ବ୍ରହ୍ମପୁର : ସିମ୍ବକ୍ସ ଜରିଆରେ ଦାଦାବଟି ମାଗିବା ଘଟଣାରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ର ଲିଙ୍କ୍ ଘଟଣାକୁ ୫ବର୍ଷ। ୨୦୦୭ ମସିହା ଜୁଲାଇ ମାସରେ ଏହି ହାଇପ୍ରୋଫାଇଲ୍ ସାଇବର ଅପରାଧ ସେତେବେଳେ ଚର୍ଚ୍ଚାର ପରିଧିକୁ ଆସିଥିଲା। ଓଡ଼ିଶାରେ ଏହା ପ୍ରଥମ ଘଟଣା ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚ ମାମଲାର ତଦନ୍ତଭାର ନେଇଥିଲା। ଏପର୍ଯ୍ୟନ୍ତ ଏହି ରାକେଟ୍ର ଚେର କୁଆଡ଼େ ଲମ୍ବିଛି, ସେ ନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ କୌଣସି ଠୋସ୍ ତଥ୍ୟ ପ୍ରମାଣ ପାଇପାରି ନାହିଁ। ୪ଜଣ ଅଭିଯୁକ୍ତ ଜାମିନ୍ରେ ଜେଲ୍ରୁ ମୁକୁଳି ସାରି ଥିବାବେଳେ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିସାରିଛି। କିନ୍ତୁ, ମାମଲାର ବିଚାରଣା ଆରମ୍ଭ ହୋଇନାହିଁ।
ଘଟଣାନୁସାରେ, ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ଜଣେ ବ୍ୟକ୍ତି ୨କୋଟି ଟଙ୍କା ଦାଦାବଟି ମାଗିଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଅଣ୍ଡର୍ଵାର୍ଲଡ୍ ଡନ୍ ବୋଲି ପରିଚୟ ଦେଇଥିଲା। ପରେ ବ୍ୟବସାୟୀ ଜଣକ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ଫୋନ୍କଲ୍ ଯାଞ୍ଚ୍ ପରେ ଓଡ଼ିଶାର ବ୍ରହ୍ମପୁର ସହରରୁ ଫୋନ୍ ଆସିଥିବା ଜାଣିବାକୁ ପାଇଥିଲା। ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ବ୍ରହ୍ମପୁର ପୁଲିସ ସହିତ ଯୋଗାଯୋଗ କରିବାପରେ ୨୦୧୭ ଜୁଲାଇ ମାସରେ ତନାଘନା ଆରମ୍ଭ ହୋଇଥିଲା। ସେପଟେ ମୁମ୍ବାଇ ପୁଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ଧରିଥିଲା। ତା’ର ଘର ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳରେ ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଥିଲା। ତାକୁ ଜେରା କରିବାପରେ ହ˚କ˚ରୁ ଫୋନ୍ ଆସିଥିବା ଜଣାପଡ଼ିଥିଲା। ଏହି ଫୋନ୍ରୁ ଅଣ୍ଡର୍ଵାର୍ଲଡ୍ ଡନ୍ ରାଜନ୍ ଗ୍ୟାଙ୍ଗ୍ର ସଦସ୍ୟ ଗ୍ୟାଙ୍ଗ୍ଷ୍ଟର୍ ସୁରେଶ ପୂଜାରୀର ଲିଙ୍କ୍ ପାଇଥିଲା ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍।
ଖୋଳତାଡ଼ ପରେ ବିଦେଶରୁ ଆସିଥିବା ଫୋନ୍କଲ୍କୁ ସିମ୍ବକ୍ସ ଜରିଆରେ ପରିବର୍ତ୍ତନ କରାଯାଇ ଲୋକାଲ୍ କଲ୍ କରାଯାଇଥିବା ଜଣାପଡ଼ିଥିଲା। ସେହି କଲ୍ ବ୍ରହ୍ମପୁରରୁ ଯାଇଥିବା ଓ ସିମ୍ବକ୍ ବ୍ରହ୍ମପୁରେ ଖଞ୍ଜା ଯାଇଥିବା ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ଜାଣିବାକୁ ପାଇଥିଲା। ବ୍ରହ୍ମପୁର ପୁଲିସ ରମ୍ଭା ଅଞ୍ଚଳର ସମ୍ପୃକ୍ତ ଯୁବକଙ୍କ ଲିଙ୍କ୍ରେ ଥିବା ଲୋକଙ୍କ ରେକର୍ଡ଼ ଯାଞ୍ଚ କରିଥିଲା। ଅଧିକ ଖୋଳତାଡ଼ ପରେ ୨୦୧୭ ଜୁଲାଇ ୮ତାରିଖରେ ସିମ୍ବକ୍ସ ରାକେଟ୍ କାରବାର ଚଳାଉଥିବା ଗ୍ୟାଙ୍ଗ୍କୁ ଠାବ କରାଯାଇଥିଲା। ଉତ୍କଳ ଆଶ୍ରମ ରୋଡ଼ରେ ଥିବା ଏସ୍-ଵାର୍ଲଡ୍ ନାମକ ଏକ କମ୍ପ୍ୟୁଟର୍ ଦୋକାନରେ ଏହି କାରବାର ଚାଲିଥିବା ଜଣାପଡ଼ିଥିଲା। ଚାଇନାରୁ ୫ଟି ସିମ୍ବକ୍ସ ଆଣି ବିଦେଶରୁ ଆସୁଥିବା କଲ୍କୁ ଲୋକାଲ୍ କରାଯାଉଥିଲା। ୫ଟି ସିମ୍ବକ୍ସ ମଧ୍ୟରୁ ୩ଟି ବ୍ରହ୍ମପୁରରୁ ଜବତ ହୋଇଥିବା ବେଳେ ୨ଟି ଆସିକାରୁ ଜବତ ହୋଇଥିଲା। ସିଙ୍ଗାପୁର, ଦୁବାଇ, ଚାଇନାରୁ ଆସୁଥିବା କଲ୍ଗୁଡ଼ିକ ପରିବର୍ତ୍ତନ କରି କମିସନ୍ ଆକାରରେ ଏମାନେ ଟଙ୍କା ରୋଜଗାର କରୁଥିଲେ। ଓଡ଼ିଶାର ଭୁବନେଶ୍ବର, ରାଉରକେଲା, ପୁରୀରେ ମଧୢ ଏମିତି ସିମ୍ ବକ୍ସ ରହିଥିବା ଜଣାପଡ଼ିଥିଲା। କିନ୍ତୁ, କ୍ରାଇମ୍ବ୍ରାଞ୍ଚ ତାହା ଜବତ କରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଘଟଣାର ଦୀର୍ଘ ୫ବର୍ଷ ପରେ ମଧ୍ୟ ଏହି ମାମଲାର ତଦନ୍ତରେ କୌଣସିପ୍ରକାର ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହୋଇନାହିଁ। ଅଭିଯୁକ୍ତମାନେ ଘଟଣାର ପ୍ରାୟ ୧ବର୍ଷ ପରେ ହାଇକୋର୍ଟରୁ ଜାମିନ୍ରେ ବାହାରି ସାରିଛନ୍ତି। ତେବେ, ଏହି କାରବାରର ଚେର ଆଉ କେଉଁଆଡ଼େ ଲମ୍ବିଛି ଓ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ବର୍ତ୍ତମାନ ସୁଦ୍ଧା ତାହା ରହସ୍ୟ ଘେରରେ ରହିଛି।