ଏସିଏଫ୍‌ଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି

ଡିଏଫ୍ଓଙ୍କୁ ଟାଣିଲେ ସୌମ୍ୟଙ୍କ ପରିବାର

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି
ପତ୍ନୀ ମୁହଁ ଖୋଲିଲେ, ମିଛ ଅପବାଦ ଦିଆଯାଉଛି

ପାରଳାଖେମୁଣ୍ତି/ଶାଳଚୁଆ/ଖଇରା/ଔପଦା : ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର, ଫାଇଲ୍‌ ଏକାଠି କରି ନିଆଁ ଲଗାଉଥିବା ବେଳେ ଅଗ୍ନିକାଣ୍ଡରେ ଜଳିଯାଇ ପ୍ରାଣ ହରାଇବା ଘଟଣା ଅଧିକ ରହସ୍ୟମୟ ହେଉଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟମୟ ଥିବାବେଳେ ଏ ନେଇ ଥାନାରେ ତାଙ୍କ ପିତାଙ୍କ ଅଭିଯୋଗ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଅନୈତିକ ସଂପର୍କକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପୁଅ ମୃତ୍ୟୁର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ସେପଟେ ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ତା। ଏହି ଅଘଟଣ ପରେ ସେ ନିଜ ବାପଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଗୌଡ଼ଗାଁକୁ ଫେରି ଆସିଛନ୍ତି। ସ୍ବାମୀଙ୍କ ଅପ୍ରତ୍ୟାଶିତ ମୃତ୍ୟୁରେ ସେ ମାନସିକ ଭାରସାମ୍ୟ ହରାଇଥିବାବେଳେ ତାଙ୍କ ନାଁରେ ମିଛ ଅପବାଦ କରାଯାଉଥିବା କହିଛନ୍ତି।

ବାଲେଶ୍ବର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ କନିଷ୍ଠପୁତ୍ର ହେଉଛନ୍ତି ସୌମ୍ୟରଞ୍ଜନ। ଓଡ଼ିଶା ବନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦୁଇ ବର୍ଷ ତାଲିମ ନେବା ପରେ ୨୦୨୦ ମେ ୨୦ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଭାବେ ନିଯୁକ୍ତି ପାଇଥିଲେ। ୨୦୨୦ ଡିସେମ୍ବର ୧ ତାରିଖ‌ରେ କପ୍ତିପଦା ଥାନା ଗୌଡ଼ଗାଁ ଗ୍ରାମର ଶ୍ରୀହରି ପଣ୍ଡାଙ୍କ କନ୍ୟା ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ବିବାହ ହୋଇଥିଲା। ଗତ ୧୨ ତାରିଖରେ ସୌମ୍ୟରଞ୍ଜନ ନିଆଁରେ ପୋଡି ହୋଇ ଗୁରୁତର ହେବା ପରେ କଟକ ବଡ଼ ଡାକ୍ତରଖାନା ଏବଂ ପରେ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଓ ବଡଭାଇ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଡିଏଫ୍‌ଓ, ରୋଷେୟା ଓ ବିଦ୍ୟାଭାରତୀଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସୌମ୍ୟରଞ୍ଜନଙ୍କ ପରିବାର ଏହି ଘଟଣାରେ ଗଜପତି ଡିଏଫ୍ଓ‌ ସ˚ଗ୍ରାମ କେଶରୀ ବେହେରାଙ୍କୁ ସନ୍ଦେହଘେରକୁ ଟାଣିଛନ୍ତି। ସୌମ୍ୟଙ୍କ ପିତା ଅନ୍‌ଲାଇନ୍‌ରେ ପାରଳା ଆଦର୍ଶ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମ ଆଗରେ କେତେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତେବେ, ଡିଏଫ୍‌ଓ ଶ୍ରୀ ବେହେରା ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାରେ ମୁହଁ ଖୋଲିଛନ୍ତି ପତ୍ନୀ ସୌମ୍ୟରଞ୍ଜନଙ୍କ ପତ୍ନୀ। ଘଟଣା ଦିନ ରାତିର କଥା ବର୍ଣ୍ଣନା କରିବାକୁ ଯାଇ ବିଦ୍ୟାଭାରତୀ କହିଛନ୍ତି, ‘ ଆମ ସ୍ବାମ-ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଖୁବ୍‌ ନିବିଡ଼ ଥିଲା। ଗୋଟିଏ ଥାଳିରେ ଖାଉଥିଲୁ, ପରସ୍ପରକୁ ବହୁତ ଭଲପାଉଥିଲୁ। ମୋ ଶାଶୂଘର ଲୋକ ମିଛ ଆରୋପ ଲଗାଉଛନ୍ତି। ଡିଏଫ୍ଓ ଓ ରୋଷେୟାଙ୍କ ସହ ମିଳି ମୁଁ ସୌମ୍ୟଙ୍କୁ ମାରିଥିବା କଥା ସମ୍ପୂର୍ଣ୍ଣ ମିଛ।’

ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଏବଂ ପତ୍ନୀ ଓ ଡିଏଫ୍‌ଓଙ୍କ ଖଣ୍ଡନ, ଘଟଣାକୁ ରହସ୍ୟାବୃତ୍ତ କରିଛି।

ସମ୍ବନ୍ଧିତ ଖବର