ମା’ କୃଷ୍ଣକାଳୀ, ଅନ୍ନପୂର୍ଣ୍ଣା, ନୀଳ ସରସ୍ବତୀ, ସିଂହବାହିନୀ, ବନଦୁର୍ଗା, ଉଗ୍ରତାରା, ବଗଳା, ନାରାୟଣୀ, ଦଶଭୂଜା, ହରଚଣ୍ଡୀ, ଜୟଦୁର୍ଗା, ରାଜରାଜେଶ୍ବରୀ, ସିଦ୍ଧେଶ୍ବରୀ ଭଳି ୧୩ଟି ବେଶରେ ମା’ ଦର୍ଶନ ଦିଅନ୍ତି। ଶେଷ ତିନିଦିନ ମହାସପ୍ତମୀ, ମହାଅଷ୍ଟମୀ ଓ ମହାନବମୀରେ ମା’ ସୁନାବେଶରେ ଦର୍ଶନ ଦିଅନ୍ତି। ସପ୍ତମୀରୁ ନବମୀ ମଧ୍ୟରେ ମା’ଙ୍କ ନିକଟରେ ଶଙ୍ଖୁଡ଼ି ଓ ଆମିଷ ଭୋଗର ବ୍ୟବସ୍ଥା କରାଯାଏ।
ମା’ ଦକ୍ଷିଣକାଳୀଙ୍କ ସେବକ ଜଗନ୍ନାଥ ପଣ୍ଡାଙ୍କ କହିବା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ତଥା ଡାହାଣ ହାତ ହେଉଛନ୍ତି ମା’ ଦକ୍ଷିଣକାଳୀ। ମା’ ଅତୀତରେ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥାନ କରିଥିଲେ। ସେତେବେଳେ ତନ୍ତ୍ର ପୂଜାରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା। ମା’ ମନ୍ଦିର ମଧ୍ୟରେ ଦକ୍ଷିଣମୁଖା ହୋଇ ଅବସ୍ଥାନ କରିଥିଲେ। ପୂର୍ବ ପୁରୁଷମାନଙ୍କଠାରୁ ଶୁଣିଥିବା କଥା ଆଧାରରେ ସେ କୁହନ୍ତି, ଭକ୍ତମାନେ ଗଜପତି ମହାରାଜଙ୍କ ଜରିଆରେ ମା’ ଦକ୍ଷିଣକାଳୀଙ୍କୁ ମନ୍ଦିରରୁ କାଳିକାଦେବୀସାହିକୁ ସ୍ଥାନାନ୍ତର କରିଥିଲେ। ତନ୍ତ୍ର ପୂଜାରେ ସୁରା ଓ ମାଛ ଭୋଗ କରାଯାଉଥିବାରୁ ଭକ୍ତମାନଙ୍କର ଅନୁରୋଧ ରକ୍ଷା କରି ମ’'ଙ୍କୁ କାଳିକାଦେବୀସାହିକୁ ସ୍ଥାନାନ୍ତର କରାଯାଇଥିବା ଲୋକଉକ୍ତି ରହିଛି। ମା’ ଶ୍ରୀମନ୍ଦିର ମଧ୍ୟରେ ଦକ୍ଷିଣ ମୁଖା ହୋଇ ବସିଥିଲେ ହେଁ ଏବେ କାଳିକାଦେବୀ ସାହିରେ ସ୍ବତନ୍ତ୍ର ମନ୍ଦିରରେ ପୂର୍ବମୁଖା ହୋଇ ମା’ ଅବସ୍ଥାନ କରିଛନ୍ତି। ମା’ଙ୍କର ଶଙ୍ଖୁଡ଼ି ଓ ଆମିଷ ଭୋଗରେ ଅନ୍ନ, ଖେଚେଡ଼ି, ଡାଲି, ସାକେରା, ମହୂର, ବେସର ଆଦି ପୂଜା କରାଯାଏ। ଶ୍ରୀ ପଣ୍ଡା କୁହନ୍ତି, ମା’ ଦକ୍ଷିଣକାଳୀ ହେଉଛନ୍ତି ଶ୍ରୀମନ୍ଦିର ରୋଷଘର ମାଲିକ। ସାତପୁରୀ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଆସି ମା’ ଦକ୍ଷିଣକାଳୀଙ୍କୁ ଲାଗି ହେଉଥିବା ବେଳେ ମା’ ଦକ୍ଷିଣକାଳୀଙ୍କ ଆଜ୍ଞାମାଳ ଯାଇ ରୋଷଘରେ ଲାଗି ହୁଏ ବୋଲି ସେ କହିଛନ୍ତି।