ହୋଟେଲରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ: ରହସ୍ୟ ଭିତରେ ରୁମ୍ ନମ୍ବର ୧୦୯, ହୋଟେଲ, ହଷ୍ଟେଲ ସୁରକ୍ଷା ହୁଗୁଳା

ବରଗଡ଼: ସୋମବାର ସ୍ଥାନୀୟ ରେଳ ଷ୍ଟେସନ୍‌ ସମ୍ମୁଖରେ ଥିବା ବିଜୟ ଲଜ୍‌ରେ ଜଣେ କଲେଜ୍‌ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା। ନିଜ ପ୍ରେମିକ ସହ ହୋଟେଲ୍‌ରେ କିଛି ସମୟ ଅନ୍ତରଂଗ ମୁହୂର୍ତ୍ତ ବିତାଉବା ବେଳେ ନାବାଳିକା ପ୍ରେମିକାର ମୃତ୍ୟୁ ଘଟିଲା। ପୁଲିସ୍‌ ପ୍ରେମିକ ବଲାଂଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଧିଆପାଲି ଗାଁର ରାହୁଲ ବାଗକୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି। ରାହୁଲ ଏବଂ ତାଙ୍କ ପ୍ରେମିକା ରୁମ୍‌ ନମ୍ବର-୧୦୯ରେ ଏକାନ୍ତରେ ଥିଲାବେଳେ ଏହି ଅଘଟଣ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲାର ରହସ୍ୟ ଉନ୍ମୋଚନ ହେବ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ହୋଟେଲ ଏବଂ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା। କୌଣସି ବ୍ୟକ୍ତି ହେ‌ାଟେଲରେ ରହିବାକୁ ଗଲେ କାଉଣ୍ଟରରେ ପ୍ରଥମେ କୌଣସି ପରିଚୟପତ୍ରର ନକଲ ଦେବାକୁ ପଡ଼ିଥାଏ। ପ୍ରେମୀ ଯୁଗଳଙ୍କୁ ହୋଟେଲରେ ରୁମ୍‌ ଦେବା ସାଧାରଣତଃ ବାରଣ କରାଯାଏ। ପ୍ରଶ୍ନ ଉଠୁଛି ହୋଟେଲ୍‌ ବିଜୟରେ ଏହି କଥାକୁ ଅଣଦେଖା କରାଗଲା କାହିଁକି? ଉକ୍ତ ହୋଟେଲ୍‌ ନାମରେ ପୂର୍ବରୁ ବି ଗୁଡ଼ାଏ ଅଭିଯୋଗ ରହିଛି। ବି‌ଶେଷକରି ଏଠାରେ ଲୁଚାଛପା ଦେହ ବ୍ୟବସାୟ ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। କିନ୍ତୁ ଅଭିଯୋଗ ହେ‌ଲେ ବି ପୂର୍ବରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି?

ରେଜିଷ୍ଟାର୍‌ ଯାଂଚ ଭୁଲି ଯାଉଛି ପୁଲିସ୍‌ 

ଦେଶର କୌଣସି ସ୍ଥାନରେ ହୋଟେଲ୍‌ରେ କିଛି ବଡ଼ ଅଘଟଣ ଘଟିଲେ ବରଗଡ଼ ପୁଲିସ୍‌ର ଚେତା ପଶେ। ପୁଲିସ୍‌ ଟିମ୍‌ ବିଭିନ୍ନ ହୋଟେଲରେ ତୁରନ୍ତ ଚଢ଼ଉ କରିଥାନ୍ତି। ସନ୍ଦିଗ୍ଧ ଅନ୍ତେଃବାସୀଙ୍କୁ ପଚରାଉଚୁରା କରିଥାନ୍ତି। ରେଜିଷ୍ଟାର୍‌ ଯାଂଚ ଚାଲେ। କିନ୍ତୁ ଦିନକ ପରେ ସବୁ ଢିଲା। ଅନ୍ୟ ସହରରେ ପ୍ରତି ହୋଟେଲ୍‌ରୁ ଅନ୍ତେଃବାସୀଙ୍କ ତାଲିକା ଏବଂ ଠିକଣା ବୈଧ ପ୍ରମାଣପତ୍ର ମାସକୁ ଥରେ ପୁଲିସ୍‌ ଯାଂଚ କରିଥ‌ାଏ। କିଛି ଅଡ଼ୁଆ ଲାଗିଲେ ତଦନ୍ତ ଚାଲେ। ଏଥିପାଇଁ ନିୟମିତ ବ୍ୟବଧାନରେ ପୁଲିସ୍‌ ଏବଂ ହୋଟେଲ ମାଲିକଙ୍କ ମଧ୍ୟରେ ବୈଠକ ବି ହୁଏ। କିନ୍ତୁ ବରଗଡ଼ରେ ସବୁ ଗଡ଼ବଡ଼।

ହୋଟେଲ୍‌ରେ ଘଣ୍ଟିକିଆ ସ୍କିମ୍‌

ସହରର କିଛି ହୋଟେଲ୍‌ରେ ନିୟମିତ ଦେହ ବ୍ୟବସାୟ ଚାଲୁଛି। କେବଳ ଏତିକି ନୁହଁ, କଲେଜ୍‌ ଛାତ୍ରଛାତ୍ରୀଙ୍କୁ କୋଠରୀ ଯୋଗାଇ ଅନୈତିକ କାମ କରିବାକୁ ସୁଯୋଗ ଦିଆଯାଉଛି। ଜିଲ୍ଲାରେ ହୋଟେଲ୍‌ ଶିଳ୍ପ ପୂରା ମାନ୍ଦା। କିଛି ‌ହୋଟେଲ୍‌ ଭଲ ବ୍ୟବସାୟ କରୁଥିବାବେଳେ ଅନ୍ୟଗୁଡ଼ିକ ମାନ୍ଦା। ତେଣୁ ଉପାର୍ଜନ ବଢ଼ାଇବା ପାଇଁ କିଛି ହୋଟେଲ ଦେହ ବ୍ୟବସାୟକୁ ପ୍ରଶ୍ରୟ ଦେଉଛନ୍ତି। କିଛି ସ୍ଥାନରେ ତ ଘଣ୍ଟିକିଆ ସ୍କିମ୍‌ ରହିଛି। ଅର୍ଥାତ ପ୍ରେମୀ ଯୁଗଳ ହୋଟେଲ୍‌ରେ ଘଣ୍ଟାଏ ବିତାଇଲେ ଶହେ କିମ୍ବା ୨ଶହ ଟଙ୍କାରେ ରୁମ୍‌ ମିଳିଯାଉଛି। ଏଭଳି ହୋଟେଲ୍‌ରେ ୟୁନିଫର୍ମ ପିନ୍ଧା ପିଲା-ଝିଅଙ୍କୁ ନିୟମିତ ଦେଖିବାକୁ ମିଳୁଛି। ପୁଲିସ୍‌ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣ‌ରେ ଦୃଢ଼ ଦାବି ହେଉଛି।

ବେଆଇନ୍‌ ହଷ୍ଟେଲକୁ ଅଣଦେଖା

ଜିଲ୍ଲାରେ ଘରୋଇ ବ୍ୟତୀତ ସବୁ ସରକାରୀ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଅଭାବ। ଯେଉଁଠି ହଷ୍ଟେଲ ଅଛି, ସେଠାରେ ପିଲାମାନେ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଫଳରେ ମାଳମାଳ ଘରୋଇ ହଷ୍ଟେଲ ମୁଣ୍ଡ ଟେକିଛି। ହଷ୍ଟେଲ ସଂଖ୍ୟା ନେଇ କାହାରି ପାଖରେ ହିସାବ ନାହିଁ। ପୂର୍ବରୁ କିଛି ମହିଳା ଘରୋଇ ହଷ୍ଟେଲରେ ଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଘରୋଇ ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଅଂଗୁଳି ଉଠିଥିଲା। ପୁଲିସ୍‌ ଗୋଟିଏ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିଥିଲା। ଘରୋଇ ହଷ୍ଟେଲଗୁଡ଼ିକର ପଞ୍ଜୀକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଘଟଣାକ୍ରମରେ ଏହି ଯୋଜନା ସଂପୂର୍ଣ୍ଣ ଠପ୍‌ ହୋଇ ରହିଛି। ନା ଅଛି ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନା ଅଛି ହଷ୍ଟେଲ ସଂପର୍କରେ ପୁଲିସ୍‌ ପାଖରେ କିଛି ତଥ୍ୟ।

ସମ୍ବନ୍ଧିତ ଖବର