ଘନଉଛି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : ମୃତ୍ୟୁର ୪ ଦିନ ପୂର୍ବରୁ ସମ୍ପତ୍ତି ଏଗ୍ରିମେଣ୍ଟ କ’ଣ ପାଇଁ?

ସୌମ୍ୟରଞ୍ଜନଙ୍କ ଘରେ ପାରଳାଖେମୁଣ୍ଡି ପୁଲିସ
୪ ଘଣ୍ଟା ଧରି ପରିବାର ଲୋକଙ୍କୁ ପଚରାଉଚରା
ତଦନ୍ତକାରୀ ଟିମ୍ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଖଇରା/କପ୍ତିପଦା/ଶାଳଚୁଆ : ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁପଛର ସତ କ’ଣ? ସେ କେମିତି ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଲେ? ଏହା ଏକ ଆକସ୍ମିକ ଦୁର୍ଘଟଣା ନା ଏହାପଛରେ କିଛି ଷଡ଼୍‌ଯନ୍ତ୍ର ରହିଛି? କିଛିଦିନ ଧରି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ଏହିଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସୋମବାର ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି ସୌମ୍ୟରଂଜନଙ୍କ ମାଆ ଓ ପରିବାରର ଲୋକ। ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୪ଦିନ ପୂର୍ବରୁ ସମ୍ପତ୍ତି ହସ୍ତାନ୍ତର ନେଇ ଏଗ୍ରିମେଣ୍ଟ ବା ଚୁକ୍ତିନାମା ହୋଇଥିଲା ବୋଲି ପା‌ରଳାଖେମୁଣ୍ଡି ପୁଲିସ୍‌ର ତଦନ୍ତକାରୀ ଟିମ୍‌କୁ କହିଛନ୍ତି। ଏଥିସହିତ, ବାହାଘର ପରେ ତାଙ୍କ ବୋହୂ ବଲାଙ୍ଗୀରରେ ବ୍ୟାଚଲର୍‌ ପାର୍ଟି ଦେଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର।

ସୋମବାର ପାରଳାଖେମୁଣ୍ତି ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ। ସେଠାରେ ପରିବାର ଓ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା।

ସୌମ୍ୟରଞ୍ଜନଙ୍କ ମାମୁଁ ଶୀତିକଣ୍ଠ ପଣ୍ଡା ତଦନ୍ତକାରୀ ଟିମ୍ ଆଗରେ ଯାହା ସବୁ ବୟାନ ରଖିଥିଲେ ତାହା ଅତ୍ୟନ୍ତ ସଙ୍ଗିନ ଓ ଚାଞ୍ଚଲ୍ୟକର। ମୃତ୍ୟୁର ମାତ୍ର ୪ ଦିନ ପୂର୍ବରୁ ଜୁଲାଇ ୯ ତାରିଖରେ ହୋଇଥିବା ଏକ ଆଇନଗତ ଚୁକ୍ତିନାମା (ଏଗ୍ରିମେଣ୍ଟ)କୁ ନେଇ ପ୍ରଶ୍ନ କରିଥିଲେ ଶୀତିକଣ୍ଠ। ସୌମ୍ୟରଞ୍ଜନଙ୍କ ମୃତ୍ୟୁପରେ ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ବିଦ୍ୟାଭାରତୀଙ୍କର ବୋଲି ଏହି ଏଗ୍ରିମେଣ୍ଟରେ ଲେଖା ହୋଇଛି। ସ୍ବାଭାବିକ ଭାବେ ସ୍ବାମୀର ମୃତ୍ୟୁ ପରେ ସ୍ତ୍ରୀ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ଏମିତି ଏଗ୍ରିମେଣ୍ଟ କାହିଁକି କରିବାକୁ ପଡ଼ିଲା, ତା’ର ତଦନ୍ତ ମଧ୍ୟ ଜରୁରୀ। ଏହାଛଡ଼ା ସୌମ୍ୟରଞ୍ଜନଙ୍କ ହାତ ଲିଖିତ ଏକ ଡାଏରୀ ମିଳିଛି, ଯେଉଁଥିରେ ୧୨ ତାରିଖରୁ ୧୫ ତାରିଖ ମୋ ପାଇଁ କାଳରାତ୍ରୀ ବୋଲି ଉଲ୍ଲେଖ ରହିଛି। ବାସ୍ତବରେ ଏହି ହାତଲେଖା କାହାର ତାହା ଏବେ ବି ସନ୍ଦେହ ଘେରରେ। ଅନ୍ୟପଟେ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଡିଏଫ୍‌ଓଙ୍କୁ ତଦନ୍ତ ପରିସରକୁ ନଆଣିବା ଏବଂ ତାଙ୍କ ଫୋନ୍ କଲ ରେକର୍ଡ ଯାଞ୍ଚ‌ ନକରିବା ନେଇ ପରିବାର ଲୋକେ ତଦନ୍ତକାରୀ ଟିମ୍ ଆଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ଡିଏଫ୍‌ଓ, ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଅଲଗା ଅଲଗା ଏବଂ ଏକାଠି ବସାଇ ଜେରା କଲେ ସବୁ ସତ ସାମ୍‌ନାକୁ ଆସିବ ବୋଲି ଶୀତିକଣ୍ଠ ଦୋହରାଇଥିଲେ। ୪ ଘଣ୍ଟାର ମାରାଥନ୍‌ ଜେରା ବେଳେ ତଦନ୍ତକାରୀ ଟିମ୍‌ ବହୁତ କିଛି ତଥ୍ୟ ସଂଗ୍ରହ କରିଥିଲା। ତେବେ ପୋଲିସ କିଛି କହିବାକୁ ମନା କରିଦେଇଛି।

ବାପଘରେ ବିଦ୍ୟାଭାରତୀଙ୍କୁ ଜେରା, ସୌମ୍ୟରଞ୍ଜନଙ୍କ ମୋବାଇଲ ଜବତ
ତଦନ୍ତକାରୀ ଟିମ୍‌ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀ ପଣ୍ଡାଙ୍କ ବାପଘରେ ପହଞ୍ଚି ସେଠାରେ ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ। ବିବାହ ପୂର୍ବରୁ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର୍‌ ପାର୍ଟିରେ କ’ଣ ଘଟିଥିଲା, ସରକାରୀ କ୍ବାର୍ଟର୍ସରୁ ମିଳିଥିବା ଡାଏରୀର ସତ, ଉଭୟଙ୍କ ବୈବାହିକ ଜୀବନ, ତାଙ୍କ ପରିବାର ସହ ଡିଏଫ୍‌ଓଙ୍କ ସମ୍ପର୍କ, ଚର୍ଚ୍ଚା ହେଉଥିବା ଚୁକ୍ତିଭିତ୍ତିକ ବାହାଘର ପଛର ସତ ଓ ଘଟଣା ଦିନ ରାତିରେ କ’ଣ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ତଦନ୍ତକାରୀ ଟିମ୍‌ ବିଦ୍ୟାଭାରତୀଙ୍କୁ ଗୁଡ଼େଇ ତୁଡ଼େଇ ପଚାରିଥିବା ଜଣାପଡ଼ିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁପରେ ବିଦ୍ୟାଭାରତୀ ତାଙ୍କ ସ୍ବାମୀଙ୍କ ମୋବାଇଲ ଫୋନ୍ ନେଇ ଆସିଥିଲେ। ତଦନ୍ତକାରୀ ଟିମ୍ ଉଭୟଙ୍କ ମୋବାଇଲକୁ ଜବତ କରିବା ସହ ଅଧିକ ତଦନ୍ତ ପାଇଁ ସାଇବର ବିଶେଷଜ୍ଞଙ୍କ ସହାୟତା ନେବ ବୋଲି ଜଣାପଡ଼ିଛି। ସୋମବାର ଜେରା ଅସମାପ୍ତ ରହିଥିବା ବେଳେ ଆଜି ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ପୃଥକ ପୃଥକ ଜେରା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଘଟଣା ସଂପର୍କରେ ବିଦ୍ୟାଭାରତୀଙ୍କ ପରିବାରଙ୍କୁ ପଚରାଯିବାରୁ ସେମାନେ ଗଣମାଧ୍ୟମକୁ କିଛି କହିବେନି, ଯାହା କହିବେ ପୁଲିସକୁ ଜଣାଇବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର