ଘଟଗାଁ: ଫିଟୁଛି ମା ତାରିଣୀଙ୍କ ନଡ଼ିଆ ନଷ୍ଟ ପଛର ଗୁମର। ପୂର୍ବତନ ନିଲାମଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ବର୍ଷ ଧରି ଦେବୋତ୍ତର ବିଭାଗର ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏବେ ସମ୍ପୃକ୍ତ ପୂର୍ବତନ ନିଲାମଧାରୀଙ୍କୁ ଦେବୋତ୍ତର ବିଭାଗ କିପରି ଅନୁକମ୍ପା ଦେଖାଇଥିଲା ତାହାର ଗୁମର ଖୋଲିଛି। ଦେବୋତ୍ତର ବିଭାଗର ନିର୍ଦେଶକ୍ରମେ ଟେଣ୍ଡର ନିୟମକୁ ଉଲ୍ଲଂଘନ କରାଯାଇ ୧ ଲକ୍ଷ ୭୯ ହଜାର ୩୫୧ ଭୋଗ ନଡ଼ିଆକୁ ନଷ୍ଟ ଦେଖାଯାଇ ସମ୍ପୃକ୍ତ ନିଲାମଧାରୀଙ୍କୁ ଦିଆଯାଇଥିଲା। ଯାହାର ମୂଲ୍ୟ ୫ ଲକ୍ଷ ୫୫ ହଜାର ୯୮୮ ଟଙ୍କା ଥିଲା।

Advertisment

ମା ତାରିଣୀଙ୍କ ପାଖକୁ ରାଜ୍ୟର କୋଣ ଅନୁକୋଣରୁ ଦୈନିକ ୧୫ ହଜାର ମାନସିକ ନଡ଼ିଆ ଆସିଥାଏ। ଭୋଗଲାଗି ହେବା ପରେ ଏହାକୁ ବିକ୍ରି କରାଯାଇଥାଏ। ନଡ଼ିଆ ନିଲାମ ପାଇଁ ମା ତାରିଣୀ ମନ୍ଦିର କର୍ତ୍ତୃପକ୍ଷ ପ୍ରତିବର୍ଷ ‌ଟେଣ୍ତର ଡାକିଥାନ୍ତି। ଟେଣ୍ତର ନିୟମ ଅନୁଯାୟୀ ନିଲାମଧାରୀ ଦୈନିକ ଯେତିକି ଭୋଗ ନଡ଼ିଆ ନେବେ ସେହିଦିନ ସନ୍ଧ୍ୟାରେ ତାର ମୂଲ୍ୟ ମନ୍ଦିର କାର୍ଯ୍ୟାଳୟରେ ପଇଠ ହେବ। ମନ୍ଦିରକୁ ଆସୁଥିବା ସମସ୍ତ ପ୍ରକାର ମାନସିକ ନଡ଼ିଆ ଯଥା: ଛୋଟବଡ଼, ପଚା, ଭଲ ସମସ୍ତ ନଡ଼ିଆ ସେ ନେବେ। ସେହିପରି ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଗ ନଡ଼ିଆ ଉଠାଇବାକୁ ନିୟମ ରହିଛି। ଏହାଛଡ଼ା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ମଧ୍ୟ ସ୍ଥାନୀୟ ନଡ଼ିଆ କୋରା ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଭୋଗ ନଡ଼ିଆ ବିକ୍ରି କରାଯାଇଥାଏ। ୨୦୧୬-୧୭ରେ ଦିଲୀପ କୁମାର ପଲେଇ ମା ତାରିଣୀଙ୍କ ଭୋଗ ନଡ଼ିଆ ଉଠାଇବା ପାଇଁ ଟେଣ୍ଡର ନେଇଥିଲେ। ସେ ଟେଣ୍ଡର ନିୟମକୁ ଖୋଲା ଉଲ୍ଲଂଘନ କରି ବାଛିବାଛି ଭଲ ନଡ଼ିଆ ନେଇ ଆଉ କିଛି ନଡ଼ିଆକୁ ମନ୍ଦିର ଗୋଦାମରେ ପକାଇ ରଖିଥିଲେ। ମନ୍ଦିର କର୍ମଚାରୀ ଓ ତତ୍କାଳୀନ ମନ୍ଦିର ପରିଚାଳନା ବୋର୍ଡ ସମସ୍ତ ନଡ଼ିଆ ଉଠାଇବା ପାଇଁ ନିଲାମଧାରୀଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସେ ନେଉନଥିଲେ। ଖାଲି ସେତିକି ନୁହେଁ ଉକ୍ତ ନଡ଼ିଆ ଗୁଡ଼ିକୁ ନଷ୍ଟ ଦେଖାଇବା ପାଇଁ ସେ ସିଧାସଳଖ ସମ୍ବଲପୁରସ୍ଥିତ ଅତିରିକ୍ତ ଦେବୋତ୍ତର ସହକାରୀ କମିସନରଙ୍କୁ ଦରଖାସ୍ତ ଦେଇଥିଲେ। ପରେ ଏକ ନିର୍ଦେଶନାମା ସମ୍ବଲପୁର ଦେବୋତ୍ତର ବିଭାଗ କାର୍ଯ୍ୟାଳୟରୁ ଆସିଥିଲା।

ଗୋଦାମରେ ଗଚ୍ଛିତ ଥିବା ମାନସିକ ନଡ଼ିଆକୁ ଗଣତି କରାଯାଇ ବଛାଯିବ। ଭଲ ନଡ଼ିଆକୁ ନିଲାମଧାରୀ ନେବେ। ଖରାପ ନଡ଼ିଆକୁ ନଷ୍ଟ କରାଯିବ ବୋଲି ସେଥିରେ ଉଲ୍ଲେଖ ଥିଲା। ନିଲାମଧାରୀ ମନ୍ଦିରକୁ ଆସୁଥିବା ସମସ୍ତ ପ୍ରକାର ନଡ଼ିଆ ଉଠାଇବାକୁ ନିୟମ ଥିଲେ ମଧ୍ୟ ଏହାର ଖୋଲା ଉଲ୍ଲଂଘନ କରାଯାଇଥିଲା। ୨୦୧୭ ଜୁନ୍‌ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ୧୫ ଦିନ ଧରି ଗଦା ହୋଇଥିବା ନଡ଼ିଆକୁ ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ ଓ ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟଙ୍କ ଉପସ୍ଥିତରେ ଗଣତି କରାଯାଇଥିଲା। ମୋଟ ୧ ଲକ୍ଷ ୯୪ ହଜାର ୯୧୮ଟି ନଡ଼ିଆ ଗଚ୍ଛିତ ଥିବା ଜଣାପଡ଼ିଥିଲା। ଏଥିରୁ ୧୫ ହଜାର ୬୬୭ଟି ଭଲ ନଡ଼ିଆ ବାହାରିଥିଲା। ବଳକା ୧ ଲକ୍ଷ ୭୯ ହଜାର ୩୫୧ଟି ନଡ଼ିଆ ନଷ୍ଟ ହୋଇଥିବା ଦର୍ଶାଯାଇ ସମ୍ପୃକ୍ତ ନିଲାମଧାରୀ ଶ୍ରୀ ପଲେଇଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ଗୋଟିଏ ଭୋଗ ନଡ଼ିଆର ମୂଲ୍ୟ ୩ ଟଙ୍କା ୧୦ ପଇସା। ନଷ୍ଟ ଦେଖା ଯାଇଥିବା ୧ ଲକ୍ଷ ୭୯ ହଜାର ୩୫୧ଟି ନଡ଼ିଆ ବାବଦକୁ ୫ ଲକ୍ଷ ୫୫ ହଜାର ୯୮୮ ଟଙ୍କା ପୂର୍ବତନ ଲିଜ୍‌ଧାରୀଙ୍କୁ ପଇଠ କରିବାକୁ ପଡ଼ିନଥିଲା। ଟେଣ୍ଡର ନିୟମ କହି ଜିତେନ୍ଦ୍ର ଜେନା ନାମକ ଜଣେ ଲିଜ୍‌ଧାରୀଙ୍କୁ ଜାଣିଶୁଣି ମନ୍ଦିର କର୍ତ୍ତୃପକ୍ଷ ପଚା ନଡ଼ିଆ ଦେବାରୁ ସେ ଟେଣ୍ଡର ପ୍ରକ୍ରିୟାରୁ ଓହରି ଯାଇଥିଲା। କିନ୍ତୁ ଦିଲୀପ ପଲେଇଙ୍କ କ୍ଷେତ୍ରରେ କାହିଁକି ଓ କାହା ସ୍ବାର୍ଥରେ ଟେଣ୍ଡର ନିୟମକୁ ଖୋଲା ଉଲ୍ଲଂଘନ କରାଯାଇଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।