‘ମୋ ସ୍କୁଲ’ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ

୮ ଜିଲ୍ଲାର ୬୧୬ ସ୍କୁଲ ସାମିଲ

ଭୁବନେଶ୍ୱର: ‘ମୋ ସ୍କୁଲ’ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୬୧୬ଟି ବିିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଧର୍ା, ନୂଆପଡ଼ା, ସମ୍ବଲପୁର ଓ କେନ୍ଦୁଝର। ମୋ ସ୍କୁଲ ପ୍ରକଳ୍ପ ମାଧ୍ୟମରେ ୬୧୬ ବିଦ୍ୟାଳୟରେ ୬ କୋଟି ୪୪ ଲକ୍ଷ ୪୧ ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୪ କୋଟି ୨୯ ଲକ୍ଷ ୬୧ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କଠାରୁ ୨ କୋଟି ୧୪ ଲକ୍ଷ ୮୦ ହଜାର ଟଙ୍କା ସଂଗୃହୀତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନ’ର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବରାଦ ହୋଇଥିବା ଅର୍ଥରେ ସ୍କୁଲର ଭିତ୍ତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର, ସ୍କୁଲ ବଗିଚାର ଉନ୍ନତୀକରଣ କାର୍ଯ୍ୟ କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ ଏହି ଅର୍ଥ ସବୁ ସ୍କୁଲରେ ପହଞ୍ଚାଇବାର ବ୍ୟବସ୍ଥା ହେବ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାସ୍ତରରେ ସ୍କୁଲ ଆଲୁମିନି ଆସୋସିଏସନ୍‌ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯିବ। ଏହି କମିଟି ବିଦ୍ୟାଳୟରେ ପ୍ରକଳ୍ପ ପରିଚାଳନା ଓ ତଦାରଖରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସହାୟତା କରିବେ। ଏଥିପାଇଁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯିବା ସହ ବେସରକାରୀ ସଙ୍ଗଠନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସହାୟତା ନିଆଯିବାକୁ ବୈଠକରେ ସ୍ଥିର ହୋଇଛି। ଓପେପା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଏସ୍‌ସିଇଆରଟି ନିର୍ଦେଶକ ପ୍ରତାପଚନ୍ଦ୍ର ଦାସ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ, ବିଭାଗୀୟ ପରାମର୍ଶଦାତା ଖଗେନ୍ଦ୍ର କୁମାର ପାଢ଼ୀ, ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ୍‌ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର