ମୋ ମତକୁ କଦର୍ଥ କରାଯାଉଛି: ଶଙ୍କରାଚାର୍ଯ୍ୟ

‘ରାଜନେତାଙ୍କ କୂଟନୀତିକୁ ଜଣାଇବାକୁ ଚାହୁଁଥିଲି’

ପୁରୀ : ଆଦିବାସୀ ମନ୍ତବ୍ୟ ବିବାଦୀୟ ହେବାପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଶଙ୍କରାଚାର୍ଯ୍ୟ କହିଛନ୍ତି, କିଛି ଶବ୍ଦକୁ ନେଇ ରାଜନେତାମାନେ ଯେଭଳି କୁଟନୀତି କରୁଛନ୍ତି, ତାହାକୁ ଦୃଷ୍ଟିରେ ରଖି ସେ ଏଭଳି କହିଛନ୍ତି।

ସ୍ବାଧୀନତା ପ୍ରାପ୍ତି ପରେ ରାଜନେତାମାନେ ସବର୍ଣ୍ଣ-ଅସବର୍ଣ୍ଣ, ଦଳିତ, ଆଦିବାସୀ, ଶ୍ରମଜୀବୀ-ବୁଦ୍ଧିଜୀବୀ ଭଳି ଶବ୍ଦର ବ୍ୟବହାର କରି କୁଟନୀତିକୁ କ୍ରିୟାନ୍ବିତ କରିଛନ୍ତି। ଏସବୁ ଭ୍ରାମକ ଶବ୍ଦ। ଡରାଇବା ଓ ବିଭେଦ ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି ବୋଲି ସେ କହିଛନ୍ତି। ରାଜନେତାଙ୍କ ଏହି କୁଟନୀତିକୁ ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲେ। ଆଦିବାସୀଙ୍କ ଉଦ୍ଦେଶ୍ୟରେ ସେ ଏହା କହିନାହାନ୍ତି। ତାଙ୍କ ମତକୁ କଦର୍ଥ କରାଯାଉଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ଗତ ୨୧ ତାରିଖରେ ଆଦିବାସୀ ଶବ୍ଦ ସହ ଆଉ କିଛି ଶବ୍ଦକୁ ହଟାଇ ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଶଙ୍କରାଚାର୍ଯ୍ୟ। ଏହାକୁ ନେଇ ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଜି. ଉଦୟଗିରି ଆଦର୍ଶ ଥାନାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଏକ ଧର୍ମନି‌ରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶଙ୍କରାଚାର୍ଯ୍ୟଙ୍କ ମତ ସମଗ୍ର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରତି ଅପମାନ ସୂଚକ। ଶଙ୍କରାଚାର୍ଯ୍ୟଙ୍କ ବୟାନ ଯେଭଳି ସମାଜରେ ବିଶୃଙ୍ଖଳା ସୃଷ୍ଟି ନକରେ, ସେଥିପାଇଁ ଅନୁସୂଚିତ ଜନଜାତି ନିବାରଣ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଉ ବୋଲି କୁଇ ସମାଜ ପକ୍ଷରୁ ଦାବି କରଯାଇଛି।

ସମ୍ବନ୍ଧିତ ଖବର