ଡିଏଫ୍ଓଙ୍କୁ ନେଇ ଜଙ୍ଗଲ ବିଭାଗ ନିରବ କାହିଁକି?
ଆଇଆଇସିଙ୍କୁ ନେଇ ପ୍ରଶ୍ନ
ଭୁବନେଶ୍ବର/ପାରଳାଖେମୁଣ୍ଡି : ୧୧ ଦିନ ହେଲାଣି ଡିଏଫ୍ଓଙ୍କୁ ଜେରା କରାଯାଉ ନାହିଁ କାହିଁକି? ଜଣେ ଆଇଆଇସିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ତାଙ୍କୁ ମଧ୍ୟ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ? ଜଙ୍ଗଲ ବିଭାଗର ଜଣେ କନିଷ୍ଠ ଅଧିକାରୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁରେ ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତିର ଅଭିଯୋଗ ଆସିଲା ପରେ ବି ବିଭାଗ ନିରବ କାହିଁକି?
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ଏମିତି ଗଦା ଗଦା ପ୍ରଶ୍ନ ଉଠୁଛି। ଗୋଟିଏ ପଟେ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଥିଲା ବେଳେ ଅନ୍ୟ ପଟେ ସୌମ୍ୟରଞ୍ଜନଙ୍କ ବିଧବା ପତ୍ନୀ ବିଦ୍ୟାଭାରତୀ। ଗଣମାଧ୍ୟମରେ ଉଭୟ ପକ୍ଷ ପରସ୍ପର ବିରୋଧରେ ବିଷ ଉଗାଳୁଛନ୍ତି। ପ୍ରତିଦିନ ନୂଆ ନୂଆ ଘଟଣା ଲୋକଲୋଚନକୁ ଆସୁଛି। କିନ୍ତୁ ପୁଲିସ୍ କି ପ୍ରକାର ତଦନ୍ତ କରୁଛି ଯେ କିଛି ସୁରାକ ମିଳୁନି। କେଉଁ ଅଦୃଶ୍ୟ ଶକ୍ତିର ଚାପରେ ତଦନ୍ତକୁ ବାଟବଣା କରାଯାଉଛି ବୋଲି ପ୍ରଶ୍ନ ଉଠିଲାଣି।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଆରମ୍ଭରୁ ବୋହୂ ବିଦ୍ୟାଭାରତୀ ଓ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଉପରେ ଅଭିଯୋଗ ଆଣିଥିଲେ। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ପୁଅ ମୃତ୍ୟୁର କାରଣ ବୋଲି କହିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ଡିଏଫ୍ଓ ଶ୍ରୀ ବେହେରା, ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ପୁଲିସ୍ ମାମଲା ରୁଜୁ କରିଛି। ଏହାପରେ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଜେରା କରାଯାଇଛି। କିନ୍ତୁ ୧୧ ଦିନ ପରେ ମଧ୍ୟ ଡିଏଫ୍ଓଙ୍କୁ ଜେରା କରାନଯିବା ପଛରେ ରହସ୍ୟ କଣ? ଗଣମାଧ୍ୟମରେ ଡିଏଫ୍ଓ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି ସତ। କିନ୍ତୁ ପୁଲିସ୍ ତାଙ୍କ ପାଖରେ ନ ପହଞ୍ଚିବା ସମ୍ପୂର୍ଣ୍ଣ ଘଟଣାଟିକୁ ଅଧିକ ରହସ୍ୟାବୃତ୍ତ କରିଦେଉଛି।
ଜଙ୍ଗଲ ବିଭାଗର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ବିଭାଗର ଜଣେ କନିଷ୍ଠ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ମାନସିକ ନିର୍ଯାତିତ ହେବା ଅଭିଯୋଗ ଏକ ଛୋଟ କଥା ନୁହେଁ। ପୁଣି ମାନସିକ ନିର୍ଯାତନାର କାରଣ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ। ସେହି କାରଣ ପାଇଁ ସୌମ୍ୟରଞ୍ଜନଙ୍କ ଜୀବନ ଯାଇଛି ବୋଲି ସଙ୍ଗିନ୍ ଅଭିଯୋଗ ହୋଇଛି। କିନ୍ତୁ ବିଭାଗ ଏପରି ଅଭିଯୋଗ ଶୁଣି ନିରବ ରହିବା ଆଶ୍ଚର୍ଯ୍ୟଜନକ।
ଏହି ମାମଲାରେ ପୁଲିସର ଆଉ ଏକ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଘଟଣାରେ ଜିଲ୍ଲାର ଜଣେ ମହିଳା ଆଇଆଇସି ମମତା ପଣ୍ଡାଙ୍କ ସଂପୃକ୍ତିର ଅଭିଯୋଗ ଆସିଛି। ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟା। ତାଙ୍କୁ ମଧ୍ୟ ଏ ଯାଏ ତଦନ୍ତ ପରିସରଭୁକ୍ତ କରାଯାଉନି।
ସୌମ୍ୟରଞ୍ଜନଙ୍କ ମୃତ୍ୟୁର ପ୍ରଥମ ସାତ ଦିନରେ ସମ୍ଭବତଃ ଜିଲ୍ଲା ପୁଲିସ୍ ଆଶାନୁରୂପକ ତଦନ୍ତ କରିପାରୁନି ବୋଲି ପୁଲିସ୍ ମୁଖ୍ୟାଳୟରେ ଅନୁଭବ ହେଲା। ସେଥିପାଇଁ ତଦନ୍ତରେ ସହଯୋଗ କରିବାକୁ ପୁଲିସ୍ ଡିଜି କ୍ରାଇମ୍ବ୍ରାଞ୍ଚ୍ର ଏକ ଟିମ୍କୁ ପଠାଇଲେ। କିନ୍ତୁ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମ୍ବ୍ରାଞ୍ଚ୍କୁ ଦେଉ ନାହାନ୍ତି। ଯାହାକୁ ନେଇ ଏବେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାମଲାରେ ପୁଲିସ ଯାହା କହୁଛି, କ୍ରାଇମ ବ୍ରାଞ୍ଚ ଅଧିକାରୀ ଅଲଗା କଥା କହୁଛନ୍ତି। ସେମାନଙ୍କ କଥାରେ ତାଳମେଳ ରହୁନାହିଁ।
୧୦ ଦିନ ଧରି ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ ଚଳାଇଥିବା ପାରଳା ପୁଲିସକୁ କୌଣସି ସୁରାକ୍ ମିଳିନଥିବା ବେଳେ ସୌମ୍ୟରଞ୍ଜନ ନିଜ ବାସଭବନରେ ପୋଡ଼ି ପ୍ରାଣ ହରାଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଆଜି କହିଛନ୍ତି। କ୍ରାଇମବ୍ରାଞ୍ଚ୍ ଡିଏସ୍ପି ବିଜୟ ମଲ୍ଲିକ ଆଜି ଏସିଏଫ୍ଙ୍କ ବାସଭବନରେ ଛାନଭିନ୍ କରିବା ପରେ କହିଛନ୍ତି ଯେ ସୌମ୍ୟରଞ୍ଜଜନ ତାଙ୍କ ବାସଭବନ ଭିତରେ ହିଁ ଜଳି ଯାଇଥିଲେ। ୯ଫୁଟ ଉଚ୍ଚତାରେ ଥିବା ସ୍କାଏଲାଇଟ୍ରେ ଲାଗିଥିବା ମଶାନେଟ୍ରୁ ସାମ୍ପୁଲ୍ ମିଳିଥିବା ଏବଂ ପଛପଟ କବାଟର କିଛିଅଂଶ ପୋଡ଼ା ଚିହ୍ନ ରହିଥିବା ସେ କହିଛନ୍ତି। ତେବେ ଏହା ଆତ୍ମହତ୍ୟା, ନା' ହତ୍ୟା ସେନେଇ ବର୍ତ୍ତମାନ କିଛି କୁହାଯାଇ ପାରିବନାହିଁ ବୋଲି କହିଥିଲେ। ଡିଏସ୍ପି ଶ୍ରୀ ମଲ୍ଲିକଙ୍କ ଏହିଭଳି ବୟାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୯ଫୁଟ ଉପରେ ଥିବା ସ୍କାଏଲାଇଟ୍ର ମଶା ନେଟ୍ ଜଳିଥିବା ସତ୍ତ୍ବେ ଏହା ତଳେ ଦୁଇଫୁଟ ଦୂରରେ ଥିବା ଖଟ, ଟେବୁଲ, ପ୍ଲାଷ୍ଟିକ୍ ସାମଗ୍ରୀ ଇତ୍ୟାଦି କିଭଳି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଲା? ଏ ବିଷୟରେ ଡିଏସ୍ପି ଶ୍ରୀ ମଲ୍ଲିକ କିଛି ଉତ୍ତର ଦେଇ ନଥିଲେ।
ଅନ୍ୟପକ୍ଷରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହହିଛନ୍ତି ଯେ ଠିକ୍ ସମୟରେ ଡିଏଫ୍ଓଙ୍କୁ ଜେରା କରାଯିବ। ଡିଆଇଜି ଶ୍ରୀ ଭୋଇ ଆଜି ପାରଳଖେମୁଣ୍ଡି ଥାନାରେ ପହଞ୍ଚି ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୌମ୍ୟରଞ୍ଜନଙ୍କ ସରକାରୀ କ୍ବାର୍ଟରକୁ ଯାଇ ସ୍ଥିତି ପରଖିଥିଲେ।
‘ହେ ଭଗବାନ୍ ଡାଇଭର୍ସ କରେଇଦିଅ’
କପ୍ତିପଦା/ଶାଳଚୁଆ/ଖଇରା : ‘ହେ ଭଗବାନ କିଛି ବି କରେଇକି ଡାଇଭର୍ସ କରେଇଦିଅ। ପ୍ରଭୁ ଜୀବନ ସାରା ତମ ପାଖରେ ଋଣୀ ରହିଯିବି। ପୁରୀ ମନ୍ଦିରରେ ଦାସୀ ହୋଇକି ସାରାଜୀବନ ସେବା କରିବି। କିନ୍ତୁ କିଛି ବି କରେଇ ଡାଇଭର୍ସ କରେଇ ଦିଅ।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଏଯାଏ ଉନ୍ମୋଚନ ହୋଇ ପାରିନଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କର ଏହିଭଳି ଆଉ ଏକ ଲେଖା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।ଏସବୁ ଲେଖାକୁ କିଏ ଭାଇରାଲ୍ କରୁଛି, ତାହା ଏବେ ତଦନ୍ତକାରୀ ଟିମ୍ ପାଇଁ ବଡ଼ ପ୍ରଶ୍ନ।
ଅନ୍ୟପକ୍ଷରେ ଏହା ଚିଠି ନୁହେଁ, ବିଦ୍ୟାଭାରତୀଙ୍କ ଦ୍ବାରା ଲିଖିତ ଏକ ଡାଏରୀ ଏବଂ ଏହାକୁ କେହି ଭିନ୍ନ ଉଦ୍ଦେଶ୍ୟ ରଖି ଭାଇରାଲ୍ କରୁଥିବା ଚର୍ଚ୍ଚା ହେଉଛି। ଏହା ପଛରେ କାହାର ହାତ ରହିଛି, ତାହା କୁହେଳିକା ବଳୟରେ ରହିଛି। ତେବେ, ପ୍ରଥମ ଚିଠି ଭଳି ବିଦ୍ୟାଭାରତୀ ଏ ବାବଦରେ କିଛି ମୁହଁ ଖୋଲିନାହାନ୍ତି।
ଅନ୍ୟପଟେ ଆମ୍ବୁଲାନ୍ସ ଅଟକାଇବା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଥିବା ଗୁରୁଣ୍ତି ଥାନା ଆଇଆଇସି ମମତା ପଣ୍ତାଙ୍କ ସହ ବିଦ୍ୟାଭାରତୀଙ୍କର କ’ଣ ସମ୍ପର୍କ ଅଛି, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ମମତାଙ୍କ ଶ୍ବଶୁର ନରେନ୍ଦ୍ର ପାଢ଼ୀ। ତାଙ୍କ କହିବାନୁଯାୟୀ, ବିଦ୍ୟାଭାରତୀଙ୍କ ମାମୁଘର ଓ ମମତାଙ୍କ ଘର ଗୋଟିଏ ଗାଁରେ। ବିଦ୍ୟାଭାରତୀ ତାଙ୍କ ମାମୁଘର କପ୍ତିପଦାକୁ ଯାଉଥିବାବେଳେ ସେଠାରେ ମମତାଙ୍କ ସହ ତାଙ୍କର ଦେଖାହୋଇ ସମ୍ପର୍କ ବଢ଼ିଥିଲା। ଅନେକ ସମୟରେ ଦୁହେଁ କଥାବାର୍ତ୍ତା ମଧ୍ୟ ହୁଅନ୍ତି। ମମତାଙ୍କ ବିବାହ ୫ ମାସ ହୋଇଥିବାବେଳେ ସେ ଏବେ ଗଜପତି ଜିଲ୍ଲା ଗୁରାଣ୍ତି ଥାନାରେ ଚାକିରି କରୁଛନ୍ତି। ସେ କିପରି ଓ କ’ଣ ପାଇଁ ବିଦ୍ୟାଭାରତୀଙ୍କୁ ସାହାଯ୍ୟ କରିଥିଲେ ତାହା ସେ ଜାଣିନାହାନ୍ତି ବୋଲି ନରେନ୍ଦ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/acf.jpg)
/sambad/media/post_attachments/wp-content/uploads/2021/07/bidya-.jpg)