ନିଆଳିକୁ ଫେରିଲା ଜନ୍ତୁ! ମାଇଲା ୩ ମେଣ୍ଢା

ନିଆଳି : ତିନି ମାସର ନିରବତା ପରେ ନିଆଳି ଅଂଚଳକୁ ପୁଣି ଫେରିଲା ଜନ୍ତୁ। ସେହି ସମାନ ଢଙ୍ଗରେ ଶନିବାର ରାତିରେ ନିଆଳି ବ୍ଲକ୍‌ ଅନ୍ତର୍ଗତ ଅଲଣା ପଞ୍ଚାୟତ ଗୋବିନ୍ଦପଦାର ଗୋବର୍ଦ୍ଧନ ସ୍ୱାଇଁଙ୍କ ତିନିଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ଏହାପରେ ଜନ୍ତୁ ପୁଣି ଢ଼ିଅ ବାଁସାହିର ପହଲି ବେହେରାଙ୍କ ଗୋଟିଏ ମେଣ୍ଢାକୁ ଘାଇଲା କରିଛି। ଏଭଳି ମେଣ୍ଢା ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ୍‌ ୨୧ ତାରିଖରେ ବିଳାସୁଣୀ ପଞ୍ଚାୟତର ଦହିଜଙ୍ଗ ଗ୍ରାମର ସୁନ୍ଦରୀ ସ୍ୱାଇଁ, କୂଳଦହିଜଙ୍ଗର ପୀତବାସ ଭୋଇ ଓ ଟିକିଆ ଭୋଇଙ୍କ ଗୁହାଳରେ ଥିବା ୧୬ଟି ମେଣ୍ଢାଙ୍କର ଏକକାଳୀନ ଅପ୍ରାକୃତିକ ମୃତ୍ୟୁ ଘଟିଥିଲା। ପରେ ପରେ ଏହି ଘଟଣା ନିଆଳି ଅଂଚଳର ବିଭିନ୍ନ ଗ୍ରାମରେ ଘଟିବା ସହ ସାଧାରଣରେ ବିସ୍ମୟ ସୃଷ୍ଟି କରିଥିଲା। କିଏ ଓ କାହିଁକି ଏପରି ଘଟଣା ଘଟାଉଛି ତାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଗତ ଅଢେଇ ମାସରେ ପାଖାପାଖି ୨୫୦ରୁ ଅଧିକ ମେଣ୍ଢାଙ୍କ ଜୀବନ ଯାଇଥିଲା। ଗୋଟିଏ ପଟେ ମେଣ୍ଢା ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ସମସ୍ତେ ଖୋଜୁଥିଲେ ମେଣ୍ଢା ହତ୍ୟାକାରୀକୁ? ସମାନ ଢଙ୍ଗରେ ମେଣ୍ଢାଙ୍କ ପେଟ ଚିରି କଲିଜା ଗାଏବ ସହ ମେଣ୍ଢାଙ୍କ ମୃତଦେହ ଗୁହାଳ ନିକଟରେ ଉଦ୍ଧାର କରୁଥିଲେ ଗ୍ରାମବାସୀ।

ତେବେ ପ୍ରଥମେ ଲୋକମାନେ ଏହି ଘଟଣାକୁ ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ଦୀର୍ଘ ୩ମାସ ଧରି ମେଣ୍ଢା ମୃତ୍ୟୁ ଘଟଣା ନିଆଳିରେ ଆତଙ୍କ ସୃଷ୍ଟି କରିଥିଲା। ଫଳରେ ବନବିଭାଗ, ନନ୍ଦନକାନନ ବିଶେଷଜ୍ଞ ଟିମ୍‌ ଓ ପରେ ଶିମିଳିପାଳ ଅଭୟାରଣ୍ୟ ଟିମ୍‌ ଆସି ଘଟଣାର ଅନୁଧ୍ୟାନ କରିଥିଲେ ମଧ୍ୟ ମେଣ୍ଢା ମୃତ୍ୟୁ ବନ୍ଦ ହୋଇ ନଥିଲା। ପରେ ଡ଼େରାଡ଼ୁନ୍‌ ସ୍ଥିତ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାନ ଟିମ୍‌ ନିଆଳିରେ ପହଞ୍ଚି ମେଣ୍ଢା ମୃତ୍ୟୁ ଓ ନିଖୋଜ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏଥିପାଇଁ ବସାଯାଇଥିଲା ଯନ୍ତା, ଖଞ୍ଜାଯାଇଥିଲା ସିସିଟିଭି ଓ ଡ୍ରୋନ୍‌ କ୍ୟାମେରା। ସବୁ ସତର୍କତା ସତ୍ତ୍ୱେ ଖୁଲମ୍‌ଖୁଲା ମେଣ୍ଢାଙ୍କୁ ମାରିଚାଲିଲା ଜନ୍ତୁ। ମେଣ୍ଢା ମୃତ୍ୟୁର କାରଣ ଗଧିଆ, ଶିଆଳ ଓ ହେଟା ବୋଲି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବନବିଭାଗ ଓ ବିଶେଷଜ୍ଞ ଟିମ୍‌ କହିଲେ। ଲୋକେ ବିଲୁଆ ଧରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ଏହାପରେ ଜୁଲାଇ ଶେଷ ସପ୍ତାହ ପର ଠାରୁ ବନ୍ଦ ଥିଲା ମେଣ୍ଢା ମୃତ୍ୟୁ।

ହେଲେ ପୁଣି ସାଢେ ୩ମାସ ପରେ ସମାନ ଢଙ୍ଗରେ ଗତକାଲି ରାତିରେ ଗୋବିନ୍ଦପଦାରେ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଗୁହାଳରେ ପଶି ଜନ୍ତୁ ୩ଟି ମେଣ୍ଢାକୁ ମାରିଥିବା ବେଳେ ପେଟ ଚିରି କଲିଜା ଖାଇବା ସହିତ ଗୋଟିଏ ମେଣ୍ଢାର ଚମଡ଼ା, ମୁଣ୍ଡ ଛାଡ଼ି ମାଂସ ଖାଇଦେଇଥିବା ଦେଖିବାକୁ ମିଳିଛି। ସମାନଢ଼ଙ୍ଗରେ ଆଉ ୨ଟି ମେଣ୍ଢାର ପେଟ ଚିରି କଲିଜା ଓ କିଛି ମାଂସ ଖାଇଥିବା ଜଣାପଡିଛି। ସେହିପରି ଢ଼ିଅ ବାଁସାହି ଗ୍ରାମର ପହଲି ବେହେରାଙ୍କ ଗୁହାଳରେ ଜନ୍ତୁ ପଶି ଗୋଟିଏ ମେଣ୍ଢାର ପେଟ ଚିରିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଛାଡ଼ି ପଳାଇଛି। ଖବର ପାଇ ନିଆଳି ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଶଶାଙ୍କ ଶେଖର ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତ ମେଣ୍ଢାର ଚିକିତ୍ସା କରିଥିବା ବେଳେ ମୃତ ମେଣ୍ଢାଗୁଡିକର ଶବ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର