ମହାରାଷ୍ଟ୍ରରେ ଓଡ଼ିଆ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ

ପ୍ରେମିକା ପରିବାର ହତ୍ୟା କରିଥିବା ଅଭିଯୋଗ ଆଣିଲେ ଭାଇ

ବାଣପୁର : ଓଡ଼ିଶାରେ ପ୍ରେମ କରିଥିଲେ। ମହାରାଷ୍ଟ୍ର ଯାଇ ସୁଖର ସଂସାର କରିବାକୁ ଆଶା ରଖିଥିଲେ। ପ୍ରେମିକାର ବଡ଼ଭଉଣୀ କଥାରେ ସେଠାକୁ ଚାଲିଯିବାର ମାତ୍ର ୧୫ ଦିନ ପରେ କିନ୍ତୁ ଶବ ହୋଇ ଫେରିଲେ। ଏହି ଦୁଃଖଦ ଘଟଣାଟି ଘଟିଛି ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଦାମିଆଁ ବରବରା ପଞ୍ଚା‌ୟତର ବାଲିକଣିଆଁ ଗ୍ରାମରେ।

ସୂଚନା ଅନୁସାରେ, ଏହି ଗ୍ରାମର ଲକ୍ଷ୍ମଣ ଶବରଙ୍କ ସାନ ପୁଅ ଦେବରାଜ (୨୪) ଶବରଙ୍କର ସେହି ଗ୍ରାମର ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ହେବ ପ୍ରେମ ସର୍ମ୍ପକ ରହିଥିଲା। ବାହାଘର ପାଇଁ ଉଭୟ ଜିଦ୍‌ ଧରିଥିଲେ ମଧ୍ୟ ଯୁବତୀଙ୍କ ପରିବାର ଏଥିରେ ରାଜି ହୋଇନଥିଲେ। ତେବେ ମହାରାଷ୍ଟ୍ରରେ ରହୁଥିବା ପ୍ରେମିକାର ବଡ଼ ଭଉଣୀ ଏଥିରେ ତାଙ୍କୁ ସାହାଯ୍ୟ କରିବେ ବୋଲି ଆଶ୍ବାସନା ଦେଇଥିଲେ। କିଛିଦିନ ପୂର୍ବେ ହିଁ ସେ ବାଲିଗଣିଆଁ ଗାଁକୁ ଆସିଥିଲେ ଏବଂ କୌଣସିମତେ ଦେବରାଜଙ୍କୁ ତାଙ୍କ ସହ ଯିବାକୁ ରାଜିକରି ନେଇଥିଲେ। ଗତମାସ ୧୭ ତାରିଖରେ ପ୍ରେମିକା ଓ ତା’ ବଡ଼ଭଉଣୀଙ୍କ ସହ ଦେବରାଜ ମହାରାଷ୍ଟ୍ର ପଳାଇଯାଇଥିଲେ। ସେଠାରେ କିଛିଦିନ ରହିବାପରେ ଗ୍ରାମକୁ ଫେରିଆସିବେ ବୋଲି ଗତ ରବିବାର ନିଜ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ତେବେ, ପାଖରେ ଟଙ୍କା ନଥିବାରୁ ଗାଡ଼ିଭଡ଼ା ପାଇଁ ଦୁଇ ହଜାର ଟଙ୍କା ପଠାଇବାକୁ ବଡ଼ଭାଇ ମଙ୍ଗରାଜ ଶବରଙ୍କୁ ଅନୁରୋଧ କରିଥିଲେ। ବଡ଼ଭାଇ ମଙ୍ଗରାଜ ସାନଭାଇ ଦେବରାଜଙ୍କ କହିବା ମୁତାବକ ତାଙ୍କର ଜଣେ ବନ୍ଧୁଙ୍କ ଫୋନପେ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ପଠାଇଥିଲେ। ଭାବିଥିଲେ ଦେବରାଜ ଭଲରେ ଭଲରେ ଗାଁକୁ ଫେରିଆସିବ। ତେବେ, ସୋମବାର ସନ୍ଧ୍ୟାରେ ଦେବରାଜଙ୍କ ପରିବାର ଉପରେ ଯେମିତି ପାହାଡ଼ ଛିଣ୍ଡି ପଡ଼ିଥିଲା। ମହାରାଷ୍ଟ୍ରରେ ଦେବରାଜ ଅଚାନକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସୂଚନା ସେମାନଙ୍କୁ ମିଳିଥିଲା।

ଘରକୁ ଫେରି ଆସିବା ପାଇଁ ଟଙ୍କା ମାଗିବାର ଦିନକ ପରେ ଦେବରାଜ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାହା ଏବେ ରହସ୍ୟାବୃତ୍ତ ହୋଇପଡ଼ିଛି। ମହାରାଷ୍ଟ୍ରରେ ଶବବ୍ୟବଚ୍ଛେଦ ପରେ ଦେବରାଜଙ୍କ ମୃତଦେହ ଗୁରୁବାର ସଂଧ୍ୟାରେ ବାଲିକଣିଆଁରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ, ପ୍ରେମିକାର ପରିବାର ଲୋକେ ଦେବରାଜଙ୍କୁ ହତ୍ୟା କରି ଦଉଡ଼ିରେ ଝୁଲାଇ ଦେଇଥିବା ମଙ୍ଗରାଜ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର