ସକାଳେ ଡିଏଫ୍ଓଙ୍କୁ, ସନ୍ଧ୍ୟାରେ ମମତାଙ୍କୁ ଜେରା
ଅଭିଯୋଗକୁ ଡିଏଫ୍ଓଙ୍କ ଖଣ୍ଡନ, ସମ୍ପର୍କ ନାହିଁ
କଟକ ଯାଇଥିବା ଡ୍ରାଇଭର୍, ଗାର୍ଡ଼ଙ୍କୁ ବି ଜେରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ପୁଲିସ୍ ଓ କ୍ରାଇମ୍ବ୍ରାଞ୍ଚ୍ର ଏକ ୫ଜଣିଆ ଟିମ୍ ତାଙ୍କୁ ୩ ଘଣ୍ଟା ଜେରା କରିଛନ୍ତି। ଜେରା ସମୟରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫ୍ଓ ଶ୍ରୀ ବେହେରା। ପାରିବାରିକ ସମ୍ପର୍କ ନାହିଁ, ବିଦ୍ୟାଭାରତୀଙ୍କୁ ଥରେମାତ୍ର ହସ୍ପିଟାଲରେ ଭେଟିଥିବା ସେ କହିଛନ୍ତି। ସେହିଭଳି ଏହି ହତ୍ୟା ଘଟଣାରେ ବିବାଦ ଘେରକୁ ଆସିଥିବା ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡାଙ୍କୁ ବି ଜେରା କରାଯାଇଛି। ସୌମ୍ୟରଞ୍ଜନଙ୍କ ଆମ୍ବୁଲାନ୍ସ ପଛରେ ଯାଇଥିବା ବନବିଭାଗ ଡ୍ରାଇଭର୍ ଓ ଫରେଷ୍ଟ ଗାର୍ଡଙ୍କୁ ବି ଜେରା କରାଯାଇଥିବା ବେଳେ ବନବିଭାଗର ଅନ୍ୟ କେତେଜଣ ଅଧିକାରୀଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ତେବେ ଜେରା ପରେ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ସହିତ ଡିଏଫ୍ଓ, ଆଇଆଇସିଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ। ଘଟଣା ସହିତ ଉଭୟଙ୍କର କୌଣସି ସମ୍ପର୍କ ନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଦୁଇ ଜଣଙ୍କୁ ଜେରା କରିବା ମାତ୍ରେ ସେମାନଙ୍କୁ ଏମିତି ତରବରିଆ ଭାବେ କ୍ଲିନଚିଟ୍ ଦିଆଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯେଉଁ ୩ ଜଣଙ୍କ ବିରୋଧରେ ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ, ସେମାନଙ୍କ ମଧ୍ୟରେ ଡିଏଫ୍ଓ ଶ୍ରୀ ବେହେରା ଅନ୍ୟତମ। ଅନ୍ୟ ୨ ଜଣ ହେଲେ, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଜଣେ ରୋଷେୟା। ଏହି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେବା ଦିନଠାରୁ ଡିଏଫ୍ଓ ଶ୍ରୀ ବେହେରାଙ୍କୁ କେବେ ଜେରା ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠି ଆସୁଥିଲା। ଶେଷରେ, ଆଜି ପୂର୍ବାହ୍ନ ସମୟରେ ପାରଳା ଏସ୍ଡିପିଓ, ପାରଳା ଥାନା ଆଇଆଇସିଙ୍କ ସହ କ୍ରାଇମବ୍ରାଞ୍ଚ୍ ଟିମ୍ର ମୁଖ୍ୟ ଡିଏସ୍ପି ବିଜୟ ମଲ୍ଲିକ ଓ ଅନ୍ୟ ଦୁଇ ଅଧିକାରୀଙ୍କୁ ନେଇ ଗଠିତ ୫ ଜଣିଆ ଟିମ୍ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲେ। ମିଳିତ ତଦନ୍ତକାରୀ ଟିମ୍ ପୂର୍ବାହ୍ନ ସାଢ଼େ ୧୧ଟାରୁ ଠିକ୍ ସାଢ଼େ ଦୁଇଟା ପର୍ଯ୍ୟନ୍ତ ଡିଏଫ୍ଓଙ୍କୁ ମାରାଥନ୍ ଜେରା କରିଥିଲେ। ଜେରାରୁ ପୁଲିସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଥିବାବେଳେ ଘଟଣା ସମ୍ପର୍କରେ କିନ୍ତୁ କୌଣସି ମତାମତ ଦେଇନଥିଲେ ଡିଏଫ୍ଓ। ତେବେ, ଏସିଏଫ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ନେଇ ଆସିଥିବା ଅଭିଯୋଗକୁ ସେ ତଦନ୍ତକାରୀ ଟିମ୍ ଆଗରେ ସିଧା ସିଧା ଖଣ୍ଡନ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ସୌମ୍ୟଙ୍କ ଆକସ୍ମିକ ମୃତ୍ୟୁ ଘଟଣା ସହ ତାଙ୍କର କିଛି ସଂପର୍କ ନାହିଁ। ସେ ବିଦ୍ୟାଭାରତୀଙ୍କୁ ଆଗରୁ କେବେ ଦେଖି ନାହାନ୍ତି ଏବଂ ପ୍ରଥମଥର ପାଇଁ ତାଙ୍କୁ ହସ୍ପିଟାଲରେ ଭେଟିଥିଲେ ବୋଲି ଜେରା ସମୟରେ କହିଥିଲେ।
ସେହିଭଳି, ସମସ୍ତ ଘଟଣାକ୍ରମରେ ବିବାଦ ଘେରକୁ ଆସିଥିବା ଆଇଆଇସି ମମତା ପଣ୍ଡାଙ୍କୁ ମଧ୍ୟ ଅନୁରୂପ ଭାବେ ଜେରା କରାଯାଇଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟାରେ ତାଙ୍କୁ ପାରଳା ଥାନାକୁ ଡକା ଯାଇଥିଲା। କିନ୍ତୁ ସନ୍ଧ୍ୟା ୭ଟା ୪ରେ ସେ ଥାନାରେ ପହଞ୍ଚି ଥିଲେ। ରାତି ପ୍ରାୟ ସାଢ଼େ ଆଠଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା। ଜେରାପରେ ଆଇଆଇସି ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ ଏବଂ ଯାହା କହିବା କଥା ଉପରିସ୍ଥ ଅଧିକାରୀଙ୍କୁ କହିଥିବା ସେ ପ୍ରତିକ୍ରିୟାରେ ଜଣାଇଥିଲେ।
ଏଥିସହିତ, ଆଜି ସନ୍ଧ୍ୟାରେ ମଧ୍ୟ ଗୁରୁତର ସୌମ୍ୟରଞ୍ଜନଙ୍କ ଆମ୍ବୁଲାନ୍ସ ପଛରେ ଯାଇଥିବା ବନବିଭାଗର ଡ୍ରାଇଭର୍ ପ୍ରଶାନ୍ତ ସାହୁ ଓ ଫରେଷ୍ଟ ଗାର୍ଡ ଶିବରାମ ସାବତଙ୍କୁ ମଧ୍ୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଛନ୍ତି। ଏହି ଦୁଇଜଣ ଦେବଗିରି ରେଞ୍ଜ୍ ଅଧୀନରେ କାର୍ଯ୍ୟରତ ଏବଂ ଘଟଣାଦିନ ସୌମ୍ୟରଞ୍ଜନ ପାରଳା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସ ପଛେପଛେ ଯାଇଥିଲେ। ଏହାଛଡ଼ା ଘଟଣା ରାତିରେ ଆମ୍ବୁଲାନସ୍ ସହ କଟକ ପର୍ଯ୍ୟନ୍ତ ଯାଇଥିବା ଦେବଗିରି ରେଞ୍ଜର୍ ଅରୁଣ କୁମାର ବେହେରା, ଅନ୍ୟ ଦୁଇ ଏସିଏଫ୍ ଗୌରୀପ୍ରସାଦ ରଥ ଓ ଭାସ୍କର ରାଓଙ୍କୁ ପୂର୍ବରୁ ପୁଲିସ ପ୍ରାଥମିକ ଜେରା କରିଥିଲା। ଏତେସବୁ ଜେରାପରେ ଡିଏଫ୍ଓ ଶ୍ରୀ ବେହେରା ଓ ଆଇଅାଇସି ମମତାଙ୍କୁ ଗଜପତି ଏସ୍ପି ଶ୍ରୀ ପଟ୍ଟନାୟକଙ୍କ କ୍ଲିନ୍ଚିଟ୍ ଦେଇଛନ୍ତି। ଫଳରେ ମାମଲାକୁ କେଉଁଦିଗକୁ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।
ସୂଚନାଯୋଗ୍ୟ ଯେ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା ପାରଳା ଥାନାରେ ବୋହୂ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କ ନାମରେ ଏତଲା ହୋଇଥିଲେ। ଏହା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା।
ତୁମ ପାଦ ତଳେ ଟିକେ ଜାଗା ଚାହୁଁଛି
କଟକ : ‘ମୁଁ ଚାକିରି ଛାଡି ଦେବି। ମୁଁ ତୁମର ଚାକର ହୋଇ ରହିବି। କିନ୍ତୁ ମୁଁ ତୁମର ପାଦ ତଳେ ଟିକେ ଜାଗା ଚାହୁଁଛି। ତୁମେ ଯାହା ଚାହୁଁଛ ମୁଁ ସବୁ ବ୍ୟବସ୍ଥା କରିଦେବି। ନିଶ୍ଚିତ ଭାବେ ତାହାକୁ ପୂରଣ କରିବି....। ମୁଁ ତୁମର ଯୋଗ୍ୟତାକୁ ନେଇ ବ୍ୟସ୍ତ ନୁହେଁ। ମୁଁ ବି ଏ ସଂପର୍କରେ ତୁମକୁ କେବେ କିଛି କହିବି ନାହିଁ। ମୁଁ କେବଳ ତୁମକୁ ମୋର ପତ୍ନୀ ତଥା ଭଲ ବାନ୍ଧବୀ ହିସାବରେ ପାଇବାକୁ ଚାହେଁ।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ହାତ ଲେଖା ଏଭଳି ଦୁଇଟି ଇଂରାଜୀ ଚିଠି ଏବେ ସାମନାକୁ ଆସିଛି।
ଧଳା କାଗଜରେ ଇଂରାଜୀରେ ଲେଖା ଥିବା ଏହି ଚିଠିର ଶେଷରେ ସୌମ୍ୟରଂଜନ ମହାପାତ୍ର ଲେଖା ଯିବା ସହିତ ଗୋଟିଏ ଚିଠିରେ ୨୦୨୧, ଫେବ୍ରୁଆରି ୨୨ ଓ ଅନ୍ୟ ଚିଠିରେ ଫେବ୍ରୁ୍ଆରି ୨୩ ତାରିଖ ଲେଖା ଯାଇଛି।
କିନ୍ତୁ ଏହି ଚିଠି କାହାକୁ ସମ୍ବୋଧନ କରି ଲେଖା ଯାଇଛି, ହସ୍ତଗତ ହୋଇଥିବା କାଗଜରୁ ତାହା ସ୍ପଷ୍ଟ ହୋଇନାହିଁ। ଫେବ୍ରୁଆରି ୨୩ ଉଲ୍ଲେଖ ଥିବା କାଗଜରେ ଲେଖା ଅଛି ଯେ.. ‘ଯଦି ଏହା ପରେ କିଛି ଘଟେ ମୋର ସେଥିରେ କିଛି ଭୂମିକା ନାହିଁ। ମୁଁ କିଛି ବୁଝାଇବାକୁ ଚାହେ ନାହିଁ। ମୁଁ କିଛି କହୁ ବି ନାହିଁ। ସେ ଯାହା ନିଷ୍ପତ୍ତି ନେଉଛି ସେଥିରେ ତା ପାଇଁ କିଛି ବାଧା ନାହିଁ। ମୁଁ ଯଦି କିଛି କୁହେ ଅଥବା କୌଣସି ଥିରେ ବାଧା ଦିଏ ତେବେ ସେ ମୋ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିବ।’
ସୌମ୍ୟରଂଜନଙ୍କ ପରିବାର ଲୋକ ପୁଲିସ ଡିଜିଙ୍କୁ ଭେଟି ବିଭିନ୍ନ କାଗଜପତ୍ର ଦେଇଥିବା ବେଳେ ସେଥିରେ ଏଭଳି କିଛି କାଗଜପତ୍ର ଦାଖଲ କରିଛନ୍ତି। ବର୍ତ୍ତମାନ ତାହାକୁ ନେଇ ଛାନଭିନ୍ ଜାରି ରହିଥିବା ବେଳେ ସୌମ୍ୟରଂଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ କିଭଳି ସଂପର୍କ ରହିଥିଲା, କେଉଁଠି ବିବାଦ ଥିଲା, ସେ ରହସ୍ୟ ହୁଏତ ଖୁବଶୀଘ୍ର ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dfo.jpg)