‘ମୋ ସରକାର’: ଶାସନରେ ଆଣିଲା ବ୍ୟାବହାରିକ ପରିବର୍ତ୍ତନ

ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ରାଜ୍ୟ ସରକାରଙ୍କ ୫-ଟି ଭଳି ‘ମୋ ସରକାର’ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବେ ପ୍ରତୀୟମାନ ହେଲାଣି। ଏଥିରେ ଲୋକଙ୍କଠାରୁ ସିଧାସଳଖ ମତାମତ ନିଆଯାଇଛି। ଏହା ସହିତ ସରକାରୀ କାର୍ଯ୍ୟାଳୟରେ ସେମାନେ କିଭଳି ବ୍ୟବହାର ପାଉଛନ୍ତି ତାହା ସଂପର୍କରେ ସୂଚନା ନିଆଯାଉଛି। ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେବାରେ ଏହା ଗୋଟିଏ ମାନଦଣ୍ଡ ସାଜିଛି। ଅନ୍ୟପକ୍ଷରେ କୁହାଯାଇପାରିବ ଯେ ରାଜ୍ୟ ସରକାର ଓ ସରକାରୀ କର୍ମଚାରୀଙ୍କ ଉପରେ ଲୋକଙ୍କ ଭରସା ଆଣିବାରେ ଏହା ସହାୟକ ହୋଇପାରିଛି।

୨୦୧୯ ମସିହାରେ ଶାସନକୁ ଆସିବା ବେଳେ ନବୀନ ‘ମୋ ସରକାର’ ଜରିଆରେ ଲୋକଙ୍କୁ ଗୋଟିଏ ପରିବର୍ତ୍ତିନ ଶାସନ ଶୈଳୀର ସଙ୍କେତ ଦେଇଥିଲେ। ଧୀରେ ଧୀରେ ଏହା ଅଧୀନକୁ ୩୧ରୁ ଅଧିକ ବିଭାଗ ଆସିଲେଣି। ଅଧିକରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ବର୍ତ୍ତମାନସୁଦ୍ଧା ୩.୭୭ କୋଟି ଫିଡ୍‌ବ୍ୟାକ୍ ସଂଗ୍ରହ ହୋଇଛି। ସେଥିରୁ ୯୪.୪ ପ୍ରତିଶତ ଫିଡବ୍ୟାକ୍ ସର୍ବୋକୃଷ୍ଟ ଥିବା ଜଣାପଡ଼ିଛି। ବିଶେଷକରି ସ୍ବାସ୍ଥ୍ୟ ବିଭାଗର ଫିଡବ୍ୟାକ୍ ବେଶ୍ ଭଲ ରହିଛି ବୋଲି ସରକାର ଦାବି କରୁଛନ୍ତି। ପଞ୍ଚାୟତିରାଜ, ରାଜସ୍ବ, ଗୃହ ଓ ନଗର ଉନ୍ନୟନ ବିଭାଗ ଉପରେ ଲୋକମାନେ ସନ୍ତୋଷ ପ୍ରକାଶ କରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

‘ମୋ ସରକାର’ର ଅସଲ ବଳ ହେଉଛି ଟେକ୍‌ନୋଲୋଜି। କଲ୍ ପଞ୍ଜୀକରଣଠାରୁ ଆରମ୍ଭ କରି ଫୋନ୍ କରିଥିବା ବ୍ୟକ୍ତିଙ୍କ ଅଭିଜ୍ଞତା, ସ୍ବୟଂଚାଳିତ କଲ ବିତରଣ, ରେକର୍ଡିଂ ଓ ଗୁଣବତ୍ତା ଅନୁକରଣ କରାଯାଉଛି। ଯାହାଫଳରେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ଲୋକଙ୍କ ମତାମତ ସଂଗ୍ରହ ସହଜ ହୋଇପାରିଛି। ‘ମୋ ସରକାର’ ଏକ ବିଶ୍ବସ୍ତରୀୟ ଗୁଡ୍‌ ପ୍ରାକ୍ଟିସ୍‌ ବା ଉତ୍ତମ ପ୍ରୟାସ ହେବାର କ୍ଷମତା ରଖିଛି।

ସମ୍ବନ୍ଧିତ ଖବର