ମୋ ସ୍କୁଲ ଅଭିଯାନ ବନାମ ସ୍କୁଲ ବଞ୍ଚାଅ ଅଭିଯାନ: ଭିତ୍ତିଭୂମି ଥିବା ସ୍କୁଲକୁ ପୋଷ୍ୟ, ନ ଥିବା ସ୍କୁଲ ପାଇଁ କେହି ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟର ମନ୍ତ୍ରୀ, ବିଧାୟକ, ସରକାରୀ ବାବୁମାନେ ସରକାରୀ ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ଚାଲିଥିବା ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମ ଗତ କିଛି ମାସ ହେଲା ପ୍ରଶାସନିକ ସ୍ତରରେ ବେଶ୍‌ ଆଦୃତ ହେବାରେ ଲାଗିଛି। ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ହାତ ବଢ଼ା‌ଉଛନ୍ତି। ତେବେ ଏହା ଭିତରେ ଏବେ ଏକ ସମସ୍ୟା ମୁଣ୍ଡ ଟେକିଛି। ମନ୍ତ୍ରୀ, ବିଧାୟକ କିମ୍ବା ଉଚ୍ଚ ପଦାଧିକାରୀମାନେ ବାଛି ବାଛି ଭଲ ତଥା ଯେଉଁ ସ୍କୁଲର ଭଲ କ୍ୟାମ୍ପସ/ଭିତ୍ତିଭୂମି ରହିଛି, ତାହାକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। କିନ୍ତୁ ରାଜ୍ୟ‌ରେ ଥିବା ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ କେହି ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଫଳରେ ଏହି ବର୍ଗର ବିଦ୍ୟାଳୟଗୁଡ଼ିକର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ମତରେ, ଯେଉଁମାନେ ପୋଷ୍ୟ ସ୍କୁଲ ଗ୍ରହଣ କରୁଛନ୍ତି। ଏହା ବିଦ୍ୟାଳୟର ବିକାଶ ପାଇଁ କେତେ ସହାୟକ ହେଉଛି, ତାହା ଦେଖିବାକୁ ପଡ଼ିବ। ଯେଉଁ ବିଦ୍ୟାଳୟର ଖେଳ ପଡ଼ିଆଠାରୁ ଆରମ୍ଭ କରି ପାଠାଗାର, ବିଜ୍ଞାନାଗାର, ଶିକ୍ଷକ-ଛାତ୍ର ଅନୁପାତ ଠିକ୍‌ ରହିଛି, ତାହାକୁ ପୋଷ୍ୟ ଭାବେ ଆପଣାଇ ନେଉଛନ୍ତି। ଯେତେବେଳେ କି ଏହି ସରକାରୀ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଓ ରାଷ୍ଟ୍ରୀୟ ମାଧ୍ୟମିକ ସ୍କୁଲ ଅଭିଯାନ(ରାମସା)ରୁ ମଧ୍ୟ କୋଟି କୋଟି ଟଙ୍କା ଆସୁଛି। କ୍ୟାମ୍ପସ ଚକାଚକ୍‌ ରହିଛି। ଯଦି ସମସ୍ତେ ଭଲ ସ୍କୁଲ ପଛରେ ପଡ଼ିବେ, ତେବେ ନାହିଁ ନାହିଁରେ ଚାଲିଥିବା ସ୍କୁଲଗୁଡ଼ିକର ଅବସ୍ଥା କ’ଣ ହେବ?

ସାଂଘାତିକ କଥାଟି ହେଲା, ଏବେ ଅଧିକାଂଶ ପୁରାତନ ପୂର୍ଣ୍ଣଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି। ୩୫/୪୦ ବର୍ଷ ତଳେ ଆବଶ୍ୟକତା ଓ ରାଜ୍ୟ ସରକାରଙ୍କ ଆହ୍ଵାନକ୍ରମେ ସାଧାରଣ ଲୋକେ ମିଶି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାହା ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେବା ପରେ ସରକାରୀ ଅନୁଦାନ ପାଉଛନ୍ତି। ଏଭଳି ସ୍କୁଲଗୁଡ଼ିକ ଗ୍ରାମାଞ୍ଚଳର ପିଲାଙ୍କୁ ହିଁ ଶିକ୍ଷାଦାନ କରି ଆସୁଛନ୍ତି। ହେଲେ ଶିକ୍ଷକମାନେ ଅବସର ନେବା ପରେ ସେଠାରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ। ଯାହାଦ୍ଵାରା ଅନେକ ବିଦ୍ୟାଳୟ ଶିକ୍ଷକଶୂନ୍ୟ ହେବାକୁ ବସିଲାଣି। କଲେଜସ୍ତରରେ ଶିକ୍ଷକ ନିଯୁକ୍ତ କରାଯିବାକୁ ଉଦ୍ୟମ ହେଉଥିଲେ ମଧ୍ୟ ସ୍କୁଲ ପାଇଁ କୌଣସି ଚିନ୍ତା କରାଯାଉନାହିଁ। ଫଳରେ ସ୍କୁଲଗୁଡ଼ିକ ଆପେଆପେ ବନ୍ଦ ହୋଇଯିବ। ଏଭଳି ସ୍କୁଲଗୁଡ଼ିକୁ ଅବହେଳିତ ଅବସ୍ଥାରେ ଛାଡ଼ି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରି ତେଲିଆ ମୁଣ୍ଡରେ ତେଲ ଢ‌ାଳିବା ଛଡ଼ା କିଛି ନୁହେଁ। ଯେଉଁ ବିଦ୍ୟାଳୟର ଭିତ୍ତିଭୂମି ରହିଛି, ତାହାକୁ ମଡେଲ୍‌ ସ୍କୁଲରେ ପରିଣତ କରିବାକୁ ଯୋଜନା ହେଉଛି। ତେବେ ଯେଉଁ ସ୍କୁଲର ଆଦୌ ଭିତ୍ତିଭୂମି ନାହିଁ, ତା’ କଥା କେହି ଚିନ୍ତା କରୁନାହାନ୍ତି କାହିଁକି?

ଏହି ସ୍କୁଲଗୁଡ଼ିକର ଭାଗ୍ୟ କ’ଣ ହେବ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ବିନିକା ସାହିତ୍ୟ ଘରର ମଧ୍ୟ ସଭାପତି ଦାୟିତ୍ବ ତୁଲାଉଥିବା ଶ୍ରୀ ପଣ୍ଡା ପରାମର୍ଶ ଦେଇ କହିଛନ୍ତି ଯେ ରାଜ୍ୟର ସମସ୍ତ ବର୍ଗର ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରାଯାଉ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ପୁରାତନ ସ୍କୁଲ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲରେ ସିଲେକ୍ସନ ବୋର୍ଡ ମାଧ୍ୟମରେ ଶିକ୍ଷକ ନିଯୁକ୍ତି ହୁଅନ୍ତୁ। ନୂତନ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକଙ୍କ ଅବସର ଗ୍ରହଣ ପରେ ପେନସନ୍ ବ୍ୟବସ୍ଥା ହେଉ। ଶିକ୍ଷକ ନିଯୁକ୍ତି କରାଯିବା ସହ ଅନ୍ୟାନ୍ୟ ଅଭାବ ଅସୁବିଧା ପୂରଣ ପରେ ସ୍କୁଲଗୁଡ଼ିକୁ ନିୟମିତ ଭାବେ ପରିଦର୍ଶନ କରି ଭଲ ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ପୁରସ୍କୃତ କରାଯାଉ। ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି, ସେମାନଙ୍କ ବିରୋଧରେ ଦଣ୍ଡବିଧାନ ହେଉ। ରାଜ୍ୟ ସରକାର ନିଜ ମାନସିକତାରେ ପରିବର୍ତ୍ତନ ଆଣିଲେ, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ।

ସମ୍ବନ୍ଧିତ ଖବର