ବିବାହିତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ

କଟକ : ‘ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ। ମୁଁ ଡେଇଁକି ମରିଯିବି। ମତେ କେହି ବଞ୍ଚାଇବାକୁ ଚେଷ୍ଟା କରିବ ନାହିଁ। ମୁଁ ଭଗବାନ କୃଷ୍ଣଙ୍କ ପାଖକୁ ଯିବାକୁ ଚାହୁଁଛି…।’ ବିଡ଼ନାସୀ କୃଷକବଜାର ପିଏଚ୍‌ଡି ପାଣି ଟାଙ୍କି ତଳୁ ଯେଉଁ ବିବାହିତ ମହିଳାଙ୍କ ଶବ ଆଜି ସକାଳେ ଉଦ୍ଧାର ହୋଇଛି, ସେହି ମହିଳାଙ୍କ ପାଖରୁ ମିଳିଥିବା ଏକ ସୁଇସାଇଡ୍ ନୋଟ୍‌ରେ ଏଭଳି କିଛି ଉଲ୍ଲେଖ ରହିଛି। ତେବେ ମହିଳାଙ୍କର କୌଣସି ପରିଚୟ ମିଳି ନଥିବା ବେଳେ ମୃତ୍ୟୁର ରହସ୍ୟକୁ ନେଇ ପୁଲିସ ଏବେ ଦ୍ବନ୍ଦ୍ବରେ ପଡ଼ିଯାଇଛି। ମହିଳା ଜଣକ ପାଣି ଟାଙ୍କି ଉପରୁ ବିଷ ପିଇ ତଳକୁ ଡେଇଁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଶରୀରର କୌଣସି ହାଡ଼ ନ ଭାଙ୍ଗିଥିଲେ ତାଙ୍କୁ କେହି ମାରି ତଳେ ଫିଙ୍ଗିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଧରି ନିଆଯିବ।

ସୂଚନା ଅନୁଯାୟୀ, ରିଙ୍ଗରୋଡରୁ କୃଷକବଜାର ଗଡ଼ାରେ ଗଲାବେଳକୁ ଡାହାଣ ପଟେ ପ୍ରାୟ ୭୦ ମିଟର ଦୂରରେ ଥିବା ଏକ ପାଣି ଟାଙ୍କି ତଳୁ ବୁଧବାର ସକାଳ ପ୍ରାୟ ୭ଟା ବେଳେ ଜଣେ ବିବାହିତ ମହିଳାଙ୍କ ଶବ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ଆନୁମାନିକ ବୟସ ୨୨ରୁ ୨୫ ବର୍ଷ ହେବ। ସେ ନୀଳ ରଙ୍ଗର ଜିନ୍ସ ଓ କଳା ରଙ୍ଗର ଟପ୍ ପିନ୍ଧିଥିଲେ। କପାଳରେ ସିନ୍ଦୂର ପିନ୍ଧି ଥିବାରୁ ସେ ବିବାହିତ ବୋଲି ଜଣାପଡ଼ିଛି। ବିଡ଼ାନାସୀ ଥାନା ପୁଲିସ ପାଣି ଟାଙ୍କି ଉପରେ ଚଢି ଛାନଭିନ୍ କରିବା ପରେ ସେଠାରେ ‘ରୋଗୋର୍ ’ ନାଁରେ ଏକ କୀଟନାଶକ ଡବା, ପାଣି ବୋତଲ, ଭ୍ୟାନିଟ୍ ବ୍ୟାଗ୍, ଚପଲ ମିଳିଥିଲା। ବ୍ୟାଗରୁ ମିଳି ଥିବା ସୁଇସାଇଡ୍ ନୋଟ୍ ଅନୁଯାୟୀ ମହିଳା ଜଣକ ପାଣି ଟାଙ୍କି ଉପରେ ବିଷ ପିଇବା ପରେ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଯାଉଛି।

ସମ୍ବନ୍ଧିତ ଖବର