ଭୁବନେଶ୍ବର: ଝାପ୍‌ସା ଆଲୁଅ। ଗୁରୁ ଗମ୍ଭୀର ସ୍ବର। ଛାତିଥରା ଶବ୍ଦ। ଆଳାପ, ଆଲୋଚନା, ପ୍ରଶ୍ନୋତ୍ତର ଓ ଶେଷରେ ନାଟକ ଓ ଗଳ୍ପ। ସନ୍ଧ୍ୟାର ପ୍ରତିଟି ମୁହୂର୍ତ୍ତରେ ଭରି ରହିଥିଲା ରହସ୍ୟ ଆଉ ରୋମାଞ୍ଚ। ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ପ୍ରତିଟି ପାଖୁଡ଼ା ଆଜି ଯେମିତି ରହସ୍ୟମୟ ହୋଇ ଉଠିଥିଲା। ‘ସମ୍ବାଦ ସାହିତ୍ୟପକ୍ଷ’ର ତୃତୀୟ ସନ୍ଧ୍ୟାରେ ‘ରହସ୍ୟ ସାହିତ୍ୟ’ କାର୍ଯ୍ୟକ୍ରମ ମଞ୍ଚକୁ ରହସ୍ୟ ଉପନ୍ୟାସର ମହାନ ସ୍ରଷ୍ଟା କଣ୍ଡୁରି ଚରଣ ଦାସଙ୍କୁ ଉତ୍ସର୍ଗ କରାଯାଇଥିଲା। ବିଶିଷ୍ଟ ଲେଖକ ଜୀବନକୃଷ୍ଣ ମହାପାତ୍ରଙ୍କ ଆଶୀର୍ବଚନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଶ୍ରୀ ମହାପାତ୍ର ଏହି ଅବସରରେ କହିଲେ, ଓଡ଼ିଆ ସାହିତ୍ୟକୁ ସମୃଦ୍ଧ, ଜୀବନ୍ତ, ଋଦ୍ଧିମନ୍ତ ଓ ସ୍ପନ୍ଦନମୟ କରିବାକୁ ଏହା ଏକ ବଳିଷ୍ଠ ପଦକ୍ଷେପ। ଓଡ଼ିଆ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ ରହସ୍ୟମୟ। କିନ୍ତୁ ରହସ୍ୟ ସାହିତ୍ୟକୁ ଏକ ନିକୃଷ୍ଟ ସାହିତ୍ୟ ବୋଲି ଗ୍ରହଣ କରାଯାଇଛି। ତଥାପି କେବଳ କିଛି ଲେଖକ ରହସ୍ୟ ସାହିତ୍ୟକୁ ବଞ୍ଚାଇ ରଖିଛନ୍ତି। ରହସ୍ୟ ସାହିତ୍ୟକୁ ଲୋକାଭିମୁଖୀ କରିବାକୁ ଯୁବପିଢ଼ି ଦାୟିତ୍ବ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। 

Advertisment

ରହସ୍ୟ ସାହିତ୍ୟ ମଞ୍ଚର ନଁା  କଣ୍ଡୁରି ଚରଣ ଦାସ

xcxddx

ଚର୍ଚ୍ଚାର ପ୍ରଥମ ଅଧ୍ୟାୟରେ ରହସ୍ୟ ସାହିତ୍ୟକୁ ନେଇ ରହସ୍ୟ ସାହିତ୍ୟ ଗବେଷିକା ପ୍ରତିଚୀ ନନ୍ଦ ଆଳାପ କରିଥିଲେ ବିଖ୍ୟାତ ରହସ୍ୟ ଲେଖକ ପ୍ରମୋଦ କିଶୋର ପଣ୍ଡାଙ୍କ ସହ। ଶ୍ରୀ ପଣ୍ଡା କହିଲେ, ଜୀବନ ରହସ୍ୟ ଘେରା। ବାସ୍ତବତାକୁ ରହସ୍ୟ ଦେଇ ଲେଖିଲେ ରହସ୍ୟ ସାହିତ୍ୟ ଜନପ୍ରିୟତା ଲାଭ କରିବ। ପରବର୍ତ୍ତୀ ଅଧିବେଶନର ଲେଖକ ରମାକାନ୍ତ ସାମନ୍ତରାୟଙ୍କ ସଂଚାଳ‌ନରେ ଅନୁଷ୍ଠିତ ଆଲୋଚନାରେ ରହସ୍ୟ ଲେଖକ ଚକ୍ରପାଣି ପରିଚ୍ଛା କହିଲେ, ପାଠକ ଗୋଷ୍ଠୀ ତିଆରି କରିପାରିଲେ ଓଟିଟି ଯୁଗରେ ମଧ୍ୟ ରହସ୍ୟ ସ‌ାହିତ୍ୟ ଆଦୃତ ହେବ। ରହସ୍ୟକାର ତରୁଣ ତପନ ମହାନ୍ତି ଓରଫ୍ ‘ଚତୁରସେନ’ କହିଲେ, ସମ୍ବାଦପତ୍ରରେ ରହସ୍ୟ ସାହିତ୍ୟକୁ ସ୍ବତନ୍ତ୍ର ସ୍ଥାନ ଦେବା ସହ ନୂଆପିଢ଼ିଙ୍କୁ ପ୍ରୋତ୍ସାହନ ମିଳିଲେ ରହସ୍ୟ ସାହିତ୍ୟ ଆଗକୁ ଯାଇ ପାରିବ। ଯୁବ ଲେଖକ ସ୍ବରୂପ କୁମାର ନାୟକ କହିଲେ, ରହସ୍ୟର ସଂଜ୍ଞା ଓ ସମାଧାନର ସୂତ୍ର ବଦଳିଛି। ସେହି ଅନୁସାରେ ଲେଖାକୁ ପାଠକଙ୍କ ପାଖରେ ପହଞ୍ଚାଇ ପାରିଲେ ରହସ୍ୟ ସାହିତ୍ୟ ଅଧିକ ସ୍ବୀକୃତି ପାଇବ। 
ଆଜି ମଞ୍ଚସ୍ଥ ହୋଇଥିବା କ୍ଷୁଦ୍ର ନାଟକ ‘ବୁଢ଼ା ଶଙ୍ଖାରୀ’ ଦର୍ଶକଙ୍କୁ ଗମ୍ଭୀର କରିଦେଇଥିଲା। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ଚର୍ଚ୍ଚିତ କାହାଣୀକୁ ଆରଜେ ସଂଗ୍ରାମ ମିଶ୍ର ନାଟ୍ୟରୂପ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଦେବାନନ୍ଦ ସୋନି। ଗୋବିନ୍ଦ ମହାପାତ୍ର, କାଜଲ ରାଣୀ ଓ ଶୁଭଲକ୍ଷ୍ମୀଙ୍କ ଅଭିନୟରେ ଦର୍ଶକଙ୍କ ଆଖି ଜକେଇ ଆସିଥିଲା। ନାଟକର ପ୍ରଚ୍ଛଦ ସଙ୍ଗୀତ ସୌମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ ପରିବେଷଣ କରିଥିଲେ। କିଛି ସମୟ ଅନ୍ତରରେ ୧ ମିନିଟ୍‌ର ‘ରହସ୍ୟ ଅଡିଓ’କୁ ମଧ୍ୟ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଥିଲେ। ଶେଷରେ ଦର୍ଶକଙ୍କୁ ଆହୁରି ରସହ୍ୟ ଭିତରକୁ ଟାଣି ନେଇଥିଲା ରେଡଇଓ ଚକୋଲେଟ୍‌ ପ୍ରସ୍ତୁତ ଅଡିଓ ଷ୍ଟୋରି ‘ନୀଳ ଶାଢ଼ି’। ଏହାର କାହାଣୀ ଯେତିକି ରୋମାଞ୍ଚ ଭରୁଥିଲା ତାଠୁ ଅଧିକ ଛାତିରେ ଛନକା ପଶୁଥିଲା। 

ଓଡ଼ିଆ ଖାଦ୍ୟର ମହକ
‘ସମ୍ବାଦ ସାହିତ୍ୟପକ୍ଷ’ର ଅଙ୍ଗେ ଅଙ୍ଗେ ଓଡ଼ିଆ ପଣ ଯେମିତି ଭରି ହୋଇ ରହିଛି। ଏହା ସହିତ ପ୍ରତି ସନ୍ଧ୍ୟାରେ ଉତ୍ସବ ପରିସର ଓଡ଼ିଆ ଖାଦ୍ୟର ବାସ୍ନାରେ ମହକୁଛି। ସାହିତ୍ୟପକ୍ଷର ପ୍ରଥମ ଦିନରେ ଓଡ଼ିଆଙ୍କ ପ୍ରିୟ ପୋଡ଼ପିଠା ସହ ସୁଆଦିଆ ପଣସ କଠା ଓ ଆଳୁ କସା, ଦ୍ବିତୀୟ ସନ୍ଧ୍ୟାରେ ବିରି ବରା ଓ ଡାଲମା ଏବଂ ଆଜି ତୃତୀୟ ସନ୍ଧ୍ୟାରେ ହଦି ବରା ଓ ଆଳୁଦମ୍‌କୁ ଭରପୁର ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ।

ଏହି ଅବସରରେ ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ପାଇଁ ‘ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ’ର ପ୍ରତିଷ୍ଠାତା ଗଙ୍ଗାଧର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ‌‘ଆମ ଓଡ଼ିଶା’ ପ୍ରକାଶନୀର ସମ୍ପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ଲେଖକ ଓ କଳାକାରଙ୍କୁ ସମ୍ମାନିତ କରିଥିଲେ। ଶେଷରେ ‌‘ସମ୍ବାଦ’ର ଡେପୁଟି ଏଡିଟର ଧୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଚତୁର୍ଥ ଦିନର ବିଷୟ ରହିଛି ‘ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ’।